ମୟୁରଭଞ୍ଜ ବିଜେଡିର ଦୁଃଖ ‘ପାଟିଲ’
ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟରେ ଅପରାଜେୟ ହୋଇ ୫ମଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ମାତ୍ର ବିଜେଡି ଓ ଟିମ ନବୀନ ମୟୂରଭଞ୍ଜ ଜିଲ୍ଲାରେ ବିଫଳ ହେବା ଚର୍ଚ୍ଚାର ବିଷୟ ହୋଇଛି। ୨୦୧୪ ମସିହା ଲୋକସଭା ଓ ବିଧାନସଭା ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡି ଶତ ପ୍ରତିଶତ ସଫଳତା ଲାଭ କରିଥିଲା। ମୟୂରଭଞ୍ଜ ଲୋକସଭା ଆସନ ସହିତ ଜିଲ୍ଲାର ନଅଟି ବିଧାନସଭା ଆସନକୁ ବିଜେଡି ଦଖଲ କରିଥିଲା।
ମାତ୍ର ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡିର ବିପର୍ଯ୍ୟୟ ଘଟିଛି। ବିଜେଡି ମୟୂରଭଞ୍ଜ ଲୋକସଭା ଆସନ ଓ ଛଅଟି ବିଧାନସଭା ଆସନ ହରାଇଛି। କେବଳ ବାଙ୍ଗିରିପୋଷି, କରଞ୍ଜିଆ ଓ ମୋରଡ଼ା ବିଧାନସଭା ଆସନକୁ ଦଖଲ କରିବାକୁ ବିଜେଡି ସକ୍ଷମ ହୋଇଛି।
୨୦୦୯ ମସିହା ଓ ୨୦୧୪ ମସିହା ନିର୍ବାଚନରେ ଜିଲ୍ଲାରେ ସତ୍ତା ହରାଇଥିବା ବିଜେପିକୁ ଚଳିତ ନିର୍ବାଚନରେ ବଡ଼ ସଫଳତା ମିଳିଛି। ମୟୂରଭଞ୍ଜ ଲୋକସଭା ଆସନ ଏବଂ ଜିଲ୍ଲାର ଛଅଟି ବିଧାନସଭା ଆସନକୁ ବିଜେପି ଦଖଲ କରିବା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ରାଜେଶ ପ୍ରଭାକର ପାଟିଲ ୪ବର୍ଷ ୮ ମାସ ଜିଲ୍ଲାପାଳ ରହିବା ବିଜେଡିକୁ ମହଙ୍ଗା ପଡ଼ିଛି। ସମଗ୍ର ଦେଶରେ କୌଣସି ଜିଲ୍ଲାରେ ୪ ବର୍ଷ ୮ ମାସ ଧରି କେହି ଜିଲ୍ଲାପାଳ ରହିନାହାନ୍ତି। ଜିଲ୍ଲାପାଳ ଭାବେ ପାଟିଲ କ୍ଷମତାଶାଳୀ ହୋଇଥିଲେ। ଜିଲ୍ଲାପାଳ ପାଟିଲ ତାଙ୍କ ସମଭୟରେ ବିଜେଡିର ସମସ୍ତ ଲୋକ ପ୍ରତିନିଧିମାନଙ୍କୁ ପ୍ରଭାବଶୂନ୍ୟ କରିଥିଲେ। ବିଜେଡି ସାଂସଦ ଓ ବିଧାୟକମାନେ ଶିକ୍ଷକ କିରାଣିମାନଙ୍କ ବଦଳି ଏବଂ ବଦଳି ଆଦେଶ ବାତିଲ କରିବାକୁ ଅକ୍ଷମ ହୋଇଥିଲେ।
ବିଜେଡିର ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ମଧ୍ୟ କ୍ଷମତାଶୂନ୍ୟ କରିଥିଲେ ଜିଲ୍ଲାପାଳ ପାଟିଲ। ନିଜେ ଶ୍ରେଷ୍ଠ ଜିଲ୍ଲାପାଳ ପୁରସ୍କାର ପାଇବା ପାଇଁ ପାଟିଲ ମିଥ୍ୟା ସରକାରୀ ସଫଳତା ରିପୋର୍ଟ ପ୍ରସ୍ତୁତ କରିଥିଲେ। ରାଜ୍ୟ ଓ ଜାତୀୟସ୍ତରରେ ମିଥ୍ୟା ସରକାରୀ ସଫଳତା ରିପୋର୍ଟ ଭିତ୍ତିରେ ପୁରସ୍କାର ଲାଭ କରିଥିଲେ। ମାତ୍ର ଜିଲ୍ଲାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଥିଲା।
ଜିଲ୍ଲାପାଳ ପାଟିଲଙ୍କ କାର୍ଯ୍ୟକଳାପରେ କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାରେ ୨୫୦ କୋଟି ଟଙ୍କାର ଚାରା ଦୁର୍ନୀତି ଅଭିଯୋଗ ହୋଇଥିଲା। ଜିଲ୍ଲାପାଳ ପାଟିଲ ସରକାରୀ କର୍ମଚାରୀ ଓ ଶିକ୍ଷ ଶିକ୍ଷୟିତ୍ରୀମାନଙ୍କ ବିରୁଦ୍ଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେମାନଙ୍କର ମାସିକ ଦରମା ବାରମ୍ୱାର ବନ୍ଦ କରିଥିଲେ। ଜିଲ୍ଲାପାଳ ପାଟିଲଙ୍କ ହିଟଲରୀ ଶାସନ ଓ ଜିଲ୍ଲାରେ ବ୍ୟାପକ ଦୁର୍ନୀତିର ପ୍ରଭାବ ଦେଖିବାକୁ ମିଳିଥିଲା ୨୦୧୭ ମସିହା ଜିଲ୍ଲା ପରିଷଦ ନିର୍ବାଚନରେ।
୨୦୧୭ ମସିହା ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ଘଟିଥିବା ବେଳେ ବିଜେପିର ଐତିହାସିକ ସଫଳତା ଲାଭ ହୋଇଥିଲା। ଜିଲ୍ଲା ପରିଷଦର ୫୬ଟି ଆସନ ମଧ୍ୟରୁ ବିଜେଡି ମାତ୍ର ୫ଟି ଆସନ ଲାଭ କରିଥିବା ବେଳେ ବିଜେପି ୪୯ଟି ଆସନ ଲାଭ କରିଥିଲା। ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ସଫଳତା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ସେତେବେଳେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନୀ ପ୍ରଚାରରେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପିର ଜିଲ୍ଲା ପରିଷଦ ନିର୍ବାଚନର ସଫଳତା ସମ୍ପର୍କରେ ନିଜର ମତ ରଖିଥିଲେ।
‘ହୋୟାଂହୋ’ ନଦୀ ଚୀନର ଦୁଃଖ ବୋଲି ପାଠ୍ୟପୁସ୍ତକରେ ଉଲ୍ଲେଖ ରହିଛି। ସେହିପରି ଜିଲ୍ଲାପାଳ ପାଟିଲ ମୟୁରଭଞ୍ଜ ବିଜେଡିର ହୋୟାଂହୋ ହୋଇଥିଲେ। ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ରାଜେଶ ପ୍ରଭାକର ପାଟିଲଙ୍କୁ ଜିଲ୍ଲାପାଳ ପଦବୀରୁ ମୁଖ୍ୟମନ୍ତ୍ରୀ ନବୀନ ବିଦା କରିଥିଲେ। ସେତେବେଳକୁ ମୟୂରଭଞ୍ଜ ଜିଲ୍ଲାର ବିଜେଡିର ବହୁ କ୍ଷତି କରି ସାରିଥିଲେ ଜିଲ୍ଲାପାଳ ପାଟିଲ।
ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନରେ ତତ୍କାଳୀନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲଙ୍କ ପାଇଁ ବିଜେଡି ବିଷପାନ କରିଛି। ଏହା ସରକାରୀ କର୍ମଚାରୀ ମହଲରେ ଏବଂ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।