ପ୍ରତିଦିନ ୧୯ କୋଟି ଲୋକ ଉପାସରେ : ଖାଦ୍ୟ ସୁରକ୍ଷା ଯୋଜନା କାହା ସ୍ୱାର୍ଥରେ?
ଓଡିଶାର କଳାହାଣ୍ଡିରୁ ଆରମ୍ଭ କରି ଦେଶର ରାଜଧାନୀ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଏବେ ଅନାହାର ମୃତ୍ୟୁର ତାଣ୍ଡବ ଚାଲିଛି। ଉପଯୁକ୍ତ ଖାଦ୍ୟ ଅଭାବରୁ ପ୍ରତି ୧ ହଜାର ଶିଶୁଙ୍କ ମଧ୍ୟରୁ ୩୪ ଜଣ ମା’ ପେଟରେ ମୃତ୍ୟୁବରଣ କରୁଥିବାବେଳେ ୫ ବର୍ଷରୁ କମ୍ ବୟସର ୯ ଲକ୍ଷ ଶିଶୁ ସ୍ୱାଧୀନ ଭାରତର ଚିତ୍ର ଦେଖିବାରେ ସମର୍ଥ ହୋଇପାରୁନାହାଁନ୍ତି। ଏପରିକି ଦେଶରେ ଗରିବ ଲୋକମାନଙ୍କୁ ଭୋକ ଉପାସରେ ନ ରଖିବା ପାଇଁ କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିଥିଲେ ହେଁ ପ୍ରତିଦିନ ୧୯ କୋଟି ଲୋକ ଉପବାସରେ ଜୀବନ ବିତାଉଛନ୍ତି।
ଗତ ସୋମବାର ଦିନ ନୂଆଦିଲ୍ଲୀର ମଣ୍ଡୱାଲି ଅଞ୍ଚଳରେ ତିନି ଜଣ ବାଳିକା ମୃତ୍ୟୁବରଣ କରିଥିଲେ। ସେମାନଙ୍କ ଶବ ବ୍ୟବଚ୍ଛେଦରୁ ଯେଉଁ ରିପୋର୍ଟ ଆସିଛି ତାହା ଦେଶର ରାଜନେତାଙ୍କ ସମେତ ପ୍ରଶାସନିକ ଅଧିକାରୀଙ୍କ ଚିନ୍ତା ବଢାଇ ଦେଇଛି। ଏହି ବାଳିକାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ସେମାନଙ୍କ ପାକସ୍ଥଳୀରେ ଖାଦ୍ୟ ନ ଥିଲା।
ଏପରିକି ଏହି ତିନି ବାଳିକା ମରିବାର କିଛି ଦିନ ପୂର୍ବରୁ ଆଦୌ ଖାଦ୍ୟ ଖାଇବାକୁ ପାଇନଥିଲେ। ଏପରିକି ଏହି ଶିଶୁମାନଙ୍କର ଦେହରେ ଥିବା ଚର୍ବି ପରିମାଣ ନ୍ୟୁନତମ ପରିମାଣଠାରୁ କମ୍ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ତିନି ବାଳିକାଙ୍କ ମୃତ୍ୟୁ ପ୍ରସଙ୍ଗ ଆଜି ଲୋକସଭାରେ ଉଠିଥିଲା। କିନ୍ତୁ ଏହି ବାଳିକାଙ୍କ ମୃତ୍ୟୁ ଯୋଗୁଁ କିଏ ଦାୟୀ ତାହା ସ୍ଥିର ହୋଇପାରିନଥିଲା।
ସରକାରଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ଅପପୁଷ୍ଟି ଯୋଗୁଁ ପ୍ରତିଦିନ ୩ ହଜାର ପିଲା କରୁଛନ୍ତି। କିନ୍ତୁ ସରକାର ଅନାହାର ମୃତ୍ୟୁକୁ ସ୍ୱୀକାର ନ କରି ଏହାକୁ ଅପପୁଷ୍ଟିର କାରଣ ବୋଲି ଦର୍ଶାଉଛନ୍ତି।