ସ୍ଵାସ୍ଥ୍ୟ ବିଭାଗର ଭେଳିକି: ସନ୍ଧ୍ୟାରେ ଓଡ଼ିଶା, ରାତିରେ ମହାରାଷ୍ଟ୍ର

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ସନ୍ଧ୍ୟାବେଳେ ରାଜ୍ୟର  କରୋନା ରୋଗୀଙ୍କ ସଂଖ୍ୟା ୨୭୧ ଥିଲା। ରାତିରେ ତାହା ୨୭୦ ହୋଇଛି। ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ କହିଛି ଯେ, ଏହି ରୋଗୀ ଜଣକ ମହାରାଷ୍ଟ୍ରର। ସେ ଏକ ରାସ୍ତା ଦୁର୍ଘଟଣାର ସମ୍ମୁଖୀନ ହୋଇ ଆସିବା ପରେ ଡାକ୍ତରଖାନାରେ ପରୀକ୍ଷା ହୋଇଥିଲା। ଆଉ ସେ ପଜିଟିଭ୍‌ ବାହାରିଥିଲେ। ପ୍ରଶ୍ନ ଉଠୁଛି ଯଦି ଗୋଟିଏ ରାଜ୍ୟରେ ପରୀକ୍ଷା ହେଉଥିବା ରୋଗୀ ଅନ୍ୟ ରାଜ୍ୟର ହୋଇଥିଲେ ସେ ରାଜୃ୍ୟର ହିସାବ ହେବେ ତେବେ ସ୍ଵାସ୍ଥ୍ୟ ବିଭାଗ ଏହି ପ୍ରୋଟୋକଲ୍‌ ଆଗରୁ ଜାଣି ନଥିଲା କି? ଅପରପକ୍ଷେ ପୂର୍ବରୁ ପଶ୍ଚିମବଙ୍ଗରୁ ଜଣେ ରୋଗୀଙ୍କୁ ଓଡ଼ିଶାରେ ଚିକିତ୍ସା କରାଯାଉଥିଲା। ସେ ମଧ୍ୟ‌ କରୋନା ରୋଗୀ ଥିଲେ। ତାଙ୍କ ନାଁକୁ କିନ୍ତୁ ରାଜ୍ୟ ତାଲିକାରେ ଗ୍ରହଣ କରାଯାଇଛି। 

ସରକାରଙ୍କ ଏହି ସୂଚନା ପରେ  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କମିଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ପୂର୍ବରୁ କୁହାଯାଇଥିଲା ଯେ, ଆଜି ସନ୍ଧ୍ୟାରେ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିରୁ ୨୪ ଜଣ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର ବୋଲି କୁହାଯାଇଥିଲା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଛି ବୋଲି କୁହାଯାଇଥିଲା । କିନ୍ତୁ ପ୍ରକୃତରେ ଖୋର୍ଦ୍ଧା ଜିଲ୍ଲାରୁ ଯେଉଁ ୫୧ ତମ ବ୍ୟକ୍ତିଙ୍କ ବାବଦରେ କୁହାଯାଉଥିଲା, ସେ ହେଉଛନ୍ତି ମହାରାଷ୍ଟ୍ରର ବାସିନ୍ଦା । ସେ ହେଉଛନ୍ତି ମୁମ୍ବାଇର ଜଣେ ଟ୍ରକ ଚାଳକ । ଓଡ଼ିଶାରେ ଏକ ଟ୍ରକ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ପରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ । କିନ୍ତୁ ଏହି ବ୍ୟକ୍ତି ଜଣକ ମହାରାଷ୍ଟ୍ର ସରକାରଙ୍କ କରୋନା ତାଲିକାରେ ଯେ‌ାଡ଼ି ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *