ପ୍ରାୟୋଜିତ ଦିଲ୍ଲୀ ହିଂସା; ମୃତ୍ୟୁ ସଂଖ୍ୟା ୧୦

ନୂଆଦିଲ୍ଲୀ(ଓଟି): ସିଏଏ ବିରୋଧୀ ହିଂସା ବଢ଼ିବାରେ ଲାଗିଛି। ଉତ୍ତରପୂର୍ବ ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳରେ ଉପୁଜିଥିବା ହିଂସାକାଣ୍ଡରେ ୧୦ ଜଣଙ୍କ ଜୀବନ ଚାଲିଗଲାଣି। ସେହିପରି ୧୦୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଏହା ପ୍ରାୟୋଜିତ ହିଂସା ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତକୁ ଦୃଷ୍ଟିରେ ରଖି ଜାଣିଶୁଣି କେତେକ ଗୋଷ୍ଠୀ ଅଶାନ୍ତ ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ କରିଥିବା କୁହାଯାଉଛି। ଟ୍ରମ୍ପ୍‌ଙ୍କ ଦୁଇଦିନିଆ ଭାରତଗସ୍ତର ପ୍ରଥମ ଦିନ ସୋମବାରରୁ ହିଁ ଦିଲ୍ଲୀରେ ହିଂସା ବଢ଼ିଯାଇଥିଲା।

ଇତିମଧ୍ୟରେ ପୁଲିସ୍‌ ଉପରକୁ ଗୁଳି ଚଳେଇଥିବା ଶାହରୁଖ ନାମକ ଅଭିଯୁକ୍ତ ଗିରଫ ହୋଇଥିବାବଳେ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଶ୍ରୀ ଶାହଙ୍କୁ ଅବଗତ କରାଇଥିଲେ। ସମୀକ୍ଷା ବୈଠକରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବାଇଜାଲ ଓ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଦିଲ୍ଲୀ ବାହାରୁ ଅପରାଧିକ ଗୋଷ୍ଠୀ ପ୍ରବେଶ କରୁଥିବାରୁ ଦିଲ୍ଲୀ ସୀମା ସିଲ୍ କରିବା ଉଚିତ ବୋଲି କେଜ୍ରିୱାଲ କହିବା ସହ ଆହତଙ୍କ ଆଶୁ ଚିକିତ୍ସା ପାଇଁ ଦିଲ୍ଲୀର ସମସ୍ତ ଡାକ୍ତରଖାନାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ସର୍ବସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ଯୋଜନାବଦ୍ଧ ହିଂସା

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ଗସ୍ତବେଳେ ଦିଲ୍ଲୀରେ ହିଂସା ପାଇଁ ଯୋଜନା କରାଯାଇଥିଲା ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଷନ ରେଡ୍ଡୀ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ସୋମବାର ସକାଳେ ଦିଲ୍ଲୀର ମୌଜପୁର ଅଞ୍ଚଳରେ ସିଏଏ ବିରୋଧୀ ଆନ୍ଦୋଳନକାରୀ ଓ ସମର୍ଥକଙ୍କ ମଧ୍ୟରେ ଟେକା ପଥର ମାଡ଼ ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରୁଥିବାବେଳେ ପୁଲିସ୍ ହେଡ୍ କନଷ୍ଟେବଳ ରତନ ଲାଲ ଆକ୍ରମଣର ଶୀକାର ହୋଇ ପ୍ରାଣ ହରାଇଥିଲେ।

କଡ଼ା ସୁରକ୍ଷା ବ୍ୟବସ୍ଥା

ଅତି ସମ୍ବେଦନଶୀଳ ଉତ୍ତରପୂର୍ବ ଦିଲ୍ଲୀର ୧୨ଟି ଅଞ୍ଚଳରେ ଅଧିକ ୩୭ କମ୍ପାନୀ ସୁରକ୍ଷାକର୍ମୀ ନିୟୋଜିତ କରିବା ପାଇଁ ଗୃହ ବିଭାଗ ନିଷ୍ପତ୍ତି ନେଇଛି। ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ୩୦ଦିନ ପାଇଁ ୧୪୪ ଧାରା ଜାରି କରାଯାଇଛି। ଅନ୍ୟପକ୍ଷରେ ହିଂସାରେ ସାମିଲ୍‌ ନହେବାକୁ ଦିଲ୍ଲୀବାସୀଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *