ପ୍ରାର୍ଥୀ ବନାମ ପାର୍ଟି-୧: ଭୁବନେଶ୍ଵରରେ କ୍ଷତି ସହିବ ବିଜେଡି

୧ମ ପର୍ଯ୍ୟାୟ ନିର୍ବାଚନ ପରେ ନିର୍ବାଚନର ଢେଉ ସୁନାମୀ ପରି ଉପକୂଳ ମାଡ଼ି ଆସୁଛି। ସବୁ ଦଳ ଅବଶ୍ୟ ପ୍ରସ୍ତୁତ କିନ୍ତୁ ଭାବପ୍ରବଣ ଜନତାଙ୍କ ମାନସିକତାକୁ କିଏ କେତେ ହାତେଇ ପାରିବେ ସେଥିନେଇ କେହି ଆସ୍ଥା ପାଇପାରୁନାହାନ୍ତି। ଏଭିତରେ କଂଗ୍ରେସ ଦଳ ରାଜ୍ୟର ଅନେକ ପକେଟ୍‌ରୁ ଏକ ପ୍ରକାର ଉଭାନ ହୋଇଗଲାଣି। ଆଉ ଲଢ଼େଇ ପାଇଁ ମଇଦାନରେ ଖଣ୍ଡା ଓ ଢାଲ ନେଇ ତଥା ସାଞ୍ଜୁ ପିନ୍ଧି ଠିଆ ହୋଇଛନ୍ତି ଉଭୟ ବିଜେଡି ଓ ବିଜେପି। ପରସ୍ପରର ସଂଗଠନ ଭାଙ୍ଗି ଟାଣୁଆ ନେତାଙ୍କୁ ନିଜ ବଶୀଭୂତ କରିବା ପାଇଁ ଦୁଇ ପାର୍ଟି ଉଦ୍ୟମ କରିଛନ୍ତି। ତଥାପି ଭରସା ପାଉନାହିଁ। ଏ ଭିତରେ କେଉଁଠି ଶକ୍ତ ପାର୍ଟି ଦୁର୍ବଳ ପ୍ରାର୍ଥୀଙ୍କୁ ଜିତାଇବାର ସମ୍ଭାବନା ବ୍ୟକ୍ତ କରିଛି ତ କେଉଁଠି ଦୁର୍ବଳ ପାର୍ଟି ଆଗରେ ଭରସା ହୋଇଛନ୍ତି ଶକ୍ତ ପ୍ରାର୍ଥୀ। ଉପସ୍ଥାପନ କରୁଛୁ ପାର୍ଟି ବାନାମ ପ୍ରାର୍ଥୀର ପ୍ରଥମ ଅନୁଶୀଳନ, ଭୁବନେଶ୍ଵରରୁ।

ପୃଷ୍ଠଭୂମି

ଭୁବନେଶ୍ଵର କହିଲେ ଆମେ ଏଠାରେ ଭୁବନେଶ୍ଵର ସଂସଦୀୟ ନିର୍ବାଚନ ମଣ୍ଡଳୀ କଥାକୁ ଉଲ୍ଲେଖ କରୁଛୁ। ଏହି ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଧୀନରେ ଯେଉଁ ୭ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି ସେଗୁଡ଼ିକ ହେଲା, ଭୁବନେଶ୍ଵର ମଧ୍ୟ, ଭୁବନେଶ୍ଵର ଏକାମ୍ର, ଭୁବନେଶ୍ଵର ଉତ୍ତର, ଜୟଦେବ, ବେଗୁନିଆ, ଖୋର୍ଦ୍ଧା ଏବଂ ଜଟଣୀ।

ରାଜ୍ୟ ରାଜନୀତିର ଭାତହାଣ୍ଡି ଭାବେ ପରିଚିତ ରାଜଧାନୀ ଭୁବନେଶ୍ଵରର ଏହି ୭ ବିଧାନସଭା ମଣ୍ଡଳୀରେ ଗତଥର ବିଜେଡି ଅନ୍ୟମାନଙ୍କୁ ଧୂଳି ଚଟାଇଥିଲା। ହେଲେ ୫ ବର୍ଷ ଭିତରେ ସ୍ଥିତି ବଦଳିଛି। ବିଜେଡି ନିଜର ଜିତିଥିବା ବିଧାୟକଙ୍କ ଉପରେ ବି ଭରସା କରିପାରି ନାହିଁ। ଅନ୍ୟପକ୍ଷରେ କହିବାକୁ ଗଲେ ବିଧାୟକଙ୍କ ଆସନ ଏପଟ ସେପଟ କରି ଦଳ ଇଙ୍ଗିତ ଦେଇଛି ଯେ, ଦଳରେ ଅସନ୍ତୋଷ ବଢ଼ିଛି ଓ ଉପଯୁକ୍ତ ପ୍ରାର୍ଥୀ ନାହାନ୍ତି। ଏଣୁ ବାଧ୍ୟ ହୋଇ ସେଇ ପ୍ରାର୍ଥୀଙ୍କୁ ଟିକେଟ୍‌ ମିଳିଛି କେବଳ ଯାହା ଆସନ ବଦଳିଛି। ଜୟଦେବ, ବେଗୁନିଆ, ବୋଲଗଡ଼ରେ ଏହି ସ୍ଥିତି। ଖୋର୍ଦ୍ଧାରେ ଦଳ ନିଜ ଦଳରୁ ନେତା ନପାଇ ଅନ୍ୟ ଦଳରୁ ନେତାଙ୍କୁ ଆମଦାନୀ କରିଛି। ଏଠାରେ ପୂର୍ବରୁ ବିଜେପିରେ ଥିବା ଜିତେନ୍ଦ୍ର ନାଥ ମିତ୍ର ବିଜେଡି ପ୍ରାର୍ଥୀ ହୋଇଛନ୍ତି।

ପ୍ରଶ୍ନ ଉଠୁଛି ଯଦି ଜୟଦେବର ବିଧାୟକ ତଥା ମନ୍ତ୍ରୀ ଶଶୀଭୂଷଣ ବେହେରା ନିଜ ଗାଁରେ ଲୋକଙ୍କ ସେବା କରିବାରେ ବିଫଳ ହେଲେ ବା ରାଜନୀତିକ ସଂଗଠନ ସମ୍ଭାଳିପାରିଲେ ନାହିଁ, ସେ ନିଜ ଶ୍ଵଶୂର ଘର ଗାଁ ବା କେନ୍ଦ୍ରାପଡ଼ାରେ କେମିତି ରାଜନୀତିକୁ ସମ୍ଭାଳିବେ? ଏ ପ୍ରଶ୍ନ ଉଠିବା ପଛରେ କାରଣ ହେଉଛି ବିଳମ୍ବରେ ହେଲେ ବି ଶଶୀଭୂଷଣଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ଭାବେ ଦଳ ଘୋଷଣା କରିଛି।

ସମାନ ପ୍ରଶ୍ନ ଖୋର୍ଦ୍ଧା, ବେଗୁନିଆରେ ଦଳ ପ୍ରାର୍ଥୀ ବଦଳାଇଛି। ବେଗୁନିଆର ବିଧାୟକଙ୍କୁ ଚିଲିକାରେ ଏବଂ ଖୋର୍ଦ୍ଧା ବିଧାୟକଙ୍କୁ ବେଗୁନିଆରେ ସଂଗଠନ ସମ୍ଭାଳିବା ସହ ନିର୍ବାଚନ ଜିତିବା ଚ୍ୟାଲେଞ୍ଜ ଦିଆଯାଇଛି। ଏଠି ବି ସେହି ସମାନ ପ୍ରଶ୍ନ ଉଠିବା ସ୍ଵଭାବିକ ଯେ, ନିର୍ବାଚନ ମଣ୍ଡଳୀ ବଦଳାଇଦେଲେ ଜଣେ ନେତା କ’ଣ ଭଲ ପ୍ରଦର୍ଶନ କରିପାରନ୍ତି?

ଅବଶ୍ୟ ଏହା ସତ ଯେ, ବିଜେଡିରେ ପ୍ରାାର୍ଥୀଙ୍କ ଅପେକ୍ଷା ପାର୍ଟି ଗୁରୁତ୍ଵପୂଣ୍ଣ। ପାର୍ଟି ସଭାପତିଙ୍କ ଭାବମୂର୍ତ୍ତି ଯୋଗୁ ବିଜେଡିର ନେତାମାନେ ଲୋକଙ୍କ ମୋହର ପାଉଛନ୍ତି। ଏହା କ’ଣ ଏଥର ବି ହେବ?

ରାଜଧାନୀ କଥା

ରାଜଧାନୀରେ ତିନିଟି ନିର୍ବାଚନ ମଣ୍ଡଳୀ। ଉତ୍ତର, ଏକାମ୍ର ଏବଂ କେନ୍ଦ୍ର। କେନ୍ଦ୍ର ଏବଂ ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବଦଳାଇଛି। ଏକାମ୍ରରେ ପୂର୍ବତନ ସରକାରୀ କର୍ମଚାରୀ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପରେ ପୁଣି ଭରସା କରିଛି। ଏହି ନିର୍ବାଚନ ମଣ୍ଡଳୀରେ ଏକଦା ବିଜେଡିର ସଂଗଠନ ସମ୍ଭାଳିଥିବା ବାବୁ ସିଂହ ଏବେ ବିଜେପିରୁ ତାଙ୍କ ବିରୋଧରେ ଲଢ଼ୁଛନ୍ତି। ଏଇଠି ତାଙ୍କ ନିର୍ବାଚନ ଜିତିବା ରାସ୍ତାରେ କଣ୍ଟା ସୃଷ୍ଟି ହୋଇଛି।

ମଧ୍ୟ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମେୟର ଅନନ୍ତ ନାରାୟଣ ( ବୁନୁ) ଜେନା। କିଛିଦିନ ତଳେ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଥିଲା ତାହା ଓଡ଼ିଶା କମ୍ପାଇଥିଲା। ତାଙ୍କୁ ପ୍ରାର୍ଥୀ କରିବେ ବା ନ କରିବେ ସେଥି ନେଇ ଅନେକ ତର୍ଜମା ହୋଇ ଶେଷରେ ତାଙ୍କ ଦାବି ଆଗରେ ଦଳ ମୁଣ୍ଡ ନୁଆଁଇଲା। ଅବଶ୍ୟ ବୁନୁଙ୍କ ବସ୍ତି ଭୋଟ୍‌ ଓ ସଂଗଠନ ଭଲ ରହିଛି। ଏହା ତାଙ୍କୁ ଜିତାଇବାରେ ସହାୟକ ହୋଇପାରେ।

କିନ୍ତୁ ବିଗତ ଥର ବିଜେଡି ପ୍ରାର୍ଥୀଙ୍କୁ ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଏବେ ବି ତାଙ୍କ ବିପକ୍ଷରେ ରହିଛନ୍ତି। ଯଦି ସମବେଦନା ଭୋଟ୍‌ ଓ ଦଳ ବିରୋଧରେ ଜନ ଆକ୍ରୋଶ ରହେ ତେବେ ତାଙ୍କୁ ବି ଅଟକାଇବା କଷ୍ଟ।

ଭୁବନେଶ୍ଵର ଉତ୍ତର ପାଇଁ ପୁଣିଥରେ ନୂଆ ପ୍ରାର୍ଥୀଙ୍କୁ ନେଇଛି ବିଜେଡି। ସୁଶାନ୍ତ ରାଉତଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଫିଲ୍ମ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅପରାଜିତା ମହାନ୍ତି। ଗତ ନିର୍ବାଚନ ଯେମିତି ଲୋକେ ନବୀନଙ୍କୁ ଦେଖି ଭୋଟ୍‌ ଦେଲେ, ଆଉ ଏଥର ବି ସେ ଆସିବା ଜରୁରୀ ବୋଲି ଅନୁଭବ କରିବେ ତେବେ ଅପରାଜିତାଙ୍କ ଲୋକପ୍ରିୟତା କେବେଳ ସେଇ ପର୍ଦାରେ ହିଁ ରହିଯିବ।

ବିଜେପି ଓ ପ୍ରାର୍ଥୀ

ଯେହେତୁ ବିଜେପି ବିଗତ ଅନେକ ନିର୍ବାଚନରେ ସତ୍ତା ପାଇ ନାହିଁ, ଆମେ ଏହାଙ୍କ ନେତାମାନେ ଯଦି ଅଳ୍ପ କିଛି ଲୋକପ୍ରିୟିତା ଓ ଅଧିକ ଭୋଟ୍‌ ହାସଲ କରୁଛନ୍ତି ତେବେ ତାହାକୁ ମଧ୍ୟ ସେମାନଙ୍କ ଶକ୍ତି ପ୍ରଦର୍ଶନ ବୋଲି କହିପାରିବା। ହେଲେ ଏହା ବିଜୟ ହେବ କି ନା ତାହା କିଛି ଦିନ ପରେ ହିଁ ସ୍ପଷ୍ଟ ହେବ।

୨୦୧୪ରେ ବିଜେପି ସ୍ଥିତି ଭୁବନେଶ୍ଵରରେ ଶୂନ୍ୟ ପ୍ରାୟ ଥିଲା। କିନ୍ତୁ କେନ୍ଦ୍ରରେ ସରକାରରେ ଥିବା ବିଜେପି ଏଥର ଓଡ଼ିଶାରୁ ଯେଉଁ କିଛି ଆସନ ଆଣିବାକୁ ଚାହିଁଛି ସେଥିରେ ଭୁବନେଶ୍ଵର ଲୋକସଭା ମଣ୍ଡଳୀ ଅନ୍ୟତମ। ଏଠାରେ ପାର୍ଟି ଏମିତି ଜଣେ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି, ଯାହାଦ୍ଵାରା ବିଜେଡି ମହଲ ଆତଙ୍କିତ ହୋଇଛନ୍ତି। ସେଥିଲାଗି ୫ଥର ଲଗାତାର ସାଂସଦ ନିର୍ବାଚିତ ପ୍ରସନ୍ନ ପାଟଶାଣୀଙ୍କୁ ହଟାଇ ନୂଆ ପ୍ରାର୍ଥୀ ଦେଇଛନ୍ତି। ଯଦି ଭୋଟର କେବଳ ଚିହ୍ନରେ ବିଶ୍ଵାସ କଲେ ତ, ଏଥର ବି ବିଜେଡିକୁ କେହି ରୋକିପାରିବେ ନାହିଁ, କିନ୍ତୁ ଯଦି ବୋହି ନଯାଇ ଚିନ୍ତା କରିବା ଆରମ୍ଭ କରିବେ ତେବେ ବିଜେପିର ‘ପରିବର୍ତ୍ତନ’ ଡାକରା ବାସ୍ତବ ହେବା ଅସମ୍ଭବ ନୁହେଁ।

କିଏ ହେଲେ ପ୍ରାର୍ଥୀ

ନିର୍ବାଚନ ପରିପ୍ରେକ୍ଷୀରେ ପୂର୍ବତନ ଜିଲ୍ଲାପାଳ ତଥା ମିଶନଶକ୍ତି ନିର୍ଦେଶକ ଏବଂ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ ପାହ୍ୟା ମଣ୍ଡନ କରି ଓଡ଼ିଶା ଫେରିଥିବା ଆଇଏଏସ୍‌ ଅଧିକାରୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ପ୍ରାର୍ଥୀ କରିଛି। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁମ୍ବାଇ ପୁଲିସ କମିଶନର ଅରୂପ ପଟ୍ଟନାୟକ। ଅର୍ଥାତ୍‌ ଜଣେ ଅଣ ଓଡ଼ିଆରୁ ଓଡ଼ିଆ ହୋଇ ଚାକିରି ଛାଡ଼ିଥିବା ଅଧିକାରୀ ଏବଂ ଜଣେ ଓଡ଼ିଆରୁ ଅଣଓଡ଼ିଆ ହୋଇଥିବା ଅବସରପ୍ରାପ୍ତ ପୁଲିସ ଅଧିକାରୀ। ଏ ଭିତରେ ଯେଉଁ ଲଢ଼େଇ ଲାଗିବ ସେଠାରେ ପ୍ରାର୍ଥୀର ଓଜନ ଓ ପାର୍ଟିର ପ୍ରଭାବ ହିଁ ଗୁରୁତ୍ଵପୂଣ୍ଣ ହେବ, ନୁହେଁ କି?

ସ୍ଥିତି ଅନୁଶୀଳନ

ରାଜ୍ୟରେ ଆସ୍ଥା ବିରୋଧୀ ଏକ ରାଜନୀତିକ ତତ୍ତ୍ଵ ପ୍ରବାହିତ ହେଉଛି। ତାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ସପକ୍ଷରେ ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ତାହା ଭିନ୍ନ କଥା, କିନ୍ତୁ ଏହା ରାଜନୀତିକ ପଟ୍ଟ ପରିବର୍ତ୍ତନର ସୂଚନା ବି ଦେଉଛି। ଏଯେଉଁ ଆଭ୍ୟନ୍ତରୀଣ ଶକ୍ତି ପ୍ରବାହ ତା ଭିତରେ ଯଦି ଲୋକେ ପାର୍ଟି ଚିହ୍ନ ଛାଡ଼ି ପ୍ରାର୍ଥୀ ଚିହ୍ନକୁ ଦେଖିବେ ତେବେ ବିଜେପି ଲାଭବାନ ହୋଇପାରେ। ଆଉ ତାହା ହେଲେ ବିଜେଡି ଅଙ୍କ କଷୁଥିବା ନେତା, ଅମଲା ଓ ଗୁଇନ୍ଦା ନିଶ୍ଚିତଭାବେ କୋଣଠେସା ହେବେ!

ଧାଡ଼ିକିଆ ମତ

ସଂକ୍ଷେପରେ କହିଲେ ବିଜେଡି ଏଠାରେ କ୍ଷତି ସହିବାକୁ ଯାଉଛି ।

Leave a Reply

Your email address will not be published. Required fields are marked *