୩ ଦିନ ପରେ ୧୦ ଯବାନଙ୍କୁ ଛାଡ଼ିଲା ଚୀନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପୂର୍ବ ଲଦାଖର ଗଲୱାନ ଉପତ୍ୟକା ଅଞ୍ଚଳରେ ଭାରତ-ଚୀନ ମଧ୍ୟରେ ହୋଇଥିବା ସଂଘର୍ଷ ବେଳେ ଅଟକ ରଖିଥିବା ୧୦ ଭାରତୀୟ ଯବାନଙ୍କୁ ମୁକ୍ତ କରିଛି ଚୀନ୍ । ପିଟିଆଇର ରିପୋର୍ଟ ଅନୁଯାୟୀ, ଚୀନ ସେନା ୨ ମେଜର ସମେତ ୧୦ ଭାରତୀୟ ଯବାନଙ୍କୁ ଅଟକ ରଖିଥିଲେ । ଉଭୟ ପକ୍ଷରୁ ବୁଝାମଣା ପରେ ୧୦ ଭାରତୀୟ ଯବାନଙ୍କୁ ମୁକ୍ତ କରିଛି ଚୀନ୍ । କିନ୍ତୁ ଏହି ବାବଦରେ ସେନା ପକ୍ଷରୁ ଅଧିକାରୀଙ୍କ ବୟାନ ଜାରି କରାଯାଇନାହିଁ ।

ଗୁରୁବାର ଏହି ଯବାନମାନେ ଭାରତୀୟ ସୀମାରେ ଆସି ପହଞ୍ଚିଥିଲେ। ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାରୁ ସୈନିକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ତଥ୍ୟ ପ୍ରଘଟ କରାଯାଇ ନ ଥିଲା। ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ତଥ୍ୟ ଦିଆଯାଇ ନ ଥିଲା। ଭାରତୀୟ ସେନା ଏବଂ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କେବଳ କୁହାଯାଇଥିଲା ଯେ ଚୀନ ସୈନ୍ୟଙ୍କ ସହିତ ସଂଘର୍ଷ ପରେ କୌଣସି ଭାରତୀୟ ଜବାନ ନିଖୋଜ ନାହାନ୍ତି।

ଗଲୱାନ ଘାଟିରେ ପାଟ୍ରୋଲ ପଏଣ୍ଟ ୧୪ରେ ଭାରତୀୟ ଏବଂ ଚୀନ ପ୍ରତିନିଧି ମଣ୍ଡଳ ମଧ୍ୟରେ ୩ଟି ପର୍ଯ୍ୟାୟରେ ଆଲୋଚନା ହେବା ପରେ ଚୀନ ଯବାନମାନଙ୍କୁ ଛାଡ଼ିଛି। ମେଜର ଜେନେରାଲ ଅଭିଜିତ ବାପଟ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ଵ ନେଇଥିଲେ। ଲେହସ୍ଥିତ ୩ ଇନ୍‌ଫାଣ୍ଟ୍ରି ଡିଭିଜନ କମାଣ୍ଡର ମେଜର ଜେନେରାଲ ଅଭିଜିତ ବାପଟ ଏବଂ ତାଙ୍କର ଚୀନ ପ୍ରତିପକ୍ଷ ଗୁରୁବାର ୩ୟ ଥର ଲାଗି ଆଲୋଚନା କରିଥିଲେ। ସୀମାରେ ଉତ୍ତେଜନା କମ୍‌ କରିବା ଲାଗି ଏହି ବୈଠକ ଆୟୋଜିତ ହୋଇଥିଲା।

Leave a Reply

Your email address will not be published. Required fields are marked *