ରେଳ କ୍ଷେତ୍ରରେ ‘ପିପିପି’କୁ ଗୁରୁତ୍ୱ

ନୂଆଦିଲ୍ଲୀ: ଭାରତୀୟ ରେଳ ଚଳାଚଳ କ୍ଷେତ୍ରକୁ ଅଧିକ ସ୍ମାର୍ଟ କରାଯିବା ଲକ୍ଷ୍ୟରେଏଣିକି ପିପିପି ( ପବ୍ଲିକ୍-ପ୍ରାଇଭେଟ୍- ପାର୍ଟନରସିପ୍) ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯିବ । ଏହି ବ୍ୟବସ୍ଥାରେ ଅଧିକ ପରିମାଣର ଘରୋଇ ନିବେଶକାରୀଙ୍କୁ ପ୍ରୋତ୍ସାହିତ କରାଯାଇ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଏଣିକି କେନ୍ଦ୍ର ସରକାର ଗୁରୁତ୍ୱ ଦେବେ ବୋଲି ରେଳ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି । ସାଧାରଣ ଭାବେ ଭାରତୀୟ ରେଳ ଚଳାଚଳ କ୍ଷେତ୍ରରେ ବିଳମ୍ବତା, ସମୟାନୁଯାୟୀ ଟ୍ରେନ୍ ଚଳାଚଳରେ ବ୍ୟାଘାତ ଏବଂ ଧିମାଗତିକୁ ନେଇ ଯାତ୍ରୀମାନେ ସବୁ ସମୟରେ ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ଏଭଳି ଢଙ୍ଗରେ ପରିବର୍ତ୍ତନ ଆଣି କ୍ଷିପ୍ର ହେବାକୁ ପଡ଼ିବ ବୋଲି ସେ କହିଛନ୍ତି । ଧିମାଗତି ଯୁଗର ଶେଷ କରାଯାଇ ପ୍ରତ୍ୟେକ ରୁଟ୍ରେ ଅଧିକ ବେଗ ଗତି ସମ୍ପନ୍ନ ଟ୍ରେନ୍ ଚଳାଚଳ ପାଇଁ ବ୍ୟବସ୍ଥା କରାଯିବା ସହିତ ମେଟ୍ରୋ ସହରମାନଙ୍କରେ ଚଳାଚଳ କରୁଥିବା ମେମୁ ଏବଂ ଇଲେକ୍ଟ୍ରିକ୍ ଟ୍ରେନ୍ ଭଳି ଇଞ୍ଜିନ୍ ବ୍ୟବସ୍ଥା କରାଯିବ । ଆସନ୍ତା ୧୨ ବର୍ଷ ମଧ୍ୟରେ ରେଳ ଚଳାଚଳ କ୍ଷେତ୍ରରେ ପ୍ରାୟ ୫୦ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରାଯାଇଥିବା ବେଳେ ଘରୋଇ ପୁଞ୍ଜି ନିବେଶକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ଗୋଏଲ କହିଛନ୍ତି । ତେବେ ରେଳବାଇରେ ଘରୋଇକରଣକୁ ନେଇ ବିଭିନ୍ନ ସ୍ତରରେ ବିରୋଧ ଦେଖାଯାଉଥିବା ବେଳେ ଏହା କିଭଳି ସମ୍ଭବ ହେବ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ସାଧାରଣ ଲୋକ କିମ୍ବା ଯାତ୍ରୀମାନଙ୍କ ପକ୍ଷରୁ ଏନେଇ କୌଣସି ବିରୋଧ ଦେଖାଯାଉ ନାହିଁ ବରଂ ଅତ୍ୟାଧୁନିକ ରେଳସେବା ପାଇଁ ବ୍ୟବସ୍ଥା ଗ୍ରହଣ କରିବା କ୍ଷେତ୍ରରେ ସାଧାରଣ ଲୋକଙ୍କ ଉତ୍ସାହ ରହିଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *