ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସମ୍ଭାବ୍ୟ ବାତ୍ୟା ୟସ୍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀ ଓ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବମାନେ ମଧ୍ୟ ଉପସ୍ଥିତ ଥିଲେ। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଟେଲିକମ୍, ଶକ୍ତି, ବେସାମରିକ ବିମାନ ମନ୍ତ୍ରାଳୟ, ଆର୍ଥ ସାଇନ୍ସ ବିଭାଗର ସଚିବଙ୍କ ସହିତ ବାତ୍ୟା ପରବର୍ତ୍ତୀ ସ୍ଥିତିକୁ କେମିତି ମୁକାବିଲା କରାଯିବ, ସେ ସଂପର୍କରେ ମୋଦି ଆଲୋଚନା କରିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତର ରୂପ ନେବ। ଦିନକ ପରେ ଏହା ଆହୁରି ଘନୀଭୂତ ହୋଇ ଆସନ୍ତକାଲି ବାତ୍ୟାରେ ପରିଣତ ହେବ। ଏହି ବାତ୍ୟା ୨୬ ତାରିଖରେ ଓଡ଼ିଶାର ଉତ୍ତର ଉପକୂଳ, ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଅଛି।
ୱେଲ୍ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି। ବଙ୍ଗୋପସାଗରର ଲଘୁଚାପ ଆସନ୍ତା ୬ ଘଣ୍ଟା ଭିତରେ ଏହା ଅବପାତ ବା ଡିପ୍ରେସନରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଅବପାତ ଉତ୍ତର, ଉତ୍ତର ପଶ୍ଚିମ ଦିଗରେ ଗତି କରିବ ପରେ ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ବାତ୍ୟାରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଭେରି ସିଭିୟର ସାଇକ୍ଳୋନିକ୍ ଷ୍ଟର୍ମରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ୨୬ ତାରିଖରେ ଅତି ଭୀଷଣ ବାତ୍ୟା ଭାବେ ଏହା ଉପକୂଳ ଅତିକ୍ରମ କରିବ।
ୟସ୍ ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୬୫ କିଲୋମିଟର ରହିପାରେ। ମଝିରେ ମଝିରେ ଏହା ୧୮୫ କି.ମି ମଧ୍ୟ ଛୁଇଁପାରେ। ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ- ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଇଏମ୍ଡ଼ି। ୟାସ୍ ପ୍ରଭାବରେ ୨୫ ତାରିଖ ଅପରାହ୍ନରୁ ଉତ୍ତର ଓଡ଼ିଶା ସହିତ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ଆସନ୍ତାକାଲି ସଂଧ୍ୟାରୁ ଉପକୂଳ ଓଡ଼ିଶାରେ ୪୦ରୁ ୫୦ କି.ମି ବେଗରେ ପବନ ବୋହିବ। ୨୫ ସକାଳୁ ୫୦ରୁ ୬୦ କିମି ଓ ୨୬ରେ ପବନ ବେଗ ବଢ଼ିବ ବୋଲି କୁହାଯାଇଛି।