ମଧ୍ୟାହ୍ନ ସୁଦ୍ଧା ଲ୍ୟାଣ୍ଡଫଲ୍‌: ଆରମ୍ଭ ହୋଇଗଲାଣି ତୋଫାନ, ମଧ୍ୟାହ୍ନ ସୁଦ୍ଧା ଉପକୂଳ ପାର ହେବ ‘ୟାସ’

ଭୁବନେଶ୍ଵର: ଏବେ ପ୍ରବଳରୁ ଅତିପ୍ରବଳ ବର୍ଷା ଆରମ୍ଭ ହୋଇଗଲାଣି। ଆଉ କିଛି ସମୟ ଭିତରେ ଏହା ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ୟାସ୍‌’।   ରାଡାର ତଥ୍ୟ ଅନୁସାରେ ବାତ୍ୟାର କେନ୍ଦ୍ରବିନ୍ଦୁଠାରୁ ଏହା ୪୦୦ କିଲୋମିଟର ବ୍ୟାସ ଅଞ୍ଚଳ ମଧ୍ୟରେ  ଯାଏ ଏହାର ପ୍ରଭାବ ରହିବ। ଅର୍ଥାତ୍‌ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାରେ ଏହାର ପ୍ରଭାବ ଯଥେଷ୍ଟ ରହିବ। ଆସନ୍ତା କିଛି ଘଣ୍ଟା ଭିତରେ ଜଗତସିଂହପୁରରେ ବର୍ଷା ପବନ କମିବା ସମ୍ଭାବନା ରହିଥିବା ବେଳେ ବାଲେଶ୍ଵରରେ ସନ୍ଧ୍ୟା ଯାଏ ପବନ ଲାଗି ରହିବ ବୋଲି  ଭାରତ ପାଣିପାଗ ବିଭାଗର ମହା ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଏବେ ବାଲେଶ୍ଵର ଉପକୂଳରେ ୮୦ କିଲୋମିଟର ବେଗରେ ପବନ  ପ୍ରବାହିତ ହେଉଛି। ଯଦିଓ ଏହା ୧୬୫ କିଲୋମମିଟର ପବନ ହେବ ନାହିଁ କିନ୍ତୁ କିଛି ଘଣ୍ଟା ଭିତରେ ଏହି ପବନର ବେଗ ୧୩୦-୧୪୦ କିଲୋମିଟର ହେବା ଆଶଙ୍କା ରହିଛି। ସ୍ଥାନ ବିଶେଷରେ ଏହା ୧୫୦ କିଲୋମିଟରକୁ ଛୁଇଁପରେ ବୋଲି ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି।

ଗତକାଲିର ଆକଳନ ଅନୁସାରେ ଆଜି ପ୍ରାତଃ ସମୟରେ ବାତ୍ୟା ଉପକୂଳ ଛୁଇଁବା ଆଶଙ୍କା ରହିଥିଲା। କିନ୍ତୁ ବାତ୍ୟାର କେନ୍ଦ୍ରସ୍ଥଳରେ ପବନ କମିବା ହେତୁ ତାହା ଧୀର ବେଗରେ ଗତି କରୁଛି। ପୂର୍ବାହ୍ନ ୧୦ଟାରୁ ୧୨ଟା ଭିତରେ ଏହା ଏବେ ସ୍ଥଳଭାଗ ଛୁଇଁବା ଆଶଙ୍କା ରହିଛି। ଆଜି ସକାଳ ୫ଟା ୩୦ ମିନିଟ୍‌ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୨୩ ସେଣ୍ଟି ମିଟର ବର୍ଷା ରେକର୍ଡ଼ କରାଯାଇଛି।

ଏବେ ରାଜ୍ୟର ବିଭିନ୍ନ ଉପକୂଳରେ ସମୂଦ୍ରରେ ଉଚ୍ଚ ଲହଡ଼ି ଦେଖିବାକୁ ମିଳୁଛି। ବାଲେଶ୍ଵର ଓ ଭଦ୍ରକ ଅଞ୍ଚଳରେ ୩ରୁ ୪ ମିଟର ଉପରେ ଲହଡ଼ି ଆସୁଥିବା ଲକ୍ଷ୍ୟ କରାଯାଇଛି। ଏହି ସମୟ ଯଥେଷ୍ଟ ବିପଦପୂଣ୍ଣ ଥିବାରୁ ଲୋକଙ୍କୁ ବାହାରକୁ ଯିବା ଲାଗି ବାରଣ କରାଯାଇଛି ବିଭିନ୍ନ ସ୍ଥାନରେ ରାଜ୍ୟ ସରକାରଙ୍କ ଟିମ୍‌ ଉଦ୍ଧାର, ଥଇଥାନ ଏବଂ ରାସ୍ତାଘାଟ ସଫା କରିବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି।

Leave a Reply

Your email address will not be published. Required fields are marked *