ଦୋହଲୁଛି ଦିଲ୍ଲୀ, ଉଗ୍ର ହେଉଛି ହିଂସା
ନୂଆଦିଲ୍ଲୀ (ଓଟି): ଦେଶର ରାଜଧାନୀ ଦିଲ୍ଲୀ ସମ୍ପ୍ରତି ହିଂସାକାଣ୍ଡରେ ଥରହର। ବିଶେଷକରି ଉତ୍ତରପୂର୍ବ ଦିଲ୍ଲୀରେ ସଂଘର୍ଷ ବଢ଼ିବାରେ ଲାଗିଛି। ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ଧୀରେଧୀରେ ଉଗ୍ର ହେବାରେ ଲାଗିଛି। ଏହି ହିଂସାରେ ଜଣେ ପୁଲିସ ହେଡ୍ କନଷ୍ଟେବଳଙ୍କ ସମେତ ୯ ଜଣ ପ୍ରାଣ ହରାଇଲେଣି। ଏଥିସହ ଶତାଧିକ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ଏଭଳି ସନ୍ଧିକ୍ଷଣରେ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀର ସମସ୍ତ ପ୍ରବେଶ ପଥକୁ ସିଲ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବିନା ପରିଚୟପତ୍ରରେ କୌଣସି ବ୍ୟକ୍ତିଙ୍କୁ ଦିଲ୍ଲୀ ସହରକୁ ପ୍ରବେଶ ନକରାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ମୁତୟନ ହୋଇଥିବା ପୁଲିସ ହିଂସାରେ ଲିପ୍ତ ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ହିଂସା ବୃଦ୍ଧି ପାଉଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରକାଶ କରିବା ସହ ଘଟଣା ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଅବଗତ କରାଯାଇଥିବା କହିଛନ୍ତି।