ଗୀତା ମାହାତ୍ମ୍ୟ-୧୭: ଆତ୍ମ ସଂଯୋଗ ଯୋଗ ସାଧନ ସମ୍ପର୍କରେ ଉପଦେଶ

ମନୁଷ୍ୟ ନିଜେ ନିଜର ମିତ୍ର ଓ ଶତ୍ରୁ ବୋଲି କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇବା ସହ ମନୁଷ୍ୟ ନିଜ ସ୍ୱଭାବ ଓ ପ୍ରକୃତି ବଶତଃ କର୍ମ କରିଥାଏ ଏବଂ ସେହି କର୍ମ ଅନୁସାରେ ମନୁଷ୍ୟକୁ ଫଳ ମିଳୁଥିବାରୁ ମନୁଷ୍ୟ ନିଜେ ନିଜର ମିତ୍ର ଓ ଶତ୍ରୁ ବୋଲି ଭଗବାନ କହିବା ପରେ ନିଷ୍କାମ ଯୋଗୀମାନେ କିପରି ଯୋଗ କରିବା ଉଚିତ ତାହା ମଧ୍ୟ କହିଥିଲେ । ଯୋଗାଭ୍ୟାସ କରୁଥିବା ବ୍ୟକ୍ତିମାନେ କିପରି ଯୋଗାଭ୍ୟାସ କଲେ ଈଶ୍ୱର ପ୍ରାପ୍ତି ହୁଅନ୍ତି ସେ ସମ୍ପର୍କରେ ମଧ୍ୟ ଅର୍ଜୁନଙ୍କୁ ବୁଝାଇଥିଲେ । ଭଗବାନ ଅର୍ଜୁନଙ୍କୁ କହିଥିଲେ ଯେ,


‘ନାତ୍ୟସ୍ନତସ୍ତୁ ଯୋଗୋସ୍ତି ନ ଚୈକାନ୍ତମନଶ୍ନତଃ ।
ନ ତାତିସ୍ୱପ୍ନଶୀଳସ୍ୟ ଜାଗ୍ରତୋ ନୈବ ଚାର୍ଜୁନ ।
ଯୁକ୍ତାହାରବିହାରସ୍ୟ ଯୁକ୍ତଚେଷ୍ଟସ୍ୟ କର୍ମସୁ ।
ଯୁକ୍ତସ୍ୱପ୍ନାବବୋଧସ୍ୟ ଯୋଗୋ ଭବତି ଦୁଃଖହର ।’


ଅର୍ଥାତ ହେ ଅର୍ଜୁନ, ଯେ ବହୁତ ଭୋଜନ କରନ୍ତି ବା ଆଦୌ ଭୋଜନ କରନ୍ତି ନାହିଁ କିମ୍ବା ବହୁତ ଶୁଅନ୍ତି ବା ଆଦୌ ଶୁଅନ୍ତି ନାହିଁ ତାଙ୍କ ଦ୍ୱାରା ଯୋଗସିଦ୍ଧ ହୁଏ ନାହିଁ । ଆବଶ୍ୟକତା ଅନୁସାରେ ଆହାରବିହାର କରୁଥିବା ଆବଶ୍ୟକତା ଅନୁସାରେ ନିଦ୍ରା ଯାଉଥିବା, ଜାଗ୍ରତ ରହୁଥିବା ଓ କର୍ମମାନଙ୍କରେ ଯଥାଯୋଗ୍ୟ ଚେଷ୍ଟା କରୁଥିବା ବ୍ୟକ୍ତି ଯୋଗରେ ସିଦ୍ଧିପ୍ରାପ୍ତ ହୁଅନ୍ତି। ଏହାସହ ଭଗବାନ ମଧ୍ୟ କହିଛନ୍ତି ପବନ ନଥିବା ସ୍ଥାନରେ ଦୀପର ଶୀଖା ଯେପରି ଚଞ୍ଚଳ ହୁଏ ନାହିଁ ସେହିପରି ପରମାତ୍ମାଙ୍କ ଧ୍ୟାନରେ ଲାଗିଥିବା ଯୋଗୀଙ୍କ ଦ୍ୱାରା ବଶୀଭୂତ ହୋଇଥିବା ଚିତ୍ତ ଯେତେବେଳେ ପରମାତ୍ମାଙ୍କ ଠାରେ ଭଲଭାବରେ ଲାଗିଯାଏ, ସେତେବେଳେ ସମସ୍ତ ଭୋଗ ବିଳାସରୁ ମୁକ୍ତ ଓ ନିସ୍ପୃହ ହୋଇଥିବା ପୁରୁଷଙ୍କୁ ଯୋଗଯୁକ୍ତ ବୋଲି କୁହାଯାଏ । ଯୋଗାଭ୍ୟାସ ଦ୍ୱାରା ଯୋଗୀଙ୍କର ନିରୁଦ୍ଧ ହୋଇଥିବା ଚିତ୍ତ କେବଳ ପରମାତ୍ମାଙ୍କ ଧ୍ୟାନରେ ଶୁଦ୍ଧ ହୋଇ ପରମାତ୍ମାଙ୍କୁ ସାକ୍ଷାତ କରି ସନ୍ତୁଷ୍ଟ ହୋଇ ରହେ ଓ ଅନନ୍ତ ଆନନ୍ଦ ଅନୁଭବ କରେ ଏବଂ ପରମାତ୍ମାଙ୍କ ସ୍ୱରୂପ ଦର୍ଶନରେ କଦାପି ବିଚଳିତ ହୁଏନାହିଁ । ପରମ ପ୍ରାପ୍ତିର ଲାଭ ପାଇଲା ପରେ ଏହି ଯୋଗୀମାନେ ଅନ୍ୟ କିଛି ଚାହାଁନ୍ତି ନାହିଁ କିମ୍ବା ଅତିଶୟ ଦୁଃଖରେ ବିଚଳିତ ହୁଅନ୍ତି ନାହିଁ । ତେଣୁ ଯୋଗାଭ୍ୟାସ କରୁଥିବା ଯୋଗୀମାନେ କ୍ଷୁର୍ଣ୍ଣ ନହୋଇ ବା ଧୈର୍ଯ୍ୟର ସହିତ ଉତ୍ସାହିତ ଚିତରେ ଯୋଗସାଧନା କରିବା ଉଚିତ । ସଂକଳ୍ପରୁ ଉତ୍ପନ୍ନ ହେଉଥିôବା ସକଳ କାମନା ତ୍ୟାଗ କରିବା ସହିତ ସମସ୍ତ ଇନ୍ଦ୍ରିୟକୁ ସବୁ ଦିଗରୁ ଭଲଭାବେ ନିରୋଧ କରି ଯୋଗସାଧନ କରାଯିବା ଦରକାର । ଅତଏବ ଯୋଗସାଧନାରେ ବ୍ରତୀ ବ୍ୟକ୍ତିମାନେ କ୍ରମଶଃ ଅଭ୍ୟାସ କରି ଧୈର୍ଯ୍ୟଶୀଳ ହୋଇ ପରମାତ୍ମାରେ ମନ ଲଗାଇ କେବଳ ପରମାତ୍ମାଙ୍କ ବ୍ୟତୀତ ଅନ୍ୟକିଛି ଚିନ୍ତା ନକରି ଯୋଗ କରିବା ଦ୍ୱାରା ଯୋଗ ସାଧନାରେ ସିଦ୍ଧି ଲାଭ ହୁଏ । ତେଣୁ ଅସ୍ଥିର ଚଞ୍ଚଳ ମନକୁ ସଂସାର ବିଷୟରୁ ନିବୃତ କରି ବାରମ୍ବାର ପରମାତ୍ମାଙ୍କୁ ଚିନ୍ତା କରିବା ଆବଶ୍ୟକ । ଯେଉଁ ଯୋଗୀଙ୍କ ମନ ସମ୍ପୂର୍ଣ୍ଣ ଶାନ୍ତ, ସମସ୍ତ ପାପରୁ ମୁକ୍ତ, ଯାହାଙ୍କର ରଜୋଗୁଣ ଶାନ୍ତ ହୋଇଯାଇଥିବ ସେମାନେ ସଚ୍ଚିଦାନନ୍ଦ ଘନ ବ୍ରହ୍ମଙ୍କ ସହିତ ଏକୀଭୂତ ହେବାପରେ ପରମାନନ୍ଦ ଲାଭ କରନ୍ତି ବୋଲି ଭଗବାନ ଅର୍ଜୁନଙ୍କୁ ବୁଝାଇଛନ୍ତି ।

ଅଧିକ ଗୀତା ମାହାତ୍ମ୍ୟ ପାଇଁ କ୍ଲିକ୍‌ କରନ୍ତୁ

ଗୀତା ମାହାତ୍ମ୍ୟ୧୬: ଆତ୍ମ ସଂଯୋଗ ଯୋଗ କ’ଣ, ଯୋଗୀ କିଏ

ଗୀତା ମାହାତ୍ମ୍ୟ-୧୫: ବିଷୟ ସୁଖରେ ଅନାସକ୍ତ ହେଉଛି ଅକ୍ଷୟ ଆନନ୍ଦପ୍ରାପ୍ତ ର ମାର୍ଗ

ଗୀତା ମାହାତ୍ମ୍ୟ-୧୪: ସ୍ୱଭାବ ଅନୁଯାୟୀ କର୍ମ ଓ ଈଶ୍ୱରଙ୍କଠାରେ ମନ ସମସ୍ତ ବିଷାଦରୁ ମୁକ୍ତି ଦିଏ

Leave a Reply

Your email address will not be published. Required fields are marked *