କୁଟିଆ ହେବ ଆଦର୍ଶ ପଞ୍ଚାୟତ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) :ବିକାଶ ପାଇଁ ଟ୍ରେଜରୀ ଖୋଲି ଦେଲେ। ଓଡିଶା ଏବଂ ଓଡିଶାବାସୀଙ୍କ ପାଇଁ ପୁଣି ଥରେ ବଡ ପଦକ୍ଷେପ ନେଲେ। ଓଡିଶାର ସୀମା ଓ ସ୍ବାର୍ଥ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ବୋଲି ବାର୍ତ୍ତା ଦେବା ସହ ଆନ୍ଧ୍ରର ଦାଦାଗିରିକୁ ଚେକ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୀମାନ୍ତ ଗ୍ରାମ ପଞ୍ଚାୟତ କୁଟିଆ ଉପରେ ଆନ୍ଧ୍ରର ନଜରକୁ ଜୋରଦାର ଝଟକା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ। କୁଟିଆର ବିକାଶକୁ ଦେଇଛନ୍ତି ଗୁରୁତ୍ବ। କୁଟିଆ ପଞ୍ଚାୟତରେ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଏହାକୁ ଆଦର୍ଶ ପଞ୍ଚାୟତ କରାଯିବ ବୋଲି ଘୋଷଣା କରିଛନ୍ତି। ସବୁଠାରୁ ବଡ ଘୋଷଣାଟି ହେଲା, ସେ ନିଜେ ଖୁବଶୀଘ୍ର କୁଟିଆ ଗସ୍ତରେ ଯିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେସନ୍‌ସିଂ ମାଧ୍ୟମରେ କୋରାପୁଟ ଜିଲ୍ଲାର ପଟାଙ୍ଗି ଅଞ୍ଚଳର କୁଟିଆ ପଞ୍ଚାୟତ ପାଇଁ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ହୋଇଥିବା ବେଳେ ୫ କୋଟି ଟଙ୍କାର ଗୋଟିଏ ହାଇ ଲେବୁଲ ସେତୁ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଛି । ସମୁଦାୟ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି।ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ୨୦୧୮ରେ କୁଟିଆ ପଞ୍ଚାୟତର ବିକାଶ ପାଇଁ ୧୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଖୁବ୍‌ଶୀଘ୍ର କୁଟିଆ ଅଞ୍ଚଳକୁ ଗସ୍ତ କରି ଲୋକମାନଙ୍କୁ ଭେଟିବେ । କୁଟିଆ ଅଞ୍ଚଳକୁ ଏକ ଆଦର୍ଶ ପଞ୍ଚାୟତ ଭାବରେ ଗଠନ କରାଯିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଟିଆ ପଞ୍ଚାୟତରେ ଶିକ୍ଷା, ସ୍ବାସ୍ଥ୍ୟ, ଯୋଗାଯୋଗ, ପିଇବା ପାଣି, ବିଜୁଳି ଆଦି ସବୁ ସୁବିଧାର ବିକାଶ କରାଯାଇଛି । ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ନିରାପତ୍ତା ଯୋଗାଇ ଦିଆଯାଉଛି। ଜୀବନଜୀବିକା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାଲକାନଗିରିରୁ ମୟୁରଭଞ୍ଜ, କୋରାପୁଟରୁ କଟକ ସବୁ ଅଞ୍ଚଳର ବିକାଶ ପାଇଁ ସେ କାମ କରୁଛନ୍ତି । ବିକାଶର ସୁଫଳ ପ୍ରତି ପରିବାର ପାଖରେ ପହଞ୍ଚାଇବା ପାଇଁ, ରାଜ୍ୟର ସବୁ କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ କାମ କରୁଛୁ ବୋଲି ସେ କହିଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ  କହିଥିଲେ ଯେ ଓଡିଶା ଆମର ମା। ଓଡିଆ ଆମର ଭାଷା । ମହାପ୍ରଭୁ ଜଗନ୍ନାଥ ଆମର ବଡ ଠାକୁର । ଜଗନ୍ନାଥ ସଂସ୍କୃତି ଆମର  ସଂସ୍କୃତି। କୋରାପୁଟକୁ ଆମେ ଦ୍ବିତୀୟ ଶ୍ରୀକ୍ଷେତ୍ର ବୋଲି କହିଥାଉ । ସ୍ବାଧୀନତା ସଂଗ୍ରାମରେ ମଧ୍ୟ କୋରାପୁଟ ବଡ ଭୂମିକା ବିଷୟରେ ଆଲୋକପାତ କରି ସେ ଏହି ଅବସରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *