ଆତ୍ମଘାତୀ ବିସ୍ଫୋରଣ : ୩୨ ମୃତ, ଶତାଧିକ ଆହତ

ବାଗଦାଦ, (ଓଡିଶା ଟାଇମ୍) :ବିସ୍ଫୋରଣରେ ଥରିଲା ବାଗଦାଦ । ଇରାକର ରାଜଧାନୀ ବାଗ୍‌ଦାଦର ତାୟରାନ ସ୍କୋୟାରରେ ଗୁରୁବାର ୨ଟି ଆତ୍ମଘାତୀ ବିସ୍ଫୋରଣ ହୋଇଛି ।  ଏଥିରେ ଅତି କମରେ ୩୨ ଜଣ ପ୍ରାଣ ହରାଇଥିଲାବେଳେ ୧୦୦ଜଣରୁ ଅଧିକ ଆହତ ହୋଇଛନ୍ତି । ଗତ ତିନି ବର୍ଷ ଭିତରେ ଏହାକୁ ବାଗଦାଦରେ ସବୁଠାରୁ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି ।

ଇରାକ ସରକାରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁସାରେ, ଆତଙ୍କବାଦୀମାନେ ଗୁରୁବାର ତାୟରାନ୍‌ ସ୍କୋୟାର ସ୍ଥିତ ଏକ ବଜାରକୁ ଟାର୍ଗେଟ କରିଥିଲେ । ସେଠାରେ ପୋଷାକର ସେଲ୍‌ ଲାଗିଥିଲା। ଦୀର୍ଘ ଦିନ ଧରି କରୋନା ସଂକ୍ରମଣ ଜନିତ କଟକଣା ପରେ ବଜାର ଖୋଲିଥିବାରୁ ସେଠାରେ ଲୋକଙ୍କ ଭିଡ ଲାଗି ରହିଥିଲା।

ଏହି ସମୟରେ ଜଣେ ଆତଙ୍କବାଦୀ ଦେହ ଖରାପ ହୋଇଯାଇଥିବା ବାହାନା କରି ସେଠାକୁ ଯାଇଥିଲା। ତା’ର କ’ଣ ହୋଇଛି ବୋଲି ଜାଣିବାକୁ ତା’ ଚାରିପଟେ ଲୋକେ ଗଦା ହୋଇଯାଇଥିଲେ । ପରେ ସେ ନିଜକୁ ବିସ୍ଫୋରଣ କରି ଉଡାଇ ଦେଇଥିଲା । ଏହାପରେ ଯେତେବେଳେ ଅନ୍ୟ ଲୋକମାନେ ମୃତାହତଙ୍କୁ ଉଦ୍ଧାର କରିବାକୁ ସେଠାରେ ଜମା ହେଲେ ସେତେବେଳେ ଦ୍ୱିତୀୟ ଆତଙ୍କବାଦୀ ନିଜକୁ ବିସ୍ଫୋରଣ କରି ଉଡାଇ ଦେଇଥିଲା। ଫଳରେ ୩୨ ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *