ଇଂଲଣ୍ଡ ଲକ୍‌ଡାଉନ୍‌: ଘର ଭିତରେ ବନ୍ଦୀ ୫୬ ନିୟୁତ ଲୋକ

ଇଂଲଣ୍ଡ, (ଓଡିଶା ଟାଇମ୍) :ଇଂଲଣ୍ଡ୍‌ର ନୂଆ କରୋନା ଷ୍ଟ୍ରେନ୍‌ ସାରା ବିଶ୍ବରେ ଚିନ୍ତା ବଢ଼ାଇଛି। ଏହି ଭୂତାଣୁ ଇଂଲଣ୍ଡ୍‌ରେ ଏବେ ଦ୍ରୁତ ଗତି‌ରେ ବ୍ୟାପିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ଖୁବ୍‌ କଷ୍ଟଦାୟକ ହୋଇଯାଇଛି। ତେଣୁ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଇଂଲଣ୍ଡ୍‌ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା‌ କରିଛନ୍ତି। ଫେବ୍ରୁଆରି ମଧ୍ୟଭାଗ ପର୍ଯ୍ୟନ୍ତ ଇଂଲଣ୍ଡ୍‌ର ୫୯ ନିୟୁତ ଲୋକ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ରେ ରହିବେ। ଏହା ହେଉଛି ସବୁଠୁ କଠୋର ଲକ୍‌ଡାଉନ୍‌। ଗତକାଲି ଜନସନ୍‌ ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିବାପରେ ଆଜିଠାରୁ ଇଂଲଣ୍ଡ୍‌ରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପ୍ରକ୍ରିୟା‌ ଆରମ୍ଭ ହୋଇଛି। ଆଜିଠାରୁ ଇଂଲଣ୍ଡ୍‌ରେ ସମସ୍ତ ସ୍କୁଲ୍‌ ଏବଂ କଲେଜ୍‌ ଗୁଡ଼ିକ ବନ୍ଦ ରହିଛି। ପୂର୍ବଭଳି ପୁଣି ଅନ୍‌ଲାଇନ୍‌ରେ ପାଠପଢ଼ା ଚାଲିବ। ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ମଧ୍ୟ ଫେବ୍ରୁଆରି ମଧ୍ୟଭାଗ ପର୍ଯ୍ୟନ୍ତ କ୍ଲାସ୍‌ ଯିବେନି। ପୂର୍ବଭଳି ପୁଣି ଅଫିସ୍‌ କର୍ମଚାରୀଙ୍କୁ ଅଫିସ୍‌ ନଯାଇ ଘରୁ କାମ କରିବାପାଇଁ କୁହାଯାଇଛି। କେବଳ ଅତି ଦରକାର ଥିଲେ ଘରୁ ବାହାରିବା ପାଇଁ କୁହାଯାଇଛି।

ବ୍ରିଟେନ୍‌ ପ୍ରଥମ ରାଷ୍ଟ୍ର ଭାବେ ଏହାର ନାଗରିକଙ୍କୁ ଆଷ୍ଟ୍ରାଜେନେକା ଦ୍ବାରା ପ୍ରସ୍ତୁତ କୋଭିଡ୍‌ ଟିକା ଦେଇଛି। କିନ୍ତୁ ନୂଆ ପ୍ରଜାତି ପାଇଁ ସଂକ୍ରମଣ ବଢ଼ିବାରୁ ପ୍ରଧାନମନ୍ତ୍ରୀ ଜନସନ୍‌ ପୁଣିଥରେ ଜାତୀୟ ସ୍ତରରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ଘୋଷଣା କରିବା ସମୟରେ ଜନ୍‌ସନ୍‌ କହିଛନ୍ତି, କରୋନାର ପ୍ରଥମ ଲହର ସମୟରେ ତଥା ଗତ ମାର୍ଚ୍ଚରେ ଯେଭଳି ଲୋକମାନେ ଘରେ ରହିଥିଲେ ଏବେ ମଧ୍ୟ ଠିକ୍‌ ସେମିତି ଲୋକମାନେ ଘରେ ରହିବା ଉଚିତ୍‌ ଏବଂ ବିନା କାରଣରେ ଘରୁ ବାହାରକୁ ବାହାରିବା ଅନୁଚିତ୍‌। ଗଣମାଧ୍ୟମରେ ଉଦ୍‌ବୋଧନ ଦେଇ ଜନ୍‌ସନ୍‌ କହିଛନ୍ତି, ହସ୍ପିଟାଲ୍‌ ଗୁଡ଼ିକରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମହାମାରୀ ଆରମ୍ଭରୁ ଏଯାବତ୍‌ ଇଂଲଣ୍ଡ୍‌ ହସ୍ପିଟାଲ୍‌ରେ କେବେ ଏତେ ଚାପ ପଡ଼ିନଥିଲା ବୋଲି ଜନ୍‌ସନ୍‌ କହିଛନ୍ତି। ଗତକାଲି ଇଂଲଣ୍ଡ୍‌ରେ ସର୍ବାଧିକ ୫୭ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ବ୍ରିଟେନ୍‌ରେ କରୋନା ସଂକ୍ରମଣର ତୃତୀୟ ଲହର ଆରମ୍ଭ ହୋଇଛି ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *