କେନ୍ଦ୍ରାପଡ଼ାକୁ ନେଇ କାହିଁକି ଏତେ ବିବ୍ରତ ନବୀନ?
ବିଜୁ ଜନତା ଦଳ ଫୋକସରେ ଆରମ୍ଭରୁ ବିଜେପି ଥିଲା। କିନ୍ତୁ ଏବେ ବିଜେପି ସହିତ ଯୋଡ଼ି ହୋଇଯାଇଛି ବୈଜୟନ୍ତ। ଶାସକ ଦଳ ଏହି ଦୁଇ ‘ବି’କୁ ଟାର୍ଗେଟ କରୁଛି। ନବୀନଙ୍କ ପାଇଁ କେନ୍ଦ୍ରାପଡ଼ା ଏକ ମର୍ଯ୍ୟାଦୋର ପ୍ରଶ୍ନ ହୋଇଯାଇ ସାରିଛି। ୧୯ ବର୍ଷ ଭିତରେ କେବେ ବି ନବୀନଙ୍କୁ କୌଣସି ନେତାଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ, ଆକ୍ରମଣ ବା ଟାର୍ଗେଟ କରିବା ଦେଖାଯାଇ ନଥିଲା।
ଅନ୍ୟମାନଙ୍କୁ ଲଗାଇ ସେ ତାଙ୍କ ବିରୋଧୀମାନଙ୍କୁ ସାଧାରଣତଃ ଟାର୍ଗେଟ କରିଥାନ୍ତି। କିନ୍ତୁ ପ୍ରଥମ ଥର ପାଇଁ ନବୀନ ବୈଜୟନ୍ତଙ୍କ ସ୍ତରକୁ ଖସିଆସିବା ପରେ ଏବେ ଦଳ ବ୍ୟାକଅପ ଦେବାକୁ ଯାଇ ବିଜେପି ଏବଂ ଜୟ ପଣ୍ଡାଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛି।
ନବୀନଙ୍କ ୧୮ବର୍ଷ ଥିଲେ ବୈଜୟନ୍ତ ପଣ୍ଡା। ସେ ତାଙ୍କର ସାଂସଦ ଭାବେ ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ପ୍ରତିନିଧିତ୍ୱ କରିଛନ୍ତି। ତାଙ୍କୁ ୨୦୧୭ ମଇ ମାସରେ ମାହାଙ୍ଗାଠାରେ ଶାସକ ଦଳର କର୍ମୀମାନେ ଆକ୍ରମଣ କରିବା ପରେ ତିକ୍ତତା ସାମ୍ନାକୁ ଆସିଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଦଳରୁ ନିଲମ୍ୱନ କରାଯାଇଥିଲା। କିନ୍ତୁ ସେତେବେଳେ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ସନ୍ଦେହଜନକ ଅର୍ଥନୈତିକ କାରବାର କିମ୍ୱା ଗୁଣ୍ଡାମାନଙ୍କ ସହ ସମ୍ପର୍କ ବିଷୟରେ କିଛି ଉଲ୍ଲେଖ କରି ନଥିଲେ ନବୀନ ପଟ୍ଟନାୟକ।
୨୦୧୭ ପଞ୍ଚାୟତ ନିର୍ବାଚନରେ ସେ ଦଳ ବିରୋଧୀ କାର୍ଯ୍ୟ କରିଥିଲେ ବୋଲି ନିଲମ୍ୱନ ସମୟରେ ଦଳ ପକ୍ଷରୁ କୁହାଯାଇଥିଲା। ଅର୍ଥାତ ୨୦୧୮ ପର୍ଯ୍ୟନ୍ତ କୌଣସି ପ୍ରସଙ୍ଗରେ ବା ସମୟରେ ନବୀନ କିମ୍ୱା ତାଙ୍କ ଦଳରୁ କେହି କେନ୍ଦ୍ରାପଡ଼ା ପ୍ରତି ସେ ଅବହେଳା କରିଛନ୍ତି, ତାଙ୍କର ସନ୍ଦେହଜନକ ଆଥିର୍କ କାରବାର ଅଛି କିମ୍ୱା ଅପରାଧୀଙ୍କ ସହ ସେ ସମ୍ପର୍କ ରଖିଛନ୍ତି ବୋଲି ଦଳ କହି ନଥିଲା।
ନିଜ ଆଡ଼ୁ ବୈଜୟନ୍ତ ଦଳ ଏବଂ ଲୋକସଭା ସଦସ୍ୟ ପଦ ଛାଡ଼ିବା ପରେ ପ୍ରଥମ ଥର ପାଇଁ ବିଜେଡି ମିଥ୍ୟା ସତ୍ୟପାଠ କଥା ଉଠାଇ ଥିଲା। ବୈଜୟନ୍ତ ତାଙ୍କ ନିର୍ବାଚନୀ ସତ୍ୟପାଠରେ ଇଣ୍ଠାରୁ ପାଉଥିବା ଅର୍ଥ ବିଷୟରେ ସେ ଦର୍ଶାଇ ନଥିବା ଅଭିଯୋଗ କରି ବିଜଦ ତଳ କୋର୍ଟକୁ ଯାଇଥିଲା। କିନ୍ତୁ ଏହା ତଳକୋର୍ଟର ବିଚାର ପରିସର ବାହାରେ ଥିଲେ ମଧ୍ୟ ସରକାର ତତ୍ପର ହୋଇ ଉଠିଥିଲେ ତାଙ୍କୁ ଟାଣିବା ସକାଶେ। ଯାହାହେଉ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ମାମଲା ଆଉ ଆଗେଇ ନଥିଲା।
ଇତିମଧ୍ୟରେ ବୈଜୟନ୍ତ ବିଜେପିରେ ଯୋଗ ଦେଇଛନ୍ତି। ସେ ଏବେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଲଢ଼ୁଛନ୍ତି। ଏହା ହିଁ ନବୀନଙ୍କ ପାଇଁ ବଡ଼ ମୁଣ୍ଡବ୍ୟଥାର କାରଣ ହୋଇଛି। ନବୀନ କୌଣସି ସମୟରେ ଓଡ଼ିଶାର ମିଡିଆ ଆଗରେ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କିଛି କହି ନାହାନ୍ତି। କିନ୍ତୁ କେନ୍ଦ୍ରାପଡ଼ା ନିର୍ବାଚନଟି ନବୀନଙ୍କ ପାଇଁ ଇଜ୍ଜତର ପ୍ରଶ୍ନ ହୋଇ ଉଠିବା ପରେ ବାହାରର ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି ସେ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ ପରେ ଟାର୍ଗେଟ କରିଚାଲିଛନ୍ତି।
ଏଭଳି ଅଭିଯୋଗ ଆଣିଛନ୍ତି ଯେ, ଯାହା ପ୍ରମାଣିତ କରିବା ପାଇଁ ନବୀନ କୌଣସି ଦସ୍ତାବିଜ ଲୋକଙ୍କ ସାମ୍ନାକୁ ଆଣିପାରି ନାହାନ୍ତି। ସବୁକିଛି ଶୁଣାଶୁଣିକଥା ଉପରେ ଆଧାରିତ। ବୈଜୟନ୍ତ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅପପ୍ରଚାର କରିଥିବା ସେ ଦିଲ୍ଲୀର ବହୁ ବନ୍ଧୁଙ୍କ ଠାରୁ ଶୁଣିଛନ୍ତି ବୋଲି କହୁଛନ୍ତି ନବୀନ।
ଏବେ ଯେଉଁ ଅଭିଯୋଗ କରୁଛନ୍ତି ସେ, ତାହା ହେଲା- ବୈଜୟନ୍ତ ପଣ୍ଡାଙ୍କର ଆର୍ଥିକ ଅନିୟମିତତା ଅଛି। କିନ୍ତୁ ୧୭ବର୍ଷ କାଳ ଏଭଳି ବ୍ୟକ୍ତିଙ୍କୁ ସେ ସହ୍ୟ କରିଥିଲେ କେମିତି? କାହିଁିକି ଅପରାଧୀଙ୍କ ସହ ସମ୍ପର୍କ ରଖିଥିବା ଓ ବେଆଇନ ଆଥିର୍କ କାରବାର କରୁଥିବା ଜଣେ ନେତାଙ୍କୁ ଦଳରୁ ବାହାର ନକରି ଚୁପ ରହିଥିଲେ ନବୀନ?
ଏବେ କେନ୍ଦ୍ରାପଡ଼ା ନବୀନଙ୍କ ପାଇଁ ସମ୍ମାନର ପ୍ରଶ୍ନ। ଏଠାରେ ତାଙ୍କର ଚରମ ବିରୋଧୀ ବିଜୟ ମହାପାତ୍ର ପାଟକୁରାରୁ ନିର୍ବାଚନ ଲଢ଼ୁଥିବା ବେଳେ ବୈଜୟନ୍ତ ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ଅଛନ୍ତି। ତେଣୁ ବିଜେପି ଏବଂ ବୈଜୟନ୍ତଙ୍କୁ ନେଇ ବିଜେଡି ତା’ର ଆକ୍ରମଣ ତେଜେଇ ଦେଇସାରିଲାଣି। ବିଜେଡି ପକ୍ଷରୁ ଜାରି ଏକ ପ୍ରେସ ନୋଟରେ ବିଜେପି ଏବଂ ବୈଜୟନ୍ତ କେନ୍ଦ୍ରାପଡ଼ାବାସୀଙ୍କୁ ଠକିବେ ବୋଲି କୁହାଯାଇଛି।
ଏଥିରେ ସେହି ପୁରୁଣା ସତ୍ୟାପାଠ କଥା ଦର୍ଶାଇଛି ବିଜେଡି। ମିଥ୍ୟା ସତ୍ୟପାଠ ମାମଲାଟି କୋର୍ଟଙ୍କ ବିଚାରାଧୀନ ଥିଲା ବେଳେ ଏବେ ତାହାକୁ ନିର୍ବାଚନୀ ପ୍ରସଙ୍ଗ କରିଛି ବିଜେଡି। ଏଥିରେ ବିଜେପିକୁ ଯାଡ଼ିବା ପାଇଁ ଚେଷ୍ଟା ହୋଇଛି। ବିଜେଡିର ଯୁକ୍ତି ହେଲା, ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାକୁ ଠକିଥିବା ବେଳେ ବିଜେପି ତାକୁ ସମର୍ଥନ କରୁଛି। ଏବିଷୟରେ ଧର୍ମେନ୍ଦ୍ର ମୁହଁ ଖୋଲୁ ନାହାନ୍ତି। ତେଣୁ ଏମାନେ ସମସ୍ତେ ମିଳିମିଶି କେନ୍ଦ୍ରାପଡ଼ାବାସୀଙ୍କୁ ଠକୁଛନ୍ତି।
ଧର୍ମେନ୍ଦ୍ର ଚୁପ ରହିବାର କାରଣ ହେଲା, ବୈଜୟନ୍ତ ପଣ୍ଡାଙ୍କ ମିଡିଆ ତାଙ୍କୁ ଏକ୍ସପୋଜ ନକରୁ। ତା’ଛଡ଼ା ଧର୍ମେନ୍ଦ୍ରଙ୍କ ଟିଟୋ ଏବଂ ଡି-ବ୍ରଦର ଲିଙ୍କ ପଦାରେ ପଡ଼ିଯିବା ଭୟରେ ସେ ଚୁପ ରହୁଛନ୍ତି। ବିଜେପି ଓ ବୈଜୟନ୍ତ ୨୦୧୯ରେ କେନ୍ଦ୍ରାପଡ଼ାକୁ ପୁଣି ଠକିବା ପାଇଁ ଚେଷ୍ଟା କରୁଛନ୍ତି।
ହଠାତ କେନ୍ଦ୍ରାପଡ଼ାକୁ ନେଇ ଏତେ ବିବ୍ରତ ଏବଂ ଚିନ୍ତିତ କାହିଁକି ବିଜେଡି? ନବୀନଙ୍କ ନାମରେ ମଧ୍ୟ ମିଥ୍ୟା ସତ୍ୟପାଠ ମାମଲା ଅଛି। ଏହାକୁ ରଦ୍ଦ କରିବା ସକାଶେ ଚେଷ୍ଟା କରି ନବୀନ ବିଫଳ ହୋଇଛନ୍ତି। ମାମଲା ନିର୍ବାଚନ କମିଶନଙ୍କ ପାଖରେ ଅଛି। ତେଣୁ ଏହାକୁ ନବୀନ ଓଡ଼ିଶାବାସୀଙ୍କୁ ଠକିଦେଲେ, ସୁତରାଂ ୨୦୧୯ରେ ଠକିବାକୁ ଯାଉଛନ୍ତି ବୋଲି ବିରୋଧୀ ଦଳ କହିବା ଠିକ ହେବ କି?
ବୈଜୟନ୍ତ, ଧର୍ମେନ୍ଦ୍ର ଏବଂ କେନ୍ଦ୍ରାପଡ଼ାକୁ ନେଇ ନବୀନ ଏବଂ ବିଜୁ ଜନତା ଦଳ ଏତେ ସ୍ପର୍ଶକାତର କାହିଁକି ହୋଇପଡ଼ୁଛନ୍ତି, ତାହାହିଁ ୧୦୦ କୋଟି ଟଙ୍କାର ପ୍ରଶ୍ନ?