ସର୍ବଆତ୍ମା ନନ୍ଦିଘୋଷ ବିଜେ ତହିଁ ଜଗନ୍ନାଥ…

ଆଷାଢ ଶୁକ୍ଲପକ୍ଷ ଦ୍ୱିତୀୟା, ଶ୍ରୀମନ୍ଦିରର ଶ୍ରୀଙ୍କୁ ଛାଡ଼ି ଚତୁର୍ଦ୍ଧାମୂରତି ବାଇଶି ପାହଚରୁ ଓହ୍ଲାଇ ଆସନ୍ତି ଭକ୍ତମାନଙ୍କ କୋଳାହଳ ଶୁଣିବା ପାଇଁ । କାଳିଆ ସାଆନ୍ତଙ୍କ ଏହି ଲୀଳାଖେଳା ଦେଖିଲେ ମନେ ହୁଏ ସତେଯେପରି ଦ୍ୱାପର ଯୁଗର ସେହି ଅଝଟ କଳାକାହ୍ନୁ ପୁଣିଥରେ ଗୋପଦାଣ୍ଡରେ ମା’ ଯଶୋଦାଙ୍କୁ ଧରା ନଦେବା ପାଇଁ ଇତସ୍ତତଃ ହୋଇ ଧାଉଁଛନ୍ତି ଏବଂ ଗୋପବାସୀ ଲବଣୀଚୋରଙ୍କ ଏହି ଖେଳ ଦେଖିବା ପାଇଁ ଅପଲକ ନୟନରେ ଚାହିଁ ରହିଛନ୍ତି । ୨୨ଟି ଗୁଣର ସମାହାର ବାଇଶି ପାହାଚ ଦେଇ ଆସିବା ବେଳେ ଲାଗେ ସତେ ଯେମିତି ମହାବାହୁ ଭକ୍ତ ଓ ଭକ୍ତିର ପରାକାଷ୍ଠାର ପ୍ରମାଣ ନିଜେ ନେଇ ଆସୁଛନ୍ତି । ଭକ୍ତମାନଙ୍କର ଅତି ନିଜର କାଳିଆ ଗୋସେଇଁ ରଥଯାତ୍ରାରେ ଏହି ସନ୍ଦେଶ ଦିଅନ୍ତି – ‘ବ୍ରହ୍ମ ସତ୍ୟ ଜଗତ ମିଥ୍ୟା’ । ପ୍ରସ୍ତୁତ ହୋଇ ଅପେକ୍ଷା କରି ରହିଛି ରଥ । ଭକ୍ତମାନଙ୍କର ଅତି ସ୍ନେହର କାଳିଆ ହାତି ଝୁଲି ଝୁଲି ଆସିବେ ଏବଂ ରଥରେ ଉପବିଷ୍ଟ ହେବେ । ଏହି ଅଲୌକିକ ଦୃଶ୍ୟର ଗରିମା ବର୍ଣ୍ଣନା କରିବାକୁ ଯାଇ ଶାସ୍ତ୍ରରେ ମହାମନୀଷୀମାନେ ଉଲ୍ଲେଖ କରିଛନ୍ତି – ରଥେ ତୁ ବାମନଂ ଦୃଷ୍ଟା ପୁନର୍ଜନ୍ମଂ ନ ଭବତେ’ । ସାଂସାରିକରୁ ଆଧ୍ୟାତ୍ମିକତା ଆଡ଼କୁ ପଥ ଦେଖାଉଥିବା ଏହି ମହାନ ପର୍ବ ରଥଯାତ୍ରାର ଇତିହାସ କ’ଣ, କାହିଁକି ଆରମ୍ଭ ହେଲା ଏହି ବିଶ୍ୱପ୍ରସିଦ୍ଧ ଯାତ୍ରା । ରଥଯାତ୍ରାର ସେଭଳି କିଛି ଅଜଣା ତଥ୍ୟକୁ ନେଇ ଆଜିର ବିଶେଷ ଆଲେଖ୍ୟ –

କିଭଳି ଆରମ୍ଭ ହେଲା ରଥଯାତ୍ରା –
ପୌରାଣିକ ଆଖ୍ୟାନ ଅନୁଯାୟୀ ଶ୍ରାକୃଷ୍ଣଙ୍କ ଦେହତ୍ୟାଗ ପରେ ପୂର୍ଣ୍ଣବ୍ରହ୍ମ ସ୍ୱରୂପ ତାଙ୍କର ନାଭିକମଳ ଅଗ୍ନିରେ ଭସ୍ମ ହୋଇପାରିନଥିଲା । ଶୂନ୍ୟବାଣୀ ହୋଇଥିଲା ଯେ କୃଷ୍ଣଙ୍କ ନାଭି କମଳକୁ ଭସ୍ମ କରିବାର ସମାର୍ଥ୍ୟ ଅଗ୍ନିଙ୍କର ନାହିଁ । ତେଣୁ ତାହାକୁ ମହୋଦଧିରେ ବିସର୍ଜନ କରିଆସ । ପାଣ୍ଡବମାନେ ତାହାହିଁ କରିଥିଲେ ଏବଂ କୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁ ରୂପରେ ବାଙ୍କୀ ତଟ ସମୁଦ୍ର ମୁହାଣରେ ଆବିର୍ଭାବ ହୋଇଥିଲା । ଇନ୍ଦ୍ରଦ୍ୟୁମ୍ନ ସେହି ଦାରୁକୁ ଆଣି ଶ୍ରୀବିଗ୍ରହ ନିର୍ମାଣ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିଥିଲେ । ମୂର୍ତ୍ତି ଗଢିବା ପାଇଁ ବିଶ୍ୱକର୍ମା ଜଣେ ବୃଦ୍ଧ ବେଶରେ ଆସିଥିଲେ । କିନ୍ତୁ ସର୍ତ୍ତ ଥିଲା ଯେ ୧୫ ଦିନ ପର୍ଯ୍ୟନ୍ତ ଦ୍ୱାର ଖୋଲାଯିବ ନାହିଁ । କିନ୍ତୁ ଦିନେ ଭିତରୁ କିଛି ଶବ୍ଦ ନଶୁଭିବା କାରଣରୁ ଦ୍ୱାର ଖୋଲିଦିଆ ଯାଇଥିଲା । ଯାହା ଫଳରେ ଦାରୁଦିଅଁ ଅଧାଗଢ଼ା ହୋଇ ରହିଥିଲେ । ସେହି ସମୟରେ ଶୂନ୍ୟବାଣୀ ହୋଇଥିଲା – ‘ହେ ରାଜା, ବର୍ଷକୁ ଥରେ ମୋତେ ଜନ୍ମଭୂମିକୁ ଆଣିବ’ । ସେହି ସମୟରୁ ଆରମ୍ଭ ହୋଇଥିଲା ଏହି ମହାନ ଘୋଷଯାତ୍ରା ବା ଗୁଣ୍ଡିଚା ଯାତ୍ରା ।

ପୂର୍ବରୁ କିଭଳି ହେଉଥିଲା ରଥଯାତ୍ରା –
ଖ୍ରୀ.ଅ ଅଷ୍ଟମ ବା ନବମ ଶତାବ୍ଦୀରେ ସୋମବଂଶୀ ରାଜା ଯଯାତି କେଶରୀଙ୍କ ସମୟରେ ହେଉଥିବା ରଥଯାତ୍ରାର କିଛି ତଥ୍ୟ ୧୮୫୯ ମସିହାରେ ଭିକାରୀ ପଟ୍ଟନାୟକଙ୍କ ରଚିତ ‘ରଥ ଚକଡ଼ା’ ପୋଥିରେ ଲିପିବଦ୍ଧ ହୋଇରହିଛି । ଏହି ପାଣ୍ଡୁ ଲିପି ଅନୁଯାୟୀ ୩ ଠାକୁର ୨ ହାତ ୧୦ ଆଙ୍ଗୁଳିର ଥିଲେ ଏବଂ ରଥଗୁଡ଼ିକ ୧୮ ହାତ ଉଚ୍ଚ ଥିଲା । ୩ଟି ରଥ ସମାନ ଥିଲା । ସେହି ସମୟରେ ୬ଟି ରଥ ପ୍ରସ୍ତୁତ ହେଉଥିଲା ଏବଂ ସେଥିମଧ୍ୟରୁ ୩ଟି ରଥ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିଲା । ଇନ୍ଦ୍ରଦ୍ୟୁମ୍ନ ପାଟଣାରେ ୩ଟି ରଥ ତିଆରି କରାଯାଉଥିଲା । ଏହା ଚାରିଚକିଆ ଶଗଡ଼ି ସଦୃଶ ଥିଲା । ଏହି ୩ ରଥ ମାଳିନୀ ବା ବଡ଼ ନଇର ଉତ୍ତର ଭୂମିରେ ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ଘରକୁ ଯାଉଥିଲା । ସିଂହଦ୍ୱାର ଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିବା ରଥ ୧୬ ଚକିଆ, ୧୪ ଚକିଆ ଓ ୧୨ ଚକିଆ ହେଉଥିଲା । ରଥ ଉପରେ ସୁନାରେ ନିର୍ମିତ ତିନିବେଣ୍ଟିଆ ଧ୍ୱଜ କଳସ ଲାଗୁଥିଲା । କନକ ମୁଣ୍ଡାଇରେ ରତ୍ନ ଚାନ୍ଦୁଆ ଟଣାଯାଉଥିଲା । ଅନ୍ୟ ଏକ ଛୋଟ ରଥରେ ବଜନ୍ତରୀ, ରଥ ଘଣ୍ଟୁଆ ଓ ବାଦ୍ୟକାରମାନେ ଆଗେ ଆଗେ ଯାଉଥିଲେ । ପଛରେ ଏହି ୩ ରଥକୁ ଭକ୍ତମାନେ ଟାଣି ନେଉଥିଲେ । ରଥରେ ଚାଉଳ, ନଡ଼ିଆ ଓ ଖଣ୍ଡ ପଡ଼ି ଭୋଗ ହେଉଥିଲା, ଯାହାକି ସେଠାରେ ଉପସ୍ଥିତ ଭକ୍ତମାନଙ୍କ ମଧ୍ୟରେ ବାଣ୍ଟିଦିଆ ଯାଉଥିଲା । ରଥ ବଳଗଣ୍ଡିଠାରେ ପହଞ୍ଚିବା ପରେ ଠାକୁରମାନେ ଦୋଳଚାପରେ ନଈ ପାର ହୋଇ ଆରପଟକୁ ଯାଉଥିଲେ । ସେଠାରେ ୪ ଚକିଆ ଶଗଡ଼ ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ବିଜେ ହେଉଥିଲେ । ସେଠାରେ ୭ଦିନ ରହିବା ପରେ ବାହୁଡ଼ା ଯାତ୍ରା ଆରମ୍ଭ କରାଯାଉଥିଲା ।

ଆଉ ଏକ ପ୍ରାଚୀନ ତଥ୍ୟ ଚୈତନ୍ୟ ଚରିତାମୃତ ଗ୍ରନ୍ଥର ରଚୟିତା କବିରାଜ କୃଷ୍ଣ ଦାସଙ୍କ ପାଣ୍ଡୁଲିପି ଅନୁଯାୟୀ ସେହି ସମୟରେ ଘଣ୍ଟା, ଘଣ୍ଟି ଓ କିଙ୍କିଣି ବାଦ୍ୟ ସହିତ ରଥଯାତ୍ରା ଆରମ୍ଭ ହେଉଥିଲା । କେବଳ ଦଇତାପତିମାନେ ଠାକୁରଙ୍କୁ ପହଣ୍ଡି କରାଉଥିଲେ । ଶ୍ରୀଜଗନ୍ନାଥଙ୍କ ବାହକ ଦଇତାମାନେ ମତ୍ତହସ୍ତି ତୁଲ୍ୟ ଶକ୍ତିଶାଳୀ ଥିଲେ । ପହଣ୍ଡି ସମୟରେ ପହଣ୍ଡି ସ୍ଥାନ ଠାରୁ ରଥ ପର୍ଯ୍ର‌୍ୟନ୍ତ ତୁଳା ନିର୍ମିତ ଉଚ୍ଚାଗଦି ବିଛା ଯାଉଥିଲା ଏବଂ ଦଇତାମାନେ ଜଗନ୍ନାଥଙ୍କୁ ଗୋଟିଏ ଗଦିରୁ ଆର ଗଦି ଉପରକୁ ବହନ କରି ନେଉଥିଲେ । ସେହି ସମୟରେ ଗଦି ଫାଟିବାର ଜୋର୍ ଶଦ୍ଦ ସାଙ୍ଗକୁ ଗଦିଗୁଡ଼ିକ ଫାଟି ଆକାଶରେ ତୁଳା ଉଡ଼ିବା ସମୟରେ ଏକ ଅଲୌକିକ ପରିବେଶ ସୃଷ୍ଟି ହେଉଥିଲା । ଏହି ପରିବେଶକୁ ଗୀତ ଆକାରରେ ଲେଖାଯାଇଛି –
‘ଉଚ୍ଚ ଦୃଢ଼ ତୁଲୀ ସବ ପାତି ସ୍ଥାନେ ସ୍ଥାନେ
ଏକ ତୁଲୀ ହୈତେ ତ୍ୱରାୟ ଆର ତୁଲୀତେ ଆନେ
ପ୍ରଭୁ ପଦାଘାତେ ତୁଲୀ ହୟ ଖଣ୍ଡ ଖଣ୍ଡ
ତୁଲୀ ସବ ଉଡ଼ି ଯାୟ ଶବ୍ଦ ହୟ ପ୍ରଚଣ୍ଡ’ ।

ବର୍ତ୍ତମାନ ଭଳି ସେ ସମୟରେ ରାଜା ରଥ ଉପରେ ଛେରାପହଁରା କରୁନଥିଲେ । ରାଜା ରଥ ତଳେ ଛିଡ଼ା ହୋଇ ଛେରା ପହଁରା କରୁଥିଲେ । ପ୍ରତାପରୁଦ୍ର ଦେବ ନିଜେ ସୁଗନ୍ଧ ଓ ଚନ୍ଦନ ଜଳ ସିଞ୍ଜନ କରି ସୁନା ଛାଉଁଣୀରେ ଛେରାପହଁରା କରୁଥିଲେ । ସେ ସମୟରେ ରଥ ଟାଣିବା ପାଇଁ ଗୌଡ଼ ନାମକ ସମ୍ପ୍ରଦାୟଙ୍କୁ ନିଯୁକ୍ତ କରାଯାଇଥିଲା । ଏହା ସହିତ ହାତୀମାନଙ୍କ ଦ୍ୱାରା ରଥ ଟଣା ଯାଉଥିଲା । ଶ୍ରୀଚୈତନ୍ୟ ଏକସଙ୍ଗରେ ୭ଟି ଦଳରେ ନୃତ୍ୟ କରୁଥିବାର ଆଲୌକିକ ଦୃଶ୍ୟ ପ୍ରତୀୟମାନ ହୋଇଥିଲା । ବଳଗଣ୍ଡିଠାରେ ରଥ ଅଟକିବା ପରେ ସେଠାରେ ପ୍ରଚୁର ମାତ୍ରାରେ ଭୋଗ ଲଗାଯିବାର ପରମ୍ପରା ମଧ୍ୟ ପ୍ରଚଳିତ ଥିଲା ।

ନବଦିନାତ୍ମକ ଯାତ୍ରାରେ ଶ୍ରୀଜଗନ୍ନାଥଙ୍କ ୯ଟି ସ୍ୱରୂପ ଏବଂ ୯ଦିନର ମହତ୍ତ୍ୱ –
ନବଦିନାତ୍ମକ ଯାତ୍ରା ବା ଘୋଷଯାତ୍ରା ଆଷାଢ଼ ଶୁକ୍ଲ ଦ୍ୱିତୀୟାଠାରୁ ଆରମ୍ଭ ହୋଇ ଆଷାଢ଼ ଶୁକ୍ଲ ନବମୀ ପର୍ଯ୍ୟନ୍ତ ଚାଲିଥାଏ । ଏହି ସମୟ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ଡିଚା ମନ୍ଦିରରେ ପୂଜା ପାଆନ୍ତି । ଏହି ୯ ଦିନରେ ଶ୍ରୀଜଗନ୍ନାଥ ୯ଟି ସ୍ୱରୂପରେ ପୂଜା ପାଇଥାନ୍ତି । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ରଥଯାତ୍ରା ସହିତ ନବଗ୍ରହମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଓ ମୁଖ୍ୟ ସମ୍ପର୍କ ଅଛି । ଆମର ପ୍ରତ୍ୟେକ ବାରର ନାମକରଣ ପ୍ରତ୍ୟେକ ଗ୍ରହ ଅନୁଯାୟୀ ହୋଇଛି । ତେଣୁ ଏହି ରଥଯାତ୍ରା ପ୍ରତ୍ୟେକ ବାରକୁ ଅତିକ୍ରମ କରି ଆସିଥାଏ । ଏହି ବାର ଅନୁଯାୟୀ ଶ୍ରୀଜଗନ୍ନାଥଙ୍କ ୯ଟି ସ୍ୱରୂପ ପୂଜା ପାଇଥାନ୍ତି । ସୋମବାର ଦିନ ଚନ୍ଦ୍ରଙ୍କ ସ୍ୱରୂପ, ମଙ୍ଗଳବାର ଦିନ ମଙ୍ଗଳଙ୍କ ସ୍ୱରୂପ, ବୁଧବାର ଦିନ ବୁଧଙ୍କ ସ୍ୱରୁପ, ଗୁରୁବାର ଦିନ ବୃହଷ୍ପତିଙ୍କ ସ୍ୱରୂପ, ଶୁକ୍ରବାର ଦିନ ଶୁକ୍ରଙ୍କ ସ୍ୱରୂପ, ଶନିବାର ଦିନ ଶନିଙ୍କ ସ୍ୱରୂପ ଓ ରବିବାର ଦିନ ସୂର୍ଯ୍ୟଙ୍କ ସ୍ୱରୂପ ଭାବେ ପୂଜାର୍ଚ୍ଚନା କରାଯାଇଥାଏ । କିନ୍ତୁ ରାହୁ ଓ କେତୁ, ଏ ଦୁଇଟି ଗ୍ରହର କୌଣସି ବାର ନଥିବା କାରଣରୁ ପ୍ରଥମ ଗୁଣ୍ଡିଚା ଯାତ୍ରା ଆରମ୍ଭ ଦିନ ଓ ଶେଷ ବାହୁଡ଼ା ଦିନରେ ଯଥାକ୍ରମେ ରାହୁ ଓ କେତୁଙ୍କ ସ୍ୱରୂପ ଭାବେ କାଳିଆ ମଣିମା ପୂଜା ପାଇଥାନ୍ତି ।

ଧୁଳିଆ ଗୁଣ୍ଡିଚା ଓ କାଦୁଆ ଗୁଣ୍ଡିଚା କ’ଣ?
ରଥଯାତ୍ରା ସମ୍ପର୍କିତ ଅନେକ ପ୍ରାଚୀନ ଗ୍ରନ୍ଥ, କାବ୍ୟ କିମ୍ବା କବିତାରେ ଧୁଳିଆ ଗୁଣ୍ଡିଚା ସମ୍ପର୍କିତ ବିଶେଷ ତଥ୍ୟ ନାହିଁ । କିନ୍ତୁ ପ୍ରାୟ ୧୫୦ ବର୍ଷ ତଳର ସମ୍ବାଦ ପତ୍ର ‘ ଉତ୍କଳ ଦୀପିକା’ରେ ଧୁଳିଆ ଗୁଣ୍ଡିଚା ଓ କାଦୁଆ ଗୁଣ୍ଡିଚା ସମ୍ପର୍କରେ ଏକ ତଥ୍ୟ ପ୍ରକାଶ ପାଇଥିଲା । ତଥ୍ୟ ଅନୁଯାୟୀ ପୂର୍ବରୁ ଶ୍ରୀମନ୍ଦିରଠାରୁ ଗୁଣ୍ଡିଚା ଘରକୁ ଯିବା ପାଇଁ ରଥକୁ ପ୍ରାୟ ୩-୪ ଦିନ ଲାଗୁଥିଲା । ତେଣୁ ସେ ସମୟରେ ଯାତ୍ରା ପରଦିନ ପଶ୍ଚିମା ଓ ବଙ୍ଗୀୟ ଯାତ୍ରୀମାନେ ରଥ ଟାଣିବାର ସୁଯୋଗ ପାଉଥିଲେ । ଏହି ଦିନର ଯାତ୍ରାକୁ ଧୁଳିଆ ଗୁଣ୍ଡିଚା ନାମରେ ଅଭିହିତ କରାଯାଇଛି । ଅଦ୍ୟାବଧି ସ୍ଥାନୀୟ ଅଧିବାସୀ ଗୁଣ୍ଡିଚା ପରଦିନକୁ ଧୁଳିଆ ଗୁଣ୍ଡିଚା ବୋଲି କହୁଛନ୍ତି । ଅନ୍ୟ କେତେଜଣ ଐତିହାସିକଙ୍କ ମତରେ ସେ ସମୟରେ ଯେଉଁ ବର୍ଷ ରଥଯାତ୍ରା ଦିନ ପ୍ରବଳ ଖରା ହୋଇ ଧୁଳି ଉଡ଼ିଥାଏ, ତାହାକୁ ଧୁଳିଆ ଗୁଣ୍ଡିଚା ଏବଂ ଯେଉଁ ବର୍ଷ ବର୍ଷା ହୋଇ କାଦୁଅ ହୋଇଥାଏ, ତାହାକୁ କାଦୁଆ ଗୁଣ୍ଡିଚା ବୋଲି ନାମକରଣ କରାଯାଉଥିଲା ।

Leave a Reply

Your email address will not be published. Required fields are marked *