ରହିବା ପାଇଁ ଭୁବନେଶ୍ୱର ଭଲ, ରୋଜଗାର ପାଇଁ ନୁହଁ: ସିଏସଇ ରିପୋର୍ଟ
ଭୁବନେଶ୍ବର, (ଓଡିଶା ଟାଇମ୍): ରାଜଧାନୀ ଭୁବନେଶ୍ୱରରେ ରହିବା ଦେଶର ଅନ୍ୟ ରାଜ୍ୟର ରାଜଧାନୀ ଅପେକ୍ଷା ଭଲ । ଏଭଳି ଏକ ରିପୋର୍ଟ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭିରନମେଣ୍ଟ ବା ସିଏସଇ ଦ୍ୱାରା ଜାରି ହୋଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି । ସିଏସଇ ଜାରି କରିଥିବା ରିପୋର୍ଟରେ ରହିବା ପାଇଁ ସବୁଠୁ ଭଲ ସହର ମଧ୍ୟରେ ବେଙ୍ଗାଲୁରୁ ସର୍ବାଗ୍ରେ ରହିଥିବା ବେଳେ ଏହାପରେ ଚେନ୍ନାଇ, ଶିମଲା, ଭୁବନେଶ୍ୱର ଏବଂ ପରେ ମୁମ୍ୱାଇ ରହିଛି ।
ଭୁବନେଶ୍ୱର ପ୍ରଥମ ୪ ରାଜଧାନୀ ଭିତରେ ରହିଛି । ରାଜଧାନୀରେ ରହୁଥିବା ଲୋକଙ୍କ ପାଇଁ ବଞ୍ଚିବାର ସୁଗମତା, ଜୀବନର ମାନ, ରୋଜଗାର କରିବାର ସୁଗମତା, ନିରନ୍ତର ବିକାଶ ଏବଂ ନାଗରିକଙ୍କ ଧାରଣାକୁ ଆଧାର କରି ବିଭିନ୍ନ ରାଜ୍ୟର ରାଜଧାନୀକୁ ନମ୍ୱର ଦିଆଯାଇଥାଏ । ସମସ୍ତ ଚାରୋଟି ପାରାମିଟରକୁ ପ୍ରଥମ ତିନୋଟି ପାରାମିଟରରେ ଦିଲ୍ଲୀ ୫୦ ରୁ ୬୦ ମଧ୍ୟରେ ଏବଂ ନାଗରିକଙ୍କ ଧାରଣା ସର୍ଭେରେ ୬୯.୪ ମଧ୍ୟରେ ସ୍କୋର କରିଥିଲା । ଏହା ତୁଳନାରେ ଭୁବନେଶ୍ୱର ନାଗରିକଙ୍କ ସ୍କୋର ୯୪.୮ ଏବଂ ଜୟପୁର ୮୭.୧ ମାର୍କ ପାଇଛି ।
ସବୁଠୁ ଖରାପ ଭିତରେ ରାଜସ୍ଥାନର ରାଜଧାନୀ ଜୟପୁର ୧୦.୪୯ ରହିଥିବା ବେଳେ ଏହା ଉପରେ ରାୟପୁର ୧୧.୭୩, ଭୁବନେଶ୍ୱର ୧୧.୫୭, ଭୋପାଳ (Bhopal) ୧୪.୦୧, ଗାନ୍ଧୀନଗର ୧୫.୧୨ ଏବଂ ଶିମଲା (Shimla) ୨୩.୩୯ ରହିଛି । ପ୍ରଥମ ଥର ପାଇଁ ୨୦୧୮ରେ ଏପରି ରିପୋର୍ଟ ପ୍ରକାଶ ପାଇଥିଲା । ଏହାପରେ ଦ୍ୱିତୀୟ ଥର ପାଇଁ ଏହି ରିପୋର୍ଟ ପ୍ରକାଶ ପାଇଛି ।