ଷ୍ଟେଟ୍‌ବ୍ୟାଙ୍କ୍‌ର ନୂଆ ‘କରୋନା’ ଋଣ: ଜଣଙ୍କୁ ୨୦୦ କୋଟି ଯାଏ ଋଣ ସହାୟତା

ଭୁବନେଶ୍ଵର, (ଓଟି): କୋଭିଡ୍‌-୧୯ କରୋନା ଭୁତାଣୁ ସଂକ୍ରମଣରେ ଭାରତର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଚି। ନିର୍ମାଣଠାରୁ ଆରମ୍ଭ କରି ସେବା କ୍ଷେତ୍ରଯାଏ ସଙ୍ଗୀନ ପରିସ୍ଥିତି ଦେଇ ଗତି କରୁଛନ୍ତି। ଏଭଳି ପରିସ୍ଥିତି ଆଗକୁ ଅଧିକ ଉତ୍କଟ ହେବାର ଆଶଙ୍କା ରହିଛି। ତେବେ ଦେଶର ବ୍ୟବସାୟୀ ଓ ବ୍ୟକ୍ତି ସମୁଦାୟଙ୍କୁ ସହାୟ ହେବା ଲାଗି ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ୍‌ ଏକ ନୂଆ ଋଣ ଯୋଜନା ଘୋଷଣା କରିଛି। ଏହି ଯୋଜନା ବଳରେ ଜଣେ ବ୍ୟକ୍ତି ବା ଅନୁଷ୍ଠାନକୁ ବ୍ୟାଙ୍କ୍‌ ପକ୍ଷରୁ ୨୦୦ କୋଟି ଟଙ୍କା ଯାଏ ଋଣ ଯୋଗାଇ ଦିଆଯାଇ ପାରିବ। ଏହାପୁଣି ବାର୍ଷିକ ସର୍ବାଧିକ ୭.୨୫ ସୁଧ ହାର ବ୍ୟୟରେ। ଏହି ଋଣ ୧୨ ମାସ ଯାଏ ପ୍ରଦାନ କରାଯାଇ ପାରିବ ବୋଲି ଷ୍ଟେଟ୍‌ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ର୍ର୍ପିଟିଆଇ ରିପୋର୍ଟ ଅନୁସାରେ ଏସ୍‌ବିଆଇର ଏହି ଋଣ ୩୦ ଜୁନ୍‌ ଯାଏ ଖୋଲା ରହିବ। ଏହାକୁ ବ୍ୟାଙ୍କ ପକ୍ଷରୁ ଜରୁରୀକାଳୀନ ଋଣ ଯୋଗାଣ ବ୍ୟବସ୍ଥା ଭାବେ ନାମିତ କରାଯାଇଛି।

ଯେହେତୁ କୋଭିଡ୍‌-୧୯ ଦ୍ବାରା ଅନେକ ଋଣ ଗ୍ରହୀତାଙ୍କ କାର୍ଯ୍ୟ ପରିଚାଳନା ବାଧା ପାଇଛି ସେଥିଲାଗି ସେମାନଙ୍କୁ ଏହି ଋଣ ବ୍ୟବସ୍ଥା କରାଯାଇଚି। କିନ୍ତୁ ଏହି ଋଣ ରାଶି ସେମାନଙ୍କୁ ମିଳିବ ଯେଉଁମାନେ ସ୍ପେଶାଲ୍‌ ମେନ୍‌ସନ୍‌ ଆକାଉଣ୍ଟ-୧ ବା ୨ ଅନ୍ତର୍ଗତ ହୋଇ ନଥିବେ। ଅଥବା ଏମାନଙ୍କ ଆକାଉଣ୍ଟ ଏନ୍‌ପିଏ ଘୋଷଣା କରାଯାଇ ନଥିବ। ନିୟମ ଅନୁସାରେ ଏହି ଋଣ ପ୍ରଦାନର ସର୍ବାଧିକ ସୀମା ୨୦୦ କୋଟି ରହିଛି କିନ୍ତୁ ସଂସ୍ଥାର ପାଣ୍ଠି ଭିତ୍ତିକ ଆର୍ଥିକ ସୀମାକୁ ଦେଖି ୧୦ ପ୍ରତିଶତ ଋଣ ଦିଆଯାଇପାରିବ।

ନିକଟରେ ଫିକି ପକ୍ଷରୁ ହୋଇଥିବା ସର୍ବେକ୍ଷଣ ଅନୁସାରେ ଦେଶର ୫୦ ପ୍ରତିଶତ ସଂସ୍ଥା କରୋନା ଭୁତାଣୁ ଦ୍ଵାରା ପ୍ରଭାବିତ ହୋଇଛନ୍ତି। ପୁଣି ୮୦ ପ୍ରତିଶତ କମ୍ପାନୀଙ୍କ ପାଖକୁ ପୂବରୁ ଯେଉଁ ନଗଦ ଆସୁଥିଲା ସେଥିରେ ୮୦ ପ୍ରତିଶତ କମି ଯାଇଛି। ଏହି ପରିସ୍ଥିତିରେ ଷ୍ଟେଟ୍‌ବ୍ୟାଙ୍କର ଏହି ଯୋଜନା କମ୍ପାନୀମାନଙ୍କୁ ଅତ୍ୟାବଶ୍ୟକ ପାଣ୍ଠି ଯୋଗାଇବାରେ ସକ୍ଷମ ହେବ ବୋଲି ବ୍ୟାଙ୍କ କହିଛନ୍ତି।

Leave a Reply

Your email address will not be published. Required fields are marked *