ବାଚସ୍ପତିଙ୍କୁ ସାଂସଦଙ୍କ ଚିଠି : ‘ଗାଜିପୁର ସୀମାରେ ଭାରତ-ପାକିସ୍ତାନ ସୀମା ଭଳି ସ୍ଥିତି ରହିଛି’
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କୃଷି ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ୨ ମାସରୁ ଦୀର୍ଘ ସମୟ ଧରି କୃଷକମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ କରୁଛନ୍ତି । ଏହି ପ୍ରସଙ୍ଗକୁ ନେଇ ସଂସଦରେ ମଧ୍ୟ ଝଡ ସୃଷ୍ଟି ହୋଇଛି । ଶୁକ୍ରବାର ବିରୋଧୀ ଦଳର ୧୦ ଜଣ ସାଂସଦ ବାଚସ୍ପତି ଓମ୍ ବିରଲାଙ୍କୁ ଚିଠି ଲେଖିଛନ୍ତି ।
ସାଂସଦମାନେ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗାଜୀପୁର ସୀମାରେ ଭାରତ-ପାକିସ୍ତାନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । କୃଷକଙ୍କ ସ୍ଥିତି ଜେଲରେ ଥିବା କଏଦୀଙ୍କ ଭଳି ହୋଇଯାଇଛି । ଶିରୋମଣୀ ଅକାଳୀ ଦଳ, ଏନସିପି ଓ ଟିଏମସି ଆଦି ଦଳର ୧୫ ସାଂସଦ ଗାଜିପୁର ସୀମାକୁ ଯାଇଥିଲେ । ସେମାନଙ୍କ କୃଷକଙ୍କ ସହ ସାକ୍ଷାତ କରିବାକୁ ଦିଆଯାଇ ନଥିଲା ।
ଶିରୋମଣୀ ଅକାଳୀ ଦଳର ସାଂସଦ ହରସିମରତ୍ କୌରଙ୍କ କହିବାନୁସାରେ, ସେମାନଙ୍କ ଟିମକୁ ଧାରଣାସ୍ଥଳକୁ ଯିବା ପାଇଁ ଅନୁମତି ଦିଆଯାଇ ନଥିଲା । ତାଙ୍କ ସହ ସାଂସଦ ସୁପ୍ରିୟା ସୋଲେ, କାନିମୋଇ, ତିରୁଚି ଶିବା, ସୌଗତ ରାୟ ଆଦି କୃଷକଙ୍କୁ ଭେଟିବାକୁ ଯାଇଥିଲେ ।