ରୋଷେଇ – ଚଟପଟା ବୁଟଡାଲି
ଆବଶ୍ୟକୀୟ ଜିନିଷ – ୨ କପ୍ ବୁଟଡାଲି, ୧ ଚାମଚ ଲଙ୍କା ଗୁଣ୍ଡ, ୧ ଚାମଚ କଳାଲୁଣ, ୧ ଚାମଚ ସାଧାରଣ ଲୁଣ, ୧/୨ ଚାମଚ ହଳଦୀ ଗୁଣ୍ଡ, ୧ ଚାମଚ ଚାଟ୍ ମସଲା ଓ ଛାଣିବା ପାଇଁ ତେଲ ।
ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ବଡ଼ ବାଉଲରେ ପାଣି ନେଇ ବୁଟଡାଲିକୁ ରାତିସାରା ଭିଜାଇ ରଖନ୍ତୁ । କିମ୍ବା ୬-୭ ଘଣ୍ଟା ଭିଜାଇବା ପରେ ଭଲ ଭାବେ ଧୋଇଦିଅନ୍ତୁ । ୨-୩ ଥର ବୁଟଡାଲିକୁ ଧୋଇବା ପରେ ତାହାକୁ ଗୋଟିଏ ବଡ଼ ଥାଲିରେ ରଖି ତା’ ଉପରେ ଗୋଟିଏ ସଫା କପଡ଼ା ପକାଇ ବୁଟଡାଲିକୁ ଶୁଖାନ୍ତୁ । ଖରାରେ କିମ୍ବା ଫ୍ୟାନ୍ ତଳେ ଏହାକୁ ଶୁଖାଇ ପାରିବେ । ଏହା ସମ୍ପୂର୍ଣ୍ଣ ଶୁଖିବା ପରେ ହାତକୁ ଗୋଟି ଗୋଟି ଓ ହାଲକା ଲାଗିବ । ଏହାପରେ କରେଇରେ ତେଲ ଗରମ କରନ୍ତୁ । ଏହି ବୁଟଡାଲିରୁ ଅଳ୍ପ ନେଇ ଗୋଟିଏ ଛଣା ସହାଯ୍ୟରେ ତେଲରେ ପକାଇ ଛାଣନ୍ତୁ । ଛାଣିବା ସମୟରେ ଗ୍ୟାସର ଆଂଚକୁ ଲୋ ମିଡିୟମରେ ରଖନ୍ତୁ । ଏଭଳି ଅଳ୍ପ ଅଳ୍ପ ଛାଣିବା ପରେ ଗୋଟିଏ ବଡ଼ ବାଉଲରେ ଛଣା ବୁଟଡାଲିକୁ ରଖି ସେଥିରେ ଅନ୍ୟସବୁ ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଚଟପଟା ବୁଟଡାଲି । (ସବୁ ବୁଟଡାଲିକୁ ଏକାଥରକେ ଭାଜିବାକୁ ଚାହୁଁନଥିଲେ ବୁଟଡାଲିକୁ ଶୁଖାଇବା ପରେ ଆପଣ ତାହାକୁ ଯେ କୌଣସି ଏୟାର୍ ଟାଇଟ୍ ଡବାରେ ରଖିପାରିବେ । ଯେ କୌଣସି ସମୟରେ ବୁଟଡାଲିକୁ ଛାଣି କ୍ରିସପି ଚଟପଟା ବୁଟଡାଲି ପ୍ରସ୍ତୁତ କରିପାରିବେ) ।