ଗଡ଼ିବ ଦ୍ରୁତଗାମୀ ଟ୍ରେନ୍, ନିର୍ମାଣ ଚାଲିଛି ଡିଏଫ୍ସି କରିଡର
ନୂଆଦିଲ୍ଲୀ(ଓଟି): ଉଭୟ ପାସେଞ୍ଜର ଓ ମାଲବାହୀ ଦ୍ରୁତଗାମୀ ଟ୍ରେନ୍ ଚଳାଚଳ ପାଇଁ ପ୍ରାଧାନ୍ୟ ଦିଆଯାଇଛି। ଏଥିପାଇଁ ଭିତ୍ତିଭୂମିର ତ୍ୱରିତ ବିକାଶ ସହ ‘ଡେଡିକେଟେଡ୍ ଫ୍ରେଟ୍ କରିଡର୍’(ଡିଏଫ୍ସି) ସୁବିଧା ପ୍ରସ୍ତୁତ କରାଯାଉଛି। ସୂଚନା ଅନୁସାରେ ୩ ହଜାର କିମି ବିଶିଷ୍ଟ ଡିଏଫସି ନିର୍ମାଣ କରାଯାଉଥିବା ବେଳେ ଖୁବ୍ଶୀଘ୍ର ଭାରତୀୟ ଯାତ୍ରୀ ଏହାର ସେବା ପାଇବେ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋଏଲ ସଂସଦରେ ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପ ଡେଡିକେଟେଡ୍ ଫ୍ରେଟ୍ କରିଡର କର୍ପୋରେସନ୍ ଅଫ୍ ଇଣ୍ଡିଆ(ଡିଏଫ୍ସିସିଆଇଏଲ୍) ଦ୍ୱାରା ନିର୍ମାଣ କରାଯାଉଥିବା ବେଳେ ଏହି କରିଡରରେ ଯେକୌଣସି ଟ୍ରେନ୍ ଘଣ୍ଟା ପ୍ରତି ୧୦୦ କିମି ବେଗରେ ଗତି କରିପାରିବ । ଏହାବ୍ୟତୀତ ନୂଆଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ- ହାଓଡା ରୁଟ୍ରେ ଘଣ୍ଟା ପ୍ରତି ୧୬୦ କିମି ବେଗରେ ଗତି କରିବା ଭଳି ଟ୍ରାକ୍ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ଅଗଷ୍ଟ ମାସରେ ଅନୁମୋଦନ ଦିଆଯାଇଥିବା ଶ୍ରୀ ଗୋଏଲ କହିଛନ୍ତି। ଏହିସବୁ ରୁଟ୍ ସ୍ୱର୍ଣ୍ଣ ଚତୁର୍ଭୁଜ କ୍ଷେତ୍ରର ଅଂଶ ବିଶେଷ ହୋଇଥିବା ବେଳେ ଦେଶର ମୋଟ ରେଳ ନେଟୱର୍କର ୧୬ ପ୍ରତିଶତ ଭାଗ ଦଖଲ କରିଛି । ତେଣୁ ଏହିସବୁ ରୁଟ୍ରେ ଦ୍ରୁତଗାମୀ ଟ୍ରେନ୍ ଚଳାଚଳ କଲେ ଅନେକ ସ୍ଥାନକୁ ଯାତ୍ରା ପାଇଁ କମ୍ ସମୟ ଲାଗିବା ସହିତ ଯାତ୍ରୀମାନେ ମଜା ଉଠାଇପାରିବେ ବୋଲି ଗୋଏଲ କହିଛନ୍ତି।