ବାତିଲ ହେଲା ଯୁକ୍ତ ଦୁଇ ଅବଶିଷ୍ଟ ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) : ବାତିଲ ହେଲା ଯୁକ୍ତ ଦୁଇ ଅବଶିଷ୍ଟ ପରୀକ୍ଷା। ପରୀକ୍ଷାର୍ଥୀଙ୍କୁ ଆଉ ଦେବାକୁ ପଡ଼ିବ ନାହିଁ ବାକି ଥିବା ପରୀକ୍ଷା। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।

ଯେହେତୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷା ପରିଚାଳନା ନେଇ ନୂତନ ଗାଇଡ ଲାଇନ ଆସିଛି ଏବଂ ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ବୋର୍ଡ଼ କରୋନା ପାଇଁ ଦଶମ, ଏକାଦଶ ପରୀକ୍ଷା କୁ ବାତିଲ କରିଛି। ରାଜ୍ୟ ମଧ୍ୟ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନୀତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁସରଣ କରିଥିବା ସୂଚନା ମିଳିଛି।

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଅବଶିଷ୍ଟ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ତେବେ ବାକି ଥିବା ବିଷୟ ଗୁଡିକରେ ଛାତ୍ରଛାତ୍ରୀଙ୍କୁ କେଉଁ ଆଧାରରେ ମାର୍କ ଦିଆଯିବ ସେନେଇ ଆସନ୍ତାକାଲି ଲୋକସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହେବ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଚୁଡାନ୍ତ ନିଷ୍ପତ୍ତି ନିଆଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ଅନୁମୋଦନ ଲାଗି ପଠାଯିବ ବୋଲି ଜଣାପଡ଼ିଛି।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପରୀକ୍ଷା ନିୟନ୍ତ୍ରକ ଡ.ବିଜୟ କୁମାର ସାହୁ କହିଛନ୍ତି ଯେ ସିଏଚ୍‌ଏସ୍‌ଇ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା,ବାଣିଜ୍ୟ ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷାର ଅବଶିଷ୍ଟ ପରୀକ୍ଷାଗୁଡ଼ିକ ସରକାରଙ୍କ ପକ୍ଷରୁ ବାତିଲ କରିଦିଆଯାଇଛି। ପରୀକ୍ଷା ବାତିଲ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ଆସନ୍ତାକାଲି ନିର୍ଦେଶନାମା ଜାରି କରାଯିବ। 

Leave a Reply

Your email address will not be published. Required fields are marked *