ଖୋଲିଲା ଚାର ଧାମ ଯାତ୍ରା: ସପ୍ତାହେ ପାଇଁ ବଢ଼ିଲା କରୋନା କର୍ଫ୍ୟୁ

ଡେରାଡୁନ, (ଓଡିଶା ଟାଇମ୍):ଜୁଲାଇ ୧ ତାରିଖରୁ ଉତ୍ତରାଖଣ୍ଡରେ ଚାରଦାମ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି। ପ୍ରଥମ ଦଶ ଦିନ ଅର୍ଥାତ୍ ଜୁଲାଇ ୧୦ ପର୍ଯ୍ୟନ୍ତ, କେବଳ ଚମୋଲି, ରୁଦ୍ରପ୍ରୟାଗ ଏବଂ ଉତ୍ତରକାଶୀ ଜିଲ୍ଲାର ବାସିନ୍ଦାଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। କିନ୍ତୁ ଏଥିପାଇଁ କରୋନା ନେଗେଟିଭ୍ ରିପୋର୍ଟ ଅନିବାର୍ଯ୍ୟ। ଉତ୍ତରାଖଣ୍ଡର ଏହି ଜିଲ୍ଲାରେ ଚାର ଧାମ ରହିଛି। ଜୁଲାଇ ୧୧ ରୁ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କ ଯାତ୍ରୀଙ୍କୁ ଅନୁମତି ମିଳିବ। କିନ୍ତୁ କୋଭିଡ ନେଗୀଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ।

ତେବେ ଲକଡାଉନ କିଛି ମାତ୍ରାରେ କୋହଳ କରିବା ସହ ରାଜ୍ୟ ସରକାର କୋଭିଡ କର୍ଫ୍ୟୁକୁ ଜୁନ୍ ୨୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସରକାରୀ ମୁଖପାତ୍ର ସୁବୋଧ ଉନିୟାଲ କହିଛନ୍ତି ଯେ ଏହି ସମୟ ମଧ୍ୟରେ ସହରାଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ। ସପ୍ତାହରେ ତିନି ଦିନ ବଦଳରେ ବର୍ତ୍ତମାନ ବଜାର ପାଞ୍ଚ ଦିନ ପାଇଁ ଖୋଲା ରହିବ। ଶନିବାର ଏବଂ ରବିବାର ବଜାର ବନ୍ଦ ରହିବ। ବଜାର ସକାଳ ଆଠରୁ ସନ୍ଧ୍ୟା ପାଞ୍ଚଟା ଯାଏଁ ଖୋଲାରହିବ। ଏହା ସହିତ ହୋଟେଲ, ବାର୍, ରେଷ୍ଟୁରାଣ୍ଟଗୁଡିକୁ ୫୦ ପ୍ରତିଶତ କ୍ଷମତା ସହିତ ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ରାତି ୧୦ ଟା ପରେ ସକାଳ ୬ଟା ଯାଏଁ ହୋଟେଲ, ବାର୍, ରେଷ୍ଟୁରାଣ୍ଟ ବନ୍ଦ ରହିବ।

ଏହାସହ ସରକାରୀ କାର୍ଯ୍ୟାଳୟ ମଧ୍ୟ ୫୦ ପ୍ରତିଶତ କ୍ଷମତା ସହିତ ଖୋଲିବ। ଅତ୍ୟାବଶ୍ୟକ ସେବା ସହ ଜଡିତ ବିଭାଗଗୁଡ଼ିକ ପୂର୍ଣ୍ଣ କ୍ଷମତା ସହିତ ଖୋଲିବ। ବିବାହ ସମାରୋହରେ ପଚାଶ ଜଣ ସାମିଲ ହୋଇପାରିବେ। ତଳିଆ ଅଞ୍ଚଳରୁ ପର୍ବତକୁ ଯିବାକୁ କୋଭିଡ ନେଗେଟିଭ ରିପୋର୍ଟ ଆବଶ୍ୟକ ହେବ। ଜୁନ୍ ୨୨ ରୁ ଏହି ସମସ୍ତ ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଶନିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଉତ୍ତରାଖଣ୍ଡରେ କୋଭିଡ ସଂକ୍ରମଣ ବର୍ତ୍ତମାନ କିଛି ମାତ୍ରାରେ ନିୟନ୍ତ୍ରିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୨୦ ନୂଆ ମାମଲା ସାମ୍ନାକୁ ଆସିଛି। ରାଜ୍ୟରେ ଆକ୍ଟିଭ ମାମଲା ମଧ୍ୟ ପ୍ରାୟ ତିନି ହଜାର ୨୨୦ କୁ ହ୍ରାସ ପାଇଛି।

ଉତ୍ତରାଖଣ୍ଡରେ ଚାର ଧାମ ଯାତ୍ରା ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବରେ ବିବେଚନା କରାଯାଏ। ଚାର ଧାମ ଯାତ୍ରା ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଜଡିତ। ଗତ ୨ ବର୍ଷ ହେଲା କୋଭିଡ କାରଣରୁ ଚାର ଧାମ ଯାତ୍ରାର ନିଲମ୍ବନ ହେବାରୁ ହଜାର ହଜାର ଲୋକ ଜୀବିକା ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ତେବେ ପର୍ଯ୍ୟଟନ ବ୍ୟବସାୟୀଙ୍କୁ ସରକାର କିଛି ମଧ୍ୟ ରିହାତି ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ଚାର ଧାମ ଯାତ୍ରା ଖୋଲିବା ସହିତ ବ୍ୟବସାୟୀମାନେ ଆଶ୍ବସ୍ତି ହେବେ।

Leave a Reply

Your email address will not be published. Required fields are marked *