ଶିଶୁ ସୁରକ୍ଷା ନାଁରେ ହୋଟେଲରେ ମଉଜ

ବାତ୍ୟା ପରେ ଉପକୂଳ ଓଡିଶାରେ ଲକ୍ଷାଧିକ ଶିଶୁ ଅସୁରକ୍ଷିତ ହୋଇପଡିଥିବାବେଳେ ସେମାନଙ୍କ ସହାୟତା ପାଇଁ ଥିବା ୟୁନିସେଫ୍ ଅଧିକାରୀମାନେ ରାଜଧାନୀର ଏକ ବିଳାସପୂର୍ଣ୍ଣ ହୋଟେଲରେ ମଉଜ କରୁଛନ୍ତି। ଶୀତତାପ ନିୟନ୍ତ୍ରିତ କୋଠରୀରେ ମିଟିଂ ପରେ ମିଟିଂ ଚାଲିଥିବାବେଳେ କ୍ଷେତ୍ର ସ୍ତରରେ ଶିଶୁଙ୍କ ସହାୟତା ପାଇଁ ଗରମରେ ବାବୁମାନେ ବାହାରିପାରୁ ନଥିବା ଦେଖିବାକୁ ମିଳୁଛି।

ବାତ୍ୟାଞ୍ଚଳରେ ବହୁ ଶିଶୁ ଅସୁରକ୍ଷିତ। ସେମାନଙ୍କୁ ସୁରକ୍ଷା ଯୋଗାଇବାପାଇଁ ଆର୍ନ୍ତଜାତିକ ସଂସ୍ଥା ୟୁନିସେଫ୍ର ରାଜ୍ୟରେ ଥିବା ଅଧିକାରୀ ଅଣ୍ଟା ଭିଡିଛନ୍ତି। ବାତ୍ୟା ପରଠାରୁ ରାଜଧାନୀର ଏକ ବିଳାସପୂର୍ଣ୍ଣ ତାରକା ହୋଟେଲରେ ନିଜ ଟିମ‍୍‌କୁ ନେଇ ଡେରା ପକାଇଛନ୍ତି। ସେଠାରେ ଚାଲିଛି ଘମାଘୋଟ ଆଲୋଚନା। ଫାଇଲ ଚାଷ ବି ହେଉଛି। ଶିଶୁଙ୍କ ପାଇଁ କାର୍ଯ୍ୟ କରୁଥିବା ବେସରକାରୀ ସଂସ୍ଥା ଗୁଡିକୁ ଡାକି ଘନ ଘନ ଆଲୋଚନା ହେଉଛି। ହେଲେ ଯାହା ଲକ୍ଷ୍ୟ କରାଯାଉଛି ଫଳ ଶୂନ।

ବର୍ତ୍ତମାନ ସୁଦ୍ଧା ବାତ୍ୟାଞ୍ଚଳରେ ୟୁନିସେଫ୍ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଇନଥିବା ସୂଚନା ମିଳିଛି। ଉଲ୍ଲେଖନୀୟ ଯେ ୟୁନିସେଫ୍ ତାହାର ଅଧିକାଂଶ କାର୍ଯ୍ୟ ବେସରକାରୀ ସଂସ୍ଥା ହାତରେ କରିଥାଏ। ଯେଉଁ ସଂସ୍ଥାର ଯେଉଁ ବିଷୟରେ ଅଭିଜ୍ଞତା ଥାଏ ତାହାକୁ ସେହି କାର୍ଯ୍ୟ ଦେଇ ନିଜେ ତଦାରଖ କରିଥାଏ। ହେଲେ ଶିଶୁ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ପାଇଁ ୟୁନିସେଫ୍ କାହିଁକି କାଳକ୍ଷେପଣ ନୀତି ଆପଣେଉଛି ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। କେଉଁ କାରଣ ପାଇଁ ବେସରକାରୀ ସଂସ୍ଥା ଚିହ୍ନଟ ହୋଇପାରୁ ନାହାନ୍ତି ତାହା ବି ଭିନ୍ନ ପ୍ରଶ୍ନ। ୟୁନିସେଫ୍ର ଓଡିଶାରେ ଥିବା କିଛି ଅଧିକାରୀ ଦୀର୍ଘଦିନ ଧରି ଆସ୍ଥାନ ଜମାଇ ଥିବାରୁ ଏଭଳି ଅବସ୍ଥା ଉପୁଜିଥିବାର ସୂଚନା ମିଳୁଛି। ଏହି ସଂସ୍ଥାରେ ଥିବା କିଛି ଓଡିଆ ଓ ଅଣଓଡିଆ ଏବଂ ଆଉ କିଛି ପୂର୍ବତନ କର୍ମଚାରୀ ମିଶି ଏଭଳି ଷଡଯନ୍ତ୍ର ଚଳାଇଥିବାର ସୂଚନା ମିଳିଛି।

ବାତ୍ୟାଞ୍ଚଳରେ ଖରା, ଗରମ ଓ ଅନ୍ୟାନ୍ୟ ରୋଗରେ ଶିଶୁମାନେ ସଢୁଥିବାବେଳେ ୟୁନିସେଫ୍ ଭଳି ଆର୍ନ୍ତଜାତୀୟ ସଂସ୍ଥାର ଅଧିକାରୀମାନେ ସେମାନଙ୍କ ସହାୟତା ନାଁରେ ରାଜଧାନୀର ତାରକା ହୋଟେଲରେ ଆସ୍ଥାନ ଜମାଇବା ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ହୋଟେଲକୁ ଯା ଆସ କରୁଥିବା କିଛି ବ୍ୟକ୍ତି ଏହି ୟୁନିସେଫ୍ ଅଧିକାରୀଙ୍କ ଏଭଳି ଶୀତଳ ବୈଠକ ସଂକ୍ରାନ୍ତରେ ସୂଚନା ଦେବାପରେ କଥାଟି ଫୁଟିଆରା ହୋଇ ଏବେ ରାଜ୍ୟ ସଚିବାଳୟରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *