କେନ୍ଦ୍ରାପଡ଼ାରେ ଆରମ୍ଭ ହେଲା ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀମେଳା

କେନ୍ଦ୍ରାପଡା଼,(ଓଟି):କେନ୍ଦ୍ରାପଡ଼ା ସ୍ୱୟଂଶାଶୀତ ମହାବିଦ୍ୟାଳୟର ଖେଳ ପଡ଼ିଆରେ ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଆରମ୍ଭ ହୋଇଛି । ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗ ଓ ପାନୀୟ ଜଳ ବିଭାଗ(ଓରମାସ), ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହେଉଥିବା ଏହି ରାଜ୍ୟ ସ୍ତାରୀୟ ପଲ୍ଲୀଶ୍ରୀ ମେଳାର ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ମେଳାକୁ ଉଦ୍ଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧୃବ ଚରଣ ସାହୁ, ପାଟକୁରା ବିଧାୟକ ସାବିତ୍ରୀ ଅଗ୍ରୱାଲ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲାପରିଷଦ ସଭାପତି ମାନସ କୁମାର ପରିଡ଼ା ପ୍ରମୁଖ ଉଦ୍ଘାଟନ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।

ପଲ୍ଲୀଶ୍ରୀ ମେଳାରେ ୨ଶହଟି ଷ୍ଟଲ ଲାଗିଛି । କେନ୍ଦ୍ରାପଡ଼ା ଜିଲ୍ଲାର ୮୦ ସ୍ୱୟଂ ସହାୟକ ଗୋଷ୍ଠି ପଲ୍ଲୀଶ୍ରୀ ମେଳାରେ ଭାଗ ନେଇଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୨୦ଟି ସ୍ୱୟଂ ସହାୟକ ଗୋଷ୍ଠି ଯୋଗଦେଇଛନ୍ତି । ମେଳାର ଉଦ୍ଘାଟନ ଉତ୍ସବରେ ଗଞ୍ଜାମ ଜିଲ୍ଲା ନରେନ୍ଦ୍ରପୁରର ଗଙ୍ଗେଶ୍ୱର ଯୁଗଳ ଶଂଖବାଦ୍ୟ ଲୋକନୃତ୍ୟ କଳା ଅନୁଷ୍ଠାନ ପକ୍ଷରୁ ଯୋଡ଼ି ଶଂଖ ବାଦନ କରାଯିବା ସହ ରଣପା ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଏଥିସହ ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ ମଧ୍ୟ ପ୍ରଦଶିତ ହୋଇଥିଲା । ଏହି ପଲ୍ଲୀଶ୍ରୀ ମେଳା ୨୬ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ଅନୁଷ୍ଠିତ ହେବ ଓ ମେଳା ମଣ୍ଡପରେ ପ୍ରତିଦିନ ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ଜିଲ୍ଲାର କଳାକାରଙ୍କ ଦ୍ୱାରା ସଂସ୍କୃତି କାର୍ଯକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *