ଅଯୋଧ୍ୟାର ବିକାଶ ପାଇଁ ଅଣ୍ଟା ଭିଡିଲେ ମୋଦୀ, ଆଜି ଭିଡିଓ କନଫରେନ୍ସିଂ ଜରିଆରେ କରିବେ ସମୀକ୍ଷା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଆଗକୁ ଥିବା ବେଳେ ଅଯୋଧ୍ୟାର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅଯୋଧ୍ୟାର ବିକାଶ ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା କେତେ ବାଟ ଆଗେଇଛି ଓ ଆଗକୁ କ’ଣ କରିବାକୁ ପଡ଼ିବ, ତା’ର ସମୀକ୍ଷା କରିବେ ମୋଦୀ।
ଶନିବାର ଦିନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ସମୀକ୍ଷା ବୈଠକ ହେବ । ଏହି ବୈଠକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବ। ମୋଦି ଓ ଯୋଗୀଙ୍କ ବ୍ୟତୀତ ରାଜ୍ୟର ଦୁଇ ଉପ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ। ବୈଠକରେ ଅଯୋଧ୍ୟା ସହରର ୩୦୦ କିଲୋମିଟର ରିଙ୍ଗ ରୋଡ ରାସ୍ତା ପାଇଁ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ ଉପରେ ଆଲୋଚନା କରାଯିବ।
ଏଥିସହିତ ଅଯୋଧ୍ୟାରେ ଆନ୍ତଃର୍ଜାତୀୟ ବିମାନବନ୍ଦର ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି । ଏହା ଉପରେ ମଧ୍ୟ ଆଲୋଚନା ହୋଇପାରେ । ଏହା ବ୍ୟତୀତ ଅଯୋଧ୍ୟାର ବିକାଶ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟକୁ କିଛି ପ୍ରଖ୍ୟାତ ସନ୍ଥଙ୍କ ସହ ୫ ହଜାର ଲୋକଙ୍କ ମତାମତକୁ ନେଇ ପ୍ରସ୍ତୁତ କରାଯାଇଛି। ଏହାବାଦ ଅଯୋଧ୍ୟାର ସର୍ବାଙ୍ଗିନ ବିକାଶ କରିବାକୁ ଭିଜନ ଡକ୍ୟୁମେଣ୍ଟରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।