କାଲି ସକାଳ ସାଢେ ୬ଟାରେ ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପିଏମ୍ ମୋଦୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଜୁନ୍ ୨୧ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ପ୍ରାୟ ୬.୩୦ ସମୟରେ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଏଥର ଯୋଗ ଦିବସର ବିଷୟବସ୍ତୁ ହେଉଛି ‘ଫିଟନେସ୍ ପାଇଁ ଯୋଗ’। କରୋନା ମହାମାରୀ ଏବଂ ସାମୁହିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ଏଥର ଆନ୍ତର୍ଜାତୀୟ ଯୋଗ ଦିବସରେ ଆୟୋଜିତ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମ ହେଲା ଏକ ଟେଲିଭିଜନ କାର୍ଯ୍ୟକ୍ରମ। ଏହି ଟିଭି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ।

ମୋଦୀ ଟ୍ୱିଟ କରି କହିଛନ୍ତି,”ଆସନ୍ତାକାଲି ଜୁନ ୨୧ ତାରିଖରେ ଆମେ ସପ୍ତମ ଯୋଗ ଦିବସ ପାଳନ କରିବା। ଏଥର ଥିମ ହେବ ‘ଯୋଗ ଫର ଫିଟନେସ’ ଯାହା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଯୋଗ ଅଭ୍ୟାସ କରିବା ଉପରେ କେନ୍ଦ୍ରିତ। କାଲି ସକାଳେ ସାଢେ ୬ଟା ସମୟରେ ଯୋଗ କାର୍ଯ୍ୟକ୍ରମ ସମ୍ବୋଧିତ କରିବି।”

ଏହା ପୂର୍ବରୁ ଶନିବାର ଦିନ ଆୟୁଷ ମନ୍ତ୍ରଣାଳୟ ତରଫରୁ ଜାରି ଏକ ବୟାନରେ କୁହାଯାଇଥିଲା ଯେ ସମସ୍ତ ଦୂରଦର୍ଶନ ଚ୍ୟାନେଲରେ ସକାଳ ସାଢେ ୬ଟା ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଆୟୁଷ ରାଜ୍ୟ ମନ୍ତ୍ରୀ କିରେନ ରିଜିଜୁ ଏବଂ ମୋରାର୍ଜୀ ଦେଶାଇ ଜାତୀୟ ଯୋଗ ସଂସ୍ଥାର ଯୋଗ ପ୍ରଦର୍ଶନର ଲାଇଭ ଟେଲିକଷ୍ଟ ମଧ୍ୟ ସାମିଲ ଅଛି। ବୟାନରେ କୁହାଯାଇଛି ଯେ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଏପରି ଏକ ସମୟରେ ଆସିଛି ଯେତେବେଳେ ବିଶ୍ୱ କୋଭିଡ ସ୍ଥିତି ଦେଇ ଗତି କରୁଛି କିନ୍ତୁ ମହାମାରୀ ଯୋଗର ଉତ୍ସାହକୁ କମ କରି ନାହିଁ।

ଚଳିତ ବର୍ଷର ଯୋଗ ଦିବସର ମୁଖ୍ୟ ବିଷୟବସ୍ତୁ ହେଉଛି ‘ଯୋଗ ଫର ଫିଟନେସ୍’। ବୟାନ ଅନୁଯାୟୀ, ମହାମାରୀ ପ୍ରତିବନ୍ଧକ ସତ୍ତ୍ୱେ ପ୍ରାୟ ହଜାରେ ଅନ୍ୟ ହିତାଧିକାରୀ ଅନୁଷ୍ଠାନ ସହ ମନ୍ତ୍ରଣାଳୟର ଅନେକ ଡିଜିଟାଲ୍ ପଦକ୍ଷେପ ଯୋଗ ଅଭ୍ୟାସକୁ ଜନସାଧାରଣଙ୍କ ନିକଟରେ ଉପଲବ୍ଧ କରାଇଛି।

Leave a Reply

Your email address will not be published. Required fields are marked *