ପରିବାର ପାଇଁ ପରିବା ବିକୁଛନ୍ତି ଅଭିନେତା

ଭୁବନେଶ୍ଵର(ଓଟି): ମହାମାରୀ କରୋନା ଅନେକ ଲୋକଙ୍କ ଜୀବନ ଜୀବିକାରେ ଘୋର ସଂକଟ ସୃଷ୍ଟି କରିଛି। ପରିସ୍ଥିତି ଏମିତି ହୋଇଛି ଯେ ସବୁବେଳେ ଲୋକଙ୍କୁ ହସ ବାଣ୍ଟୁଥିବା ଜଣେ ଅଭିନେତା ବାଧ୍ୟହୋଇ ପରିବା ବିକୁଛନ୍ତି। ସେ ଆଉ କେହି ନୁହନ୍ତି; ରାଜଧାନୀ ଭୁବନେଶ୍ଵରରେ ରହୁଥିବା ୩୯ବର୍ଷୀୟ ହାସ୍ୟାଭିନେତା ରବି କୁମାର। କେହି କେହି ତାଙ୍କୁ ଦେହର ରଙ୍ଗ ଅନୁସାରେ ବ୍ଲାକ୍‌ ରବି ବୋଲି ସମ୍ବୋଧନ କରିନ୍ତି। ତେବେ ରବିଙ୍କ ନିକଟରେ ବାସ୍ତବରେ ରହିଛି ଅନନ୍ୟ କଳା ପ୍ରତିଭା। କିନ୍ତୁ କରୋନାର କରାଳ ମାଡ଼ରେ ସେ ଆଜି ପରିବାର ଚଳାଇବା ପାଇଁ ପରିବା ବିକୁଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଖୁବ୍‌ ସଂଘଷ କରୁଛନ୍ତି ରବି କୁମାର। ପେଣ୍ଟିଂ, ଷ୍ଟେଜ୍‌ ଶୋ’ ଓ ଅଭିନୟରେ ଦକ୍ଷତା ରଖିଥିବା ରବିଙ୍କ ପରିବାରରେ ୧୧ ଜଣ ସଦସ୍ୟ। ସେ ମଧ୍ୟରେ ବୃଦ୍ଧ ପିତାମାତା ମଧ୍ୟ ରହିଛନ୍ତି। ତେବେ ଲକ୍‌ଡାଉନ୍‌ ହୋଇଯିବାରୁ ନା ସେ କାନ୍ଥବାଡ଼ କି କୋଉଠି ଚିତ୍ର କରିପାରିଲେ ନା ହୋଇପାରିଲା କୌଣସି ଷ୍ଟେଜ୍‌ ଶୋ’; ଉପାୟ ଶୂନ୍ୟ ମଧ୍ୟରେ ନିଜ ଉପରେ ଭରସା ଛାଡ଼ିଲେନି ରବି। ସାଇକେଲରେ ବୁଲିବୁଲି ପରିବା ବିକ୍ରି ଆରମ୍ଭ କଲେ। ତେବେ ତାଙ୍କର କଳା ପାରଦର୍ଶିତା ବେପାର କ୍ଷେତ୍ରରେ ବେଶ୍‌ ସହାୟକ ହୋଇପାରିଲା। ସାଧାରଣ ପରିବା ବ୍ୟବସାୟୀଙ୍କ ଠାରୁ ସେ ନିଆରା ଢଙ୍ଗରେ ଗ୍ରାହକଙ୍କୁ ଆକର୍ଷିତ କରିପାରୁଛନ୍ତି। ବଲିଉଡର ଅଭିନେତା ନାନା ପାଟେକର, ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର ଏବଂ ଓଡ଼ିଆ ହାସ୍ୟ ଅଭିନେତା ଜୟୀଙ୍କ ଡାଇଲଗ୍‌ ଭଳି ସେ ପରିବା ବିକ୍ରି ପାଇଁ ନିବେଦନ କରନ୍ତି। ଫଳରେ ଲୋକେ ଆକର୍ଷିତ ହେଉଥିବା ରବି ପ୍ରକାଶ କରିଛନ୍ତି। ପ୍ରତିଦିନ ସକାଳୁ ୧୦ଟା ପର୍ଯ୍ୟନ୍ତ ରାସ୍ତା କଡ଼ରେ ପନିପରିବା ଧରି ବସିବା ପରେ ସାଇକେଲ ନେଇ ଘୂରି ବୁଲନ୍ତି। ସେହିପରି ସନ୍ଧ୍ୟାରେ ରାସ୍ତାକଡ଼ରେ ଛତୁ ଏବଂ ସିଝା ଅଣ୍ଡା ବିକ୍ରି କରନ୍ତି।

ପ୍ରକାଶ ଥାଉକି ୩୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର, ୧୦ଟି ଧାରାବାହିକ ଏବଂ ଅନେକ ଭିଡିଓ ଆଲବମରେ ଅଭିନୟ କରିସାରିଛନ୍ତି ରବି କୁମାର। ସମ୍ମାନର ସହ ବଞ୍ଚିବାର କଳା ରବି ଠିକ୍‌ ଜାଣିଛନ୍ତି ବୋଲି ସାଧାରଣରେ ବେଶ୍‌ ଆଲୋଚନା ହେଉଛି।


  • ଏସ୍‌ପି

Leave a Reply

Your email address will not be published. Required fields are marked *