କରୋନା ଚିନ୍ତା: ବଜାରକୁ ନଗଦ ଅର୍ଥ ଛାଡ଼ିବ ଆର୍‌ବିଆଇ!

ନୂଆଦିଲ୍ଲୀ (ଓଟି): କରୋନା ସଂକ୍ରମଣକୁ ନେଇ ବିଶ୍ୱବ୍ୟାପି ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ ଅର୍ଥନୀତି ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହେବାରେ ଲାଗିଛି । ରପ୍ତାନି ଆମଦାନୀ ଠାରୁ ଆରମ୍ଭ କରି ପୁଞ୍ଜି ନିବେଶ ପ୍ରକ୍ରିୟା ସର୍ବାଧିକ ଭାବେ ବାଧାପ୍ରାପ୍ତ ହୋଇଥିବାରୁ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଇବ ବୋଲି ବିଭିନ୍ନ ମହଲରେ ଆକଳନ କରାଯାଇଛି । ଏହାକୁ ନେଇ ବିଭିନ୍ନ ରାଷ୍ଟ୍ରମାନଙ୍କ ପକ୍ଷରୁ ଆବଶ୍ୟକ ବିତ୍ତୀୟ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଏଥିପାଇଁ ପ୍ରସ୍ତୁତି ହେଉଥିବା ଜଣାପଡ଼ିଛି । ଆର୍ଥିକ ମାନ୍ଦାବସ୍ଥା ପ୍ରଭାବରେ ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ସାମଗ୍ରିକ ଅଭିବୃଦ୍ଧି ପ୍ରକ୍ରିୟା ସଙ୍କୁଚିତ ହୋଇଛି ।  ତେବେ ଅର୍ଥନୀତି ବ୍ୟବସ୍ଥାକୁ  ତ୍ୱରାନ୍ୱିତ କରିବା ସହ ଆଗାମୀ ଦିନରେ ଉଚ୍ଚ ହାରରେ ଅଭିବୃଦ୍ଧି ହାସଲ ପାଇଁ ଲାଗି କେନ୍ଦ୍ର ସରକାର ବିଗତ ଦିନମାନଙ୍କରେ  ପଦକ୍ଷେପ ନେଇଥିଲେ ହେଁ କରୋନା ସଂକ୍ରମଣଜନିତ ପ୍ରଭାବ ଏବେ ଭାରତୀୟ ଅର୍ଥନୀତି ପାଇଁ ପୁଣି ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଦୀର୍ଘସୂତ୍ରୀ ରେପୋ ଅପରେସନ୍‌(ଏଲ୍‌ଟିଆର୍‌ଓ) ପଦ୍ଧତିରେ ବଜାରକୁ ନଗଦ ଅର୍ଥ ଛାଡିପାରନ୍ତି ବୋଲି କେତେକ ସୂତ୍ରରେ କୁହାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ବିଶ୍ୱର ୮୦ଟି ରାଷ୍ଟ୍ରରେ କରୋନା ଭାଇରସ୍ ସଂକ୍ରମିତ ହୋଇଥିବା ବେଳେ ସଂପୃକ୍ତ ରାଷ୍ଟ୍ରମାନଙ୍କ ବିତ୍ତୀୟ ବଜାର ଯେଭଳି ପ୍ରଭାବିତ ନହୁଏ ସେଥିନେଇ  ସେମାନେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଭାବେ ଫେଡେରାଲ ବ୍ୟାଙ୍କ କେରାନା ସ୍ଥିତିକୁ ନେଇ ସୁଧ ହାରରେ ୦.୫ ପ୍ରତିଶତ ହ୍ରାସ କରିଛି । ସେହପରି ଅଷ୍ଟ୍ରେଲିଆ ଏବଂ ମାଲେସିଆ ଆଦି ରାଷ୍ଟ୍ରମାନଙ୍କ ପକ୍ଷରୁ ସୁଧ ହାରରେ ହ୍ରାସ ଘୋଷଣା କରାଯାଇଥିଲା ବେଳେ ଜାପାନ କେନ୍ଦ୍ରୀୟ ବ୍ୟାଙ୍କ ବଜାରକୁ ଅଧିକ ନଗଦ ଅର୍ଥ ଛାଡିବାକୁ ଘୋଷଣା କରିଛି। ଏହିକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏପ୍ରିଲ ମାସ ସୁଦ୍ଧା ବଜାରକୁ ୧ ଲକ୍ଷ କୋଟି ଟଙ୍କା ଛଡାଯାଇପାରେ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *