ଏକାମ୍ର କ୍ଷେତ୍ରରୁ ବାଇ- ଲ’ ପ୍ରତ୍ୟାହାର କରୁ କେନ୍ଦ୍ର: ଟ୍ଵିଟ୍ କରି ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍):ପୁରୀ ଶ୍ରୀ ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ପରେ ଏବେ ଏକାମ୍ର କ୍ଷେତ୍ରର ୨ ମନ୍ଦିରରୁ ବାଇ-ଲ ବା ଉପ ନିୟମ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯାଇଛି। ଏକାମ୍ର କ୍ଷେତ୍ରର ୨ ମନ୍ଦିର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ଵର ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରିଛନ୍ତି। ଏଥିସହ କେନ୍ଦ୍ର ସରକାରଙ୍କ ଆଗରେ ଏହି ପ୍ରସଙ୍ଗ ଉଠାଇବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ଓଡିଆ ସାଂସଦଙ୍କୁ  ଅପିଲ୍ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରିଛନ୍ତି ଯେ, କେନ୍ଦ୍ର ସରକାର ଏକାମ୍ର କ୍ଷେତ୍ରର ଦୁଇ ମନ୍ଦିର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ଵର ଉପରୁ ରାଷ୍ଟ୍ରୀୟ ସ୍ମାରକ ପ୍ରାଧୀକରଣ ଡ୍ରାଫ୍ଟ ବାଇ ଲକୁ ତୁରନ୍ତ ପ୍ରତ୍ୟାହାର କରିବା ଉଚିତ୍। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ରୀୟ ସଂସ୍ଥା ରାଜ୍ୟକୁ ବିଶ୍ଵାସକୁ ନିଅନ୍ତୁ।

ମୁଖ୍ୟମନ୍ତ୍ରୀ ଦ୍ଵିତୀୟ ଟ୍ଵିଟ୍‌ରେ କେନ୍ଦ୍ର ଆଗରେ ଏହି ପ୍ରସଙ୍ଗ ଉଠାଇବାକୁ ସବୁ ଓଡିଆ ସାଂସଦଙ୍କୁ ଅପିଲ୍ କରିଛନ୍ତି। ଓଡିଶାର ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ଓ ସେବାୟତଙ୍କ  ଜୀବନ ଜୀବିକା ସହ ଏହା ଜଡିତ। କାରଣ ଏହା ଲିଙ୍ଗରାଜଙ୍କ ନୀତିକାନ୍ତି ସହ ଜଡିତ ଥିବାରୁ ଏହି ପ୍ରସଙ୍ଗ ସଂସଦରେ ଉଠାଇବାକୁ ମୁଖ୍ୟମନ୍ତ୍ରୀ ସାଂସଦଙ୍କୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହାର କିଛି ଦିନ ପୂର୍ବେ ପୁରୀ ଶ୍ରୀ ମନ୍ଦିର ନେଇ କେନ୍ଦ୍ର ସରକାର ବାଇ ଲ ବା ଉପ ନିୟମ ଲାଗୁ କରିଥିଲେ। ଏହାକୁ ରାଜ୍ୟରେ ସବୁ ସ୍ତରରେ ତୀବ୍ର ବିରୋଧ କରାଯାଇଥିଲା। ଦଳଗତ ନିର୍ବିଶେଷରେ ରାଜ୍ୟର ସମସ୍ତ ସାଂସଦ କେନ୍ଦ୍ର ସରକାରଙ୍କଠାରେ ଏହାର ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଶେଷରେ କେନ୍ଦ୍ର ସରକାର ପୁରୀ ଶ୍ରୀକ୍ଷେତ୍ର ପାଇଁ ଏନଏମଏ ବାଇ-ଲ’ ପ୍ରତ୍ୟାହାର କରିଥିଲେ। କିନ୍ତୁ ଏବେ ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ଵର ମନ୍ଦିର ପାଇଁ ବାଇ ଲ ପ୍ରତ୍ୟାହାର ହେବ ନାହିଁ ବୋଲି କେନ୍ଦ୍ର ସ୍ପଷ୍ଟ କରିବା ପରେ ଲିଙ୍ଗରାଜ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। NMA ର ପାତରଅନ୍ତର  ଅନ୍ତର ଓ ଦୋମୁହଁ ନୀତି କୁ ଲିଙ୍ଗରାଜ   ସେବାୟତ  ସମୂହ ଓ  ଲିଙ୍ଗରାଜ ସେନା  ଏହାର ପ୍ରତିବାଦ କରିଛନ୍ତି ।

Leave a Reply

Your email address will not be published. Required fields are marked *