ଶ୍ରୀକାନ୍ତଙ୍କ ଶେଷ ହସ

ପିସିସି ସଭାପତି ପଦରୁ ସଦ୍ୟ ଇସ୍ତଫା ଦେଇଥିବା ନିରଞ୍ଜନ ପଟ୍ଟନାୟକ ଏବେ ଭାରି ଚାପରେ ଅଛନ୍ତି। ଏବେ ସେ ଦଳରେ ଚାରିଆଡ଼ୁ ସମାଲୋଚିତ ହେବାରେ ଲାଗିଛନ୍ତି। ଏକେ ତ ସେ ଦି’ଟାଯାକ ଆସନରୁ ହାରିଲେ। ପୁଣି କଟା ଘା’ରେ ଚୂନ ବୋଳିଲା ପରି ପୁଅ ବି ବାଲେଶ୍ୱର ଲୋକସଭା ଆସନରୁ ହାରିଗଲେ।

କାହ୍ନୁ କହିଲେଣି ନିରଞ୍ଜନ କୁଆଡେ଼ ଭାଇକୁ ବିଜେଡିକୁ ପଠାଇ କଂଗ୍ରେସର ଖେଳ ବିଗାଡିବାକୁ ଚାହୁଁଛନ୍ତି। ନିରଞ୍ଜନଙ୍କ ଯୋଗୁଁ ଦଳର ବିପର୍ଯ୍ୟୟ ଘଟିଲା ବୋଲି କାହ୍ନୁ ଯେଉଁ ଅଭିଯୋଗ କରୁଛନ୍ତି, ତାକୁ ଦଳର ବହୁ ନେତା ଠିକ ବୋଲି କହିଲେଣି। ଦୁର୍ଯ୍ୟୋଗ ପଡିଲେ ଏମିତି କଥା ଶୁଣିବାକୁ ପଡେ।

କିନ୍ତୁ ଶ୍ରୀକାନ୍ତ ଜେନା କିଛି କହିନାହାଁନ୍ତି ସିନା, ତାଙ୍କ ପାଖ ଲୋକଙ୍କ କହିବା ଅନୁସାରେ ଭାରି ଖୁସି ଅଛନ୍ତି। ଖଣି ଚୋରୀ କଥା ଉଠାଇ ନିରଞ୍ଜନଙ୍କୁ ଘାଇଲା କରିବାକୁ ଚେଷ୍ଟା କରିଥିଲେ ଶ୍ରୀକାନ୍ତ। କିନ୍ତୁ ରାହୁଲ ତାଙ୍କୁ ବିଦା କରିଦେଲେ। ସେହିଦିନରୁ ଶ୍ରୀକାନ୍ତ ଶପଥ ନେଇଥିଲେ ଯେ, କଂଗ୍ରେସ ଘରେ କଳାକନା ବୁଲେଇ ଦେବେ।

କିନ୍ତୁ ଶ୍ରୀକାନ୍ତ ବୁଲେଇବେ କ’ଣ, ନିଜ ଦୋଷରୁ ନିରଞ୍ଜନ ଦଳର ହାଲତ ବିଗାଡି ଦେଲେ। ଏବେ ଖାଲି ହସୁଚନ୍ତି ଶ୍ରୀକାନ୍ତ। ଲଢେଇ କରି ଶୋଚନୀୟ ଭାବେ ହାରିଥିବା କୃଷ୍ଣ ଶଗରିଆ ବି ଭାରି ଖୁସି। ଦି’ଜଣ ଶ୍ରାକାନ୍ତଙ୍କ ଘରେ ପ୍ରତିଦିନ ପାର୍ଟି କରୁଛନ୍ତି ବୋଲି ଲୋକେ କହିଲେଣି। ତାଙ୍କ ସହିତ ଯୋଡି ହେଇଚନ୍ତି ଦେବୀ ପୃଷ୍ଟି।

ଶ୍ରୀକାନ୍ତ କ୍ଷତି କରିପାରିନଥିବେ କଂଗ୍ରେସର। କିନ୍ତୁ ନିରଞ୍ଜନଙ୍କ ଅବସ୍ଥା ଦେଖି ସେ ଏତେ ଖୁସି ହେଉଥିବେ ଯେ, ନିନ୍ଦୁକମାନେ ଦୂରରେ ଥାଇ ଭଲ ଭାବେ ଆନ୍ଦାଜ କରିପାରୁଛନ୍ତି।

Leave a Reply

Your email address will not be published. Required fields are marked *