ବିନା ଅଡିଟରେ ଟଙ୍କା ଖାଇବାର ସୁବର୍ଣ୍ଣ ସୁଯୋଗ

ରାଜ୍ୟର ଉପକୂଳ ପୁରୀ ଓ ଭୁବନେଶ୍ୱରରେ ଏପ୍ରିଲ ୩ ତାରିଖରେ ଫୋନି ମାଡ଼କଲା। କ୍ଷତିଗ୍ରସ୍ତ ହେଲା ପୁରୀ, ଖୋର୍ଦ୍ଧା ଏବଂ କଟକ ଜିଲା। ଆଜି ତାରିଖକୁ ଲଗାଇଲେ ୪୫ ଦିନରୁ ଅଧିକ ଦିନ ବିତିଗଲାଣି। ଫୋନି ବିପର୍ଯ୍ୟୟରୁ ଜନଜୀବନ ସୁରକ୍ଷାକୁ ନେଇ ନବୀନ ସରକାର ବିଭିନ୍ନ ଆଡ଼ୁ ପ୍ରଶଂସା ଜୁଟାଇଛନ୍ତି। ୮୦ରୁ ଊର୍ଦ୍ଧ୍ୱ ଲୋକ ଏହି ବାତ୍ୟାରେ ପ୍ରାଣ ହରାଇଥିଲେ ହେଁ, ଶୂନ ମୃତ୍ୟୁକୁ ନେଇ ବାହାରେ ବହୁ ପ୍ରଚାର କରିଛନ୍ତି ସରକାର। ବାତ୍ୟା ଯୋଗୁଁ ବ୍ୟାପକ ଧନସମ୍ପତ୍ତି ନଷ୍ଟ ହୋଇଛି। ଏବାବଦରେ ସରକାର କେନ୍ଦ୍ରଠାରୁ ୫,୨୫୨ କୋଟି ଟଙ୍କା ଆର୍ଥିକ ସହାୟତା ଲୋଡ଼ିଛନ୍ତି।

ରାଜ୍ୟରେ ବାରମ୍ୱାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବାରୁ ଏହାକୁ ଆଧାର କରି ଓଡ଼ିଶାକୁ ସ୍ୱତନ୍ତ୍ର ଶ୍ରେଣୀ ରାଜ୍ୟ ପାହ୍ୟା ନହେଲା ନାହିଁ, ସ୍ୱତନ୍ତ୍ର ଫୋକସ ରାଜ୍ୟ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ନିକଟରେ ଦାବି କରିଛନ୍ତି। କିନ୍ତୁ ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ଲାଗି ସରକାରଙ୍କର ଆଗ୍ରହ ଅଛି ତ? ଏହି ପ୍ରଶ୍ନ ହୁଏତ କଟକ ଓ ଭୁବନେଶ୍ୱରବାସୀଙ୍କ ମନରେ ଉଠୁନଥିବ। କିନ୍ତୁ ପୁରୀ ଜିଲାର ବହୁ ଗାଁରୁ ଉଠୁଛି ଏହି ସ୍ୱର। ୪୫ ଦିନ ପରେ ବି କାହିଁକି ବହୁ ଗାଁ ତଥାପି ଅନ୍ଧାରରେ?

ସତ୍ୟବାଦୀ ବ୍ଲକର ବିଭୂତିପୋଖରୀ ଗାଁ। ଏହି ଗାଁର ଲୋକେ ଧରିନେଇ ସାରିଲେଣି ଯେ, ବର୍ଷା ଆଗରୁ ଲାଇନ ଆସିବାର ନାହିଁ। ଭାଗ୍ୟକୁ ଆଦରି ଲଣ୍ଠନ ଉପରେ ଭରସା କରୁଛନ୍ତି ରାତିରେ। ରାଜ୍ୟ ସରକାର ଏମିତି ଅନେକ ବିଭୂତିପୋଖରୀ ଗାଁକୁ ମନରୁ ପାଶୋରି ଦେଇସାରିଲେଣି। ହଁ, ରିଲିଫ ମିଳିଛି ଲୋକଙ୍କୁ। କିନ୍ତୁ ଅସୁବିଧା ବିଜୁଳିକୁ ନେଇ।

କ’ଣ ଘଟୁଛି, କେବେ ଲାଇନ ଆସିବ, ଆସୁନି କାହିଁକି – ଏକଥା ଜାଣିବାର ଉପାୟ ନାହିଁ ଲୋକଙ୍କ ପାଖରେ। ଚେଷ୍ଟା ଚାଲିଛି ବୋଲି ଅଫିସର ଘୋଷି ହେଉଛନ୍ତି। ବାତ୍ୟା ଦିନ ଗାଁରେ ଥିବା ଟ୍ରାନ୍ସଫର୍ମରଟି ଉପୁଡ଼ି ପଡ଼ିଥିଲା। ଏପର୍ଯ୍ୟନ୍ତ ଲାଗିପାରିଲା ନାହିଁ ନୂଆ ଟ୍ରାନ୍ସଫର୍ମର। ମଝିରେ ଦୁଇ/ତିନି ଥର କାଳବୈଶାଖୀ ହୋଇଗଲାଣି। ଦିନରେ ଅସହ୍ୟ ଖରା ଓ ଗୁଳୁଗୁଳି। ରାତିରେ ଅନ୍ଧାର। ମଝିରେ ପୁଣି ଝଡ଼ତୋଫାନ। ଭାଗ୍ୟକୁ ନିନ୍ଦିବା ଛଡ଼ା ଆଉ ଉପାୟ ନାହିଁ ଗାଁ ଲୋକଙ୍କର। ଏହା କେବଳ ଗୋଟିଏ ଗାଁର କରୁଣ କାହାଣୀ ନୁହେଁ।

ବ୍ରହ୍ମଗିରିର ବହୁ ଗାଁରେ ଅବସ୍ଥା ଖରାପର ଅନ୍ୟ ଏକ ବଡ଼ କାରଣ ହେଲା, ଏଠାରୁ ବିଜେପି ପ୍ରାର୍ଥୀ ଜିତିଛନ୍ତି ବିଧାୟକ ଭାବେ। ତେଣୁ ସରକାରଙ୍କ ରାଗ ସୁଝୁଛି ଲୋକଙ୍କ ଉପରେ। ସାକ୍ଷୀଗୋପାଳର ଜୟୀପୁର ପରି ଅନେକ ଗାଁ ଅଛି, ଯେଉଁଠି କାଗଜପତ୍ରରେ ଲାଇନ ଆସିଗଲାଣି। କିନ୍ତୁ ଘଣ୍ଟେ ଅଧଘଣ୍ଟେ ରହି ଗୋଲ। କାହିଁକି ସରିପାରୁନି ବିଦ୍ୟୁତ କାମ?

ଯଦି ଫାଇଲିନ ବେଳେ ମାସକ ଭିତରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ଗଞ୍ଜାମ ଜିଲାରେ ବିଜୁଳିସେବା ବ୍ୟବସ୍ଥା ସ୍ୱାଭାବିକ ହୋଇପାରିଲା, ଖୁଣ୍ଟି ସଜାଡ଼ି ଦିଆଗଲା, ତେବେ ପୁରୀ ଓ ଖୋର୍ଦ୍ଧା ଜିଲାରେ ଏଭଳି ଭୟଙ୍କର ଅବ୍ୟବସ୍ଥା କାହିଁକି ? ୪୫ ଦିନ ପରେ ବି ବହୁ ଗାଁ ବିଜୁଳି ସେବାରୁ ବଞ୍ଚିତ ରହିବା କେଉଁ ପ୍ରଗତିର ଲକ୍ଷଣ? ସରକାର କହିପାରିବେ ନାହିଁ ଯେ, ଅର୍ଥର ଅଭାବ ପୁନର୍ନିର୍ମାଣ କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି। କାମ ଆରମ୍ଭ ବେଳକୁ କେନ୍ଦ୍ର ୧୪୦୦ କୋଟି ଟଙ୍କା ଧରାଇ ଦେଇଥିଲା ରାଜ୍ୟ ସରକାରଙ୍କୁ।

ତେବେ ଅସୁବିଧା କେଉଁଠି? ଲୋକବଳର ଅଭାବ କି? ଅନ୍ୟ ରାଜ୍ୟରୁ କୁଶଳୀଠୁ ଆରମ୍ଭ କରି ଅଣକୁଶଳୀ ପର୍ଯ୍ୟନ୍ତ ଶ୍ରମିକ ଆସିଥିଲେ ଓଡ଼ିଶାକୁ ବିଦ୍ୟୁତ ବ୍ୟବସ୍ଥା ସୁଧାରିବା ଲାଗି। କିନ୍ତୁ ସେମାନଙ୍କୁ କାମ କରିବାକୁ ଦିଆଗଲା ନାହିଁ। ବସିବସି ଶେଷରେ ଫେରିଗଲେ। ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ଖୁଣ୍ଟ ବସାଇବା, ନୂଆ ତାର ଟାଣିବା ଏବଂ ନଷ୍ଟ ହୋଇଯାଇଥିବା ଟ୍ରାନ୍ସଫର୍ମର ବଦଳାଇବା କାର୍ଯ୍ୟରେ ସଠିକ ଭାବେ ନିୟୋଜିତ କରିଥିଲେ ଏତେବେଳକୁ ସବୁ ଗାଁ ପୁନଃ ବିଦ୍ୟୁତ ସେବା ପାଇସାରନ୍ତାଣି।

କିନ୍ତୁ ଶୀଘ୍ର କାମ ସରିଗଲେ, ପଇସା ମାରିହେବ କେମିତି? ଏହାହିଁ ହେଉଛି ବିଳମ୍ୱର ଅସଲ କାରଣ। ଅନେକ ଜାଣି ନଥିବେ ଯେ, ପ୍ରାକୃତିକ ବିପର୍ଯ୍ୟୟ ପାଇଁ କେନ୍ଦ୍ର ଯେଉଁ ଅର୍ଥ ଯୋଗାଇ ଦେଇଥାଏ, ତାହାର ବଡ଼ଭାଗ ଅର୍ଥର ଅଡିଟ ହୁଏ ନାହିଁ। କେବଳ ଯେଉଁ ଅର୍ଥ ବିଭିନ୍ନ ବିଭାଗକୁ ଦିଆଯାଏ, ସେହି ଅର୍ଥର ଅଡିଟ ବ୍ୟବସ୍ଥା ଅଛି। ଯଥା- ବାତ୍ୟା ଓ ବନ୍ୟା ଯୋଗୁଁ ନଷ୍ଟ ହୋଇଯାଇଥିବା ରାସ୍ତା ସଜାଡ଼ିବା ଲାଗି ପୂର୍ତ୍ତ କି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ମିଳୁଥିବା ଅର୍ଥର ଅଡିଟ ହୋଇଥାଏ। ସ୍କୁଲ ଘର ପୁନଃ ନିର୍ମାଣ ଲାଗି ମିଳୁଥିବା ଅର୍ଥର ମଧ୍ୟ ହୁଏ ଅଡିଟ।

କିନ୍ତୁ ବିଦ୍ୟୁତ ବିଭାଗ ପାଇଁ ଦିଆଯାଉଥିବା ଅର୍ଥର ଅଡିଟ ହୁଏ ନାହିଁ। ଏହାହିଁ ବାଟମାରଣାର ସବୁଠୁ ବଡ଼ ମାଧ୍ୟମ। ଓଇଆରସି ବା ଓଡ଼ିଶା ବିଦ୍ୟୁତ ନିୟାମକ ସଂସ୍ଥା, ସେସୁ କି ଗ୍ରୀଡକୋ ଯେଉଁସବୁ ଅର୍ଥ ଖର୍ଚ୍ଚ କରନ୍ତି, ତାହାର ଅଡିଟ ବ୍ୟବସ୍ଥା ନଥିବାରୁ ଖାଇବା ପାଇଁ ପ୍ରଶସ୍ତ କ୍ଷେତ୍ର ରହିଛି। ଯେତେ ବିଳମ୍ୱ ହେବ, କାଗଜପତ୍ରରେ ବିଭିନ୍ନ କାମ ଦେଖାଇ ସେତେ ଅଧିକ ଅର୍ଥ ହଡ଼ପ କରାଯାଇ ପାରିବ। ମୂଳରୁ ଚୂଳ ଯାଏଁ ଏଥିରେ ସରକାର ସମ୍ପୃକ୍ତ। ସେଥିପାଇଁ କ୍ଷୟକ୍ଷତିର ବିବରଣୀ ବଢ଼େଇଚଢ଼େଇ ପ୍ରସ୍ତୁତ କରାଯାଇଥାଏ।

କେନ୍ଦ୍ର ଯେଉଁ ଅର୍ଥ ଦିଏ, ତାହାର ସିଂହଭାଗର ଖର୍ଚ୍ଚବାର୍ଚ୍ଚ ଅଡିଟ ହେଉ ନଥିବାରୁ ଏଥିରୁ ମୋଟା ଅଙ୍କ ସରକାର ଚଳୁ କରିଦେଇ ପାରନ୍ତି। ଏହା ପରୋକ୍ଷରେ ରାଜନୈତିକ କାର୍ଯ୍ୟରେ ବ୍ୟବହୃତ ହୁଏ। ଆଗକୁ ପୌର ପରିଷଦ ନିର୍ବାଚନ ଆସୁଛି। ପ୍ରାକୃତିକ ବିପର୍ଯ୍ୟୟ ଅର୍ଥରୁ ଦଳୀୟ ଚାନ୍ଦା ଉଠାଇବା ଶାସକ ଦଳ ପାଇଁ ସହଜ ଥିବାରୁ ଏବେ ବିଦ୍ୟୁତ ସେବା ସ୍ୱାଭାବିକ ହୋଇପାରୁ ନାହିଁ।

Leave a Reply

Your email address will not be published. Required fields are marked *