#RBIGovernoronCovidsituation: ବଜାରରେ ନଗଦ ପ୍ରବାହ ଓ ବ୍ୟାଙ୍କଗୁଡ଼ିକୁ ପ୍ରୋତ୍ସାହନ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ମାଡ଼ରେ ଦେଶର ବିପର୍ଯ୍ୟସ୍ତ ହେବାକୁ ବସିଥିବା ଅର୍ଥନୀତିକୁ ସଜାଡ଼ିବା ପାଇଁ ପୁଣି ପ୍ରୟାସ କରିଛନ୍ତି ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ। ଦ୍ଵିତୀୟଥର ପାଇଁ ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ବ୍ୟାଙ୍କିଙ୍ଗ୍‌ ଓ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ କାରବାର କ୍ଷେତ୍ରରେ ପ୍ରୋତ୍ସାହନ ଘୋଷଣା କରାଯାଇଛି। ପୁଣି ରିଜର୍ଭ ବ୍ୟାଙ୍କ ପକ୍ଷରୁ ୫୦ ହଜାର କୋଟି ଟଙ୍କାର ପାଣ୍ଠି ବଜାରକୁ ଛାଡ଼ିବାକୁ ଆର୍‌ବିଆଇ ପ୍ରସ୍ତୁତ ହୋଇଥିବା ଏହାର ଗଭଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।

ଆସନ୍ତୁ ନଜର ପକାଇବା ଶ୍ରୀ ଦାସଙ୍କ ଘୋଷିତ ପଦକ୍ଷେପର କିଛି ସାରାଂଶ

ରେପୋ ସ୍ଥିର, ରିଭର୍ସ ରେପୋ ହ୍ରାସ

ରିଜର୍ଭ ବ୍ୟାଙ୍କ ପ’ରୁ ରୋପୋ ରେଟ୍‌କୁ ୪.୦ରେ ସ୍ଥିର ରଖାଯାଇଛି। ହେଲେ ରିଭର୍ସ ରେପୋ ରେଟ୍‌ରେ ୨୫ ବେସିସ୍‌ ପଏଣ୍ଟ ହଆସ ଘୋଷଣା କରାଯାଇଛି। ଏହାଦ୍ଵାରା ରିଭର୍ସ ରେପୋରେଟ୍‌ ୩.୭୫କୁ ଖସି ଆସିଛି। ରେପୋ ରେଟ୍‌ ହେଉଛି ଯେଉଁ ସୁଧହାରରେ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଅର୍ଥ ଉଧାର (ଋଣ) ଦେଇଥାଏ। ରିଭର୍ସ ରେପୋ ରେଟ୍‌ ହେଉଛି ଯେଉଁ ସୁଧ ହାରରେ ବ୍ୟାଙ୍କଗୁଡ଼ିକ ସେମାନଙ୍କ ପାଣ୍ଠିକୁ ରିଜର୍ଭ ବ୍ୟାଙ୍କ୍‌ରେ ଜମା ରଖିଥାଆନ୍ତି।  ରିଜର୍ଭ ବ୍ୟାଙ୍କଙ୍କ ମନିଟାରୀ ପଲିସି କମିଟିର ଏହି ନିଷ୍ପତ୍ତି ଦ୍ଵାରା ବ୍ୟାଙ୍କଗୁଡ଼ିକ ପାଖରେ ପର୍ଯ୍ୟାପ୍ତ ଅର୍ଥ ରହିବ ଏବଂ ସେମାନେ ଗ୍ରାହକଙ୍କୁ କମ୍‌ ରେଟ୍‌ରେ ଋଣ ଯୋଗାଇପାରିବେ।

୫୦ ହଜାର କୋଟିର ନଗଦ ପ୍ରବାହ

ରିଜର୍ଭ ବ୍ୟାଙ୍କ୍‌ ବିଭିନ୍ନ ବ୍ୟାଙ୍କ, ଅଣ ବ୍ୟାଙ୍କିଙ୍ଗ୍‌ ଓ ହାଉସିଂ ଫିନାନ୍ସ କ୍ଷେତ୍ରକୁ ୫୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏଥିରୁ ୨୫ ହଜାର କୋଟି ନାବାର୍ଡ଼କୁ ମିଳିବ। ୧୫ ହଜାର କୋଟି ସିଡ୍‌ବି ଏବଂ ୧୦ ହଜାର କୋଟି ଏନ୍‌ଏଚ୍‌ବିକୁ ପ୍ରଦାନ କରାଯିବ।

ଏନ୍‌ପିଏ ଲାଗୁ ହେବ ନାହିଁ

୯୦ ଦିନ ସୁଧ ପଇଠ ନକରିଲେ ବା ଋଣ ନଶୁଝିଲେ ଅଥବା ଋଣ ବାବଦରେ କିଛି ପ୍ରତିକ୍ରିୟା ପ୍ରକାଶ ନକଲେ ସରକାର ତାହାକୁ ନନ୍‌ପର୍ଫମିଂ ଆସେଟ୍‌ ବା ଅଚଳ ସମ୍ପତ୍ତି ଭାବେ ଗ୍ରହଣ କରନ୍ତି। କିନ୍ତୁ ଏବେ ସରକାରଙ୍କ ପକ୍ଷରୁ ୩ ମାସ ମୋରାଟୋରିୟମ୍‌ ଲାଗୁ କରାଯାଇଥିବାରୁ ଏହି ନିୟମ କାର୍ଯ୍ୟକାରୀ ହେବ ନାହିଁ।

ବ୍ୟାଙ୍କ୍‌ମାନଙ୍କ ଜମା ଅନୁପାତ କମିଲା

ରିଜର୍ଭ ବ୍ୟାଙ୍କ୍‌ରେ ବ୍ୟାଙ୍କମାନଙ୍କ କାରବାରୀ ଜମା ଅନୁପାତ ( ଲିକ୍ଵିଡିଟି କଭରେଜ୍‌ ରେସିଓ)କୁ ୮୦ ପ୍ରତିଶତ ଖସାଯାଇଛି। ଏହା ୧୦୦ ପ୍ରତିଶତ ରହିଥିଲା। ଏହି ଅନୁପାତକୁ ବ୍ୟାଙ୍କଗୁଡ଼ିକ ଆସନ୍ତା ବର୍ଷ ଏପ୍ରିଲ୍‌ ମାସ ବେଳକୁ ସ୍ଥିର କରିବେ ବୋଲି ସରକାର କହିଛନ୍ତି।

ବ୍ୟାଙ୍କ ଦେବେନି ଡିଭିଡେଣ୍ଟ

ବ୍ୟାଙ୍କ ଗୁଡ଼ିକ ନିଜ ଲାଭାଂଶର କିଛି ଭାଗକୁ ସରକାରଙ୍କୁ ଦେବା ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ ପରବର୍ତ୍ତୀ ଘୋଷଣା ଯାଏ ବ୍ୟାଙ୍କଗୁଡ଼ିକ ଲାଭାଂଶ ପରିମାଣକୁ ସରକାରଙ୍କୁ ଦେବା ଆବଶ୍ୟକ ନାହିଁ।

କରୋନା ମାଡ଼ ହେତୁ ସମଗ୍ର ବିଶ୍ଵରେ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଛି। ଆଇଏମ୍‌ଏଫ୍‌ ଭାରତର ଅର୍ଥନୀତିକ ବିକାଶ ହାର ୧.୯ ପଅତିଶତରେ ସୀମିତ ରହିବ ବୋଲି କୁହାଯାଇଛଇ । ଏହା ସମସ୍ତ ଜି-୨୦ ରାଷ୍ଟ୍ର ମାନଙ୍କ ଭିତରେ ସର୍ବାଧିକ ରହିଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି। ଦେଶରେ ଅଟୋମୋବାଲ୍‌ କ୍ଷେତ୍ରରେ ଅନେକ ମାନ୍ଦାବସ୍ଥା ସୃଷ୍ଟି ହୋଇଥିବା ସେ କହିଛନ୍ତି। ରପ୍ତାନୀ କ୍ଷେତ୍ରରେ ୩୪.୬ ପ୍ରତିଶତ ହାନୀ ହୋଇଛି। 

 

 

Leave a Reply

Your email address will not be published. Required fields are marked *