‘ବିଶ୍ଵ ପାଇଁ ବିପଦ- ଆତଙ୍କବାଦ’
ଅହମ୍ମଦାବାଦ (ଓଟି): ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ବିପଦ। ସେ ବିରୋଧରେ ଲଢେ଼ଇ ଜାରି ରହିବ। ଦୁଇ ବନ୍ଧୁ ରାଷ୍ଟ୍ର ଭାରତ-ଆମେରିକା ମିଳିତ ଭାବେ ଆତଙ୍କବାଦ ବିରୋଧରେ ଲଢେ଼ଇ କରିବେ। ଆତଙ୍କବାଦକୁ ଆଦୌ କ୍ଷମା କରାଯିବନି। ମୋଟେରା ଷ୍ଟାଡିୟମ୍ରେ ଉଦ୍ବୋଧନ ଦେବା ଅବସରରେ ରାଷ୍ଟ୍ରପତି ଟ୍ରମ୍ପ୍ ଏଭଳି ମତବ୍ୟକ୍ତ କରିବା ସହ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି।
ଟ୍ରମ୍ପ୍ କହିଛନ୍ତି ଯେ କଠୋର ଇସଲାମିକ ଆତଙ୍କବାଦୀଙ୍କୁ ସମୂଲେ ନାଶ କରିଦିଆଯିବ। ଆତଙ୍କବାଦୀ ବିରୋଧରେ ପାକିସ୍ତାନ ପଦକ୍ଷେପ ନେବା ସହ ସେଥିରେ ଲଗାମ ଲଗାଉ। ଏଥିସହ ବିଶ୍ଵରେ ଆତଙ୍କ ଖେଳାଇଥିବା କୁଖ୍ୟାତ ଆତଙ୍କବାଦୀ ବାଗଦାଦୀକୁ ଆମେରିକା ନିପାତ କରିଥିବା ସମ୍ପର୍କରେ ଟ୍ରମ୍ପ୍ ସୂଚନା ଦେଇଛନ୍ତି। ଆତଙ୍କବାଦର ବିପଦରୁ ନାଗରିକମାନଙ୍କୁ ରକ୍ଷା କରିବା ଲାଗି ଭାରତ-ଆମେରିକା ଲଢ଼େଇ କରିବେ ବୋଲି ଟ୍ରମ୍ପ୍ ସ୍ପଷ୍ଟ କରିଛନ୍ତି।