ଟ୍ୱିଟର୍ ପାଇଁ ବଢିଲା ଅଡୁଆ, କମ୍ପାନୀ ଏମ୍ଡି ମନୀଷ ମାହେଶ୍ୱରୀଙ୍କ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ନୂଆ ବିବାଦରେ ଫସିଛି ଟ୍ୱିଟର୍ । ଭାରତର ଭୁଲ ମାନଚିତ୍ର ପୋଷ୍ଟ କରି ନିଡ ପାଇଁ ବଢାଇଛି ଅଡୁଆ । ବିବାଦ ହେବା ପରେ କମ୍ପାନୀ ପକ୍ଷରୁ ମ୍ୟାପକୁ ହଟାଯାଇଥିଲେ ମଧ୍ୟ ବାରମ୍ବାର ଏପରି ଭୁଲ କରିବା ଟ୍ୱିଟର୍ ପାଇଁ ମହଙ୍ଗା ପଡିଛି । ଏବେ କମ୍ପାନୀର ଏମଡିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ସୂଚନା ଅନୁସାରେ, ଟ୍ଵିଟର ତାର ୱେବସାଇଟରେ ସୋମବାର ଭାରତର ଭୁଲ୍ ମାନଚିତ୍ର ଦର୍ଶାଇଥିଲା। ଜାମ୍ମୁ କାଶ୍ମୀର ଏବଂ ଲଦ୍ଦାଖକୁ ଅଲଗା ଦେଶ ଦର୍ଶାଇଥିଲା ଟ୍ଵିଟର। ପରେ ଟ୍ଵିଟର ଏହାକୁ ତାର ୱେବସାଇଟ୍ରୁ ହଟାଇ ଦେଇଥିଲା। କିନ୍ତୁ ଟ୍ଵିଟରର ଏଭଳି ମନମାନୀ ପାଇଁ ତାହା ବିରୋଧରେ ଉତ୍ତର ପ୍ରଦେଶରେରେ ମାମଲା ରୁଜୁ ହୋଇଛି।
ୟୁପିର ବୁଲନ୍ଦସହରରେ ବଜରଙ୍ଗ ଦଳର ଜଣେ ନେତା ଟ୍ଵିଟର ଇଣ୍ଡିଆର ଏମଡି ମନିଷ ମାହେଶ୍ଵରୀଙ୍କ ବିରୋଧରେ ଆଇପିସି ଧାରା ୫୦୫ (୨), ଆଇଟି ସଂଶୋଧନ ଅଧିନିୟମ ୨୦୦୮ ଏବଂ ଧାରା ୭୪ ଆଧାରରେ ମାମଲା ରୁଜୁ କରିଛନ୍ତି।
ସୂଚନାଯୋଗ୍ୟ, ଟ୍ଵିଟରର କ୍ୟାରିଅର ପେଜ୍ରେ ଟ୍ଵିପ୍ ଲାଇଫ୍ ସେକ୍ସନରେ ୱାର୍ଲ୍ଡ ମ୍ୟାପ୍ ରହିଛି। ସାରା ଦୁନିଆରେ ଟ୍ଵିଟରର ଟିମ୍ ରହିଛନ୍ତି ବୋଲି ଏହି ମ୍ୟାପ୍ରେ ଦର୍ଶାଯାଉଛି। ଏହି ମ୍ୟାପ୍ରେ ଭାରତ ମାନଚିତ୍ର ମଧ୍ୟ ରହିଛି। ହେଲେ ଭାରତର ମାନଚିତ୍ରରୁ ଟ୍ଵିଟର ଜାମ୍ମୁ କାଶ୍ମୀର ଓ ଲଦ୍ଦାଖକୁ ହଟାଇ ଦେଇଛି। ତେବେ ଏହା ପ୍ରଥମ ଥର ପାଇଁ ନୁହେଁ ଏହା ପୂର୍ବରୁ ମଧ୍ୟ ଟ୍ଵିଟର ଏଭଳି ମନମାନୀ କରିସାରିଛି।