ବାହାରିଥିଲେ ଶ୍ରୀକ୍ଷେତ୍ର, ହୋଇଗଲା ଶେଷଯାତ୍ରା
ବଲାଙ୍ଗିର(ଓଟି): ରାସ୍ତାକଡ଼ରେ ଠିଆ ହୋଇଥିଲା ଟ୍ରକ୍। ଆଉ ପଛରୁ ଆସି ବାଡ଼େଇ ହେଲା ବୋଲେରୋ। ଫଳରେ ଅକାଳରେ ଚାଲିଗଲା ଦୁଇଜଣଙ୍କ ଜୀବନ। ଖାଲି ସେତିକି ନୁହେଁ ଗୁରୁତର ଆହତ ହୋଇଛନ୍ତି ୭ଜଣ। ବଲାଙ୍ଗିର-ସୋନପୁର ରାସ୍ତା ବଇରାସ ନିକଟରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଶକୁନ୍ତଳା ସାହୁ ଓ ତେଜ୍ ବାଗ୍। ମୃତାହତମାନେ ପାଟଣାଗଡ଼ ଥାନା ଅନ୍ତର୍ଗତ ଘୁମେର ଗାଁର। ଶନିବାର ରାତିରେ ଗାଁର ୧୫ ଜଣ ମହିଳା ଓ ପୁରୁଷ ଉକ୍ତ ବୋଲେରୋରେ ପୁରୀ ଅଭିମୁଖେ ଯାଉଥିଲେ। ତେବେ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପୂର୍ବରୁ ୨ଜଣଙ୍କ ଶେଷଯାତ୍ରା ହୋଇଯିବ! ଏକଥା ଭାବିବା ବେଳକୁ ଓ ଦୁର୍ଘଟଣା କଥା କହିବା ବେଳକୁ ଆହତମାନଙ୍କ ଆଖିରେ ଲୁହ ଆସିଯାଉଛି। ପରିସ୍ଥିତି ଶୋକାକୁଳ ହୋଇପଡ଼ିଛି। ଠିଆ ହୋଇଥିବା ଟ୍ରକ୍କୁ ବୋଲେରୋ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ଶକୁନ୍ତଳା ଓ ତେଜ୍ଙ୍କ ମୃତ୍ୟୁ ହୋଇଯାଇଥିଲା। ସମସ୍ତ ଆହତଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।