ଜାଲ ଜାତି ପ୍ରମାଣପତ୍ର ମାମଲା : ଅମରାବତୀ ସାଂସଦ ନବନୀତ କୌରଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଅମରାବତୀରୁ ନିର୍ଦଳୀୟ ସାଂସଦ ତଥା ଅଭିନେତ୍ରୀ ନବନୀତ କୌରଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି ମିଳିଛି । ନବନୀତ କୌରଙ୍କ ଜାତି ପ୍ରମାଣପତ୍ରକୁ ନିରସ୍ତ୍ର କରିବାକୁ ନେଇ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହା ସହିତ ସୁପ୍ରିମକୋର୍ଟ ବିପକ୍ଷଙ୍କୁ ନୋଟିସ ମଧ୍ୟ ଜାରି ରଖିଛନ୍ତି । ଜଷ୍ଟିସ୍ ବିନିତ ଶରଣ ଏବଂ ଜଷ୍ଟିସ୍ ଦିନେଶ ମାହେଶ୍ବରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ନବନୀତ କୌରଙ୍କ ଜାତି ପ୍ରମାଣପତ୍ରକୁ ନିରସ୍ତ୍ର କରିବାକୁ ନେଇ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବା ସହିତ ବିପକ୍ଷଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । ମାମଲାର ଆଗାମୀ ଶୁଣାଣି ଆସନ୍ତା ଜୁନ ୨୫ ତାରିଖରେ ହେବ ।
ବମ୍ବେ ହାଇକୋର୍ଟ ଦ୍ବାରା ଜାତି ପ୍ରମାଣପତ୍ରକୁ ନିରସ୍ତ୍ର କରିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ନବନୀତ କୌର । ହାଇକୋର୍ଟ ପୂର୍ବରୁ ନବନୀତଙ୍କ ଜାତି ପ୍ରମାଣପତ୍ର ଜାଲ ଦର୍ଶାଇବା ସହ ୨ ଲକ୍ଷ ଟଙ୍କାର ଜରିମାନା ଦେବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ । ଏହା ସହିତ ୬ ସପ୍ତାହ ମଧ୍ୟରେ ଆବଶ୍ୟକୀୟ ସମସ୍ତ ଜାତିଗତ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏଭଳି ଆଦେଶ ପରେ ନବନୀତ କୌରଙ୍କ ସାଂସଦ ସଦସ୍ୟ ପଦ ବିପଦରେ ପଡିଯାଇଥିଲା ।
ସୂଚନାଯୋଗ୍ୟ, ନବନୀତ କୌର ଜାଲ ଜାତି ପ୍ରମାଣ ପତ୍ର ଦେଇ ୨୦୧୯ ନିର୍ବାଚନ ଲଢିଥିବା ନେଇ ଅଭିଯୋଗ ହୋଇଥିଲା । ସାଧାରଣ ନିର୍ବାଚନରେ ସେ ଶିବସେନା ପ୍ରାର୍ଥୀ ଆନନ୍ଦରାଓ୍ବ ଅଡସୁଲଙ୍କୁ ହରାଇଥିଲେ । ପରେ ଜାଲ ଜାତିପତ୍ର ଦେଇ ନିର୍ବାଚନ ଲଢିଥିବା ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ ଆନନ୍ଦରାଓ୍ବ । ଏହାପରେ ହାଇକୋର୍ଟ ନବନୀତ କୌରଙ୍କ ଜାତି ପ୍ରମାଣପତ୍ରକୁ ରଦ୍ଦ କରିଦେଇଥିଲେ ।