ବାରଣାସୀରେ ମୋଦୀଙ୍କ ବିରୋଧରେ କିଏ?

ଦେଶର ସବୁଠାରୁ ହାଇପ୍ରୋଫାଇଲ ଆସନକୁ ନେଇ ଏବେ ଚର୍ଚ୍ଚା ଯୋର। ପ୍ରଧାନମନ୍ତ୍ରୀ ନିଜ ଆସନ ବାରଣାସୀରେ ଏଥର ପୁଣି ଠିଆ ହେଉଥିବାରୁ ବିରୋଧୀ ଦଳ କାହାକୁ ପ୍ରାର୍ଥୀ ଦେଉଛି ତାହା ଏବେ କୌତୁହଳ ସୃଷ୍ଟି କରିଛି। କାରଣ ବର୍ତ୍ତମାନ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କାଶୀ ଗସ୍ତରେ ଅଛନ୍ତି।

ରାଜନୈତିକ ବିଶେଷଜ୍ଞଙ୍କ ମତ ହେଉଛି ଯେ, ଏହି ଆସନରୁ ମୋଦୀଙ୍କୁ ହରାଇବା ତ ଦୂରର କଥା ତାଙ୍କୁ ଟକ୍କର ବୋଧହୁଏ କେହି ଦେଇପାରିବେ ନାହିଁ। ଆଉ ଟକ୍କର ଦେବାକୁ ହେଲେବିରୋଧୀ ଦଳମାନଙ୍କୁ ଏକାଠି ହୋଇ କୌଣସି ଜଣେ ବରିଷ୍ଠ ନେତାଙ୍କୁ ଠିଆ କରାଇବାକୁ ପଡ଼ିବ।

ଏହି ପ୍ରାର୍ଥୀ ତାଲିକାରେ ସବୁଠୁ ଚର୍ଚ୍ଚାରେ ଅଛନ୍ତି ସଙ୍କଟମୋଚନ ମନ୍ଦିରର ମହନ୍ତ ତଥା ଆଇଆଇଟି, ବିଏଚୟୁ ପ୍ରଫେସର ବିଶ୍ୱମ୍ୱରନାଥ ମିଶ୍ରଙ୍କ। ପ୍ରଫେସର ବିଶ୍ୱମ୍ୱର ଗଙ୍ଗା ପୁତ୍ର ନାମରେ ପ୍ରଖ୍ୟାତ ସଙ୍କଟମୋଚନ ମନ୍ଦିରର ସ୍ୱର୍ଗତ ମହନ୍ତ ପ୍ରଫେସର ବୀରଭଦ୍ର ମିଶ୍ରଙ୍କ ପୁଅ। ବୀରଭଦ୍ରଙ୍କ ବ୍ୟକ୍ତିତ୍ୱ ବିଶ୍ୱବ୍ୟାପୀ ଚର୍ଚ୍ଚାରେ ଥିବା ବେଳେ ବାରଣାସୀର ସାମଜିକ ବର୍ଗରେ ବିଶ୍ୱମ୍ୱର ମଧ୍ୟରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ।

ନିକଟରେ ଏକ ସାକ୍ଷାତକାରରେ ପ୍ରଫେସର ବିଶ୍ୱମ୍ୱରନାଥ କହିଥିଲେ ଯେ, ଆମେ କୌଣସି ରାଜନୈତିକ ବ୍ୟକ୍ତି ବିଶେଷ ନୁହେଁ। ପରମ୍ପରାକୁ ନେଇ ବଞ୍ଚୁଥିବା ଲୋକ ଆମେ। ଗତ କିଛି ସମୟ ଧରି ଦେଶର ସ୍ଥିତିରେ ଯେଉଁ ପରିବର୍ତ୍ତନ ଦେଖିବାକୁ ମିଳିଛି ତାହା ମତେ ବଡ଼ କଷ୍ଟ ଦେଇଛି। ଆମେ ସତ କହିବାର ସାହସ ରଖିଛୁ ହେଲେ ଆମ କଥାକୁ ଚପାଇ ଦବାର ଚେଷ୍ଟା ଚାଲିଛି। ବଡ଼ ଚିନ୍ତାର ବିଷୟ ଆମେ ଲୋକଙ୍କୁ ଡାକ୍ତର, ଇଞ୍ଜିନିୟର ବନାଉ ବନାଉ ଏବେ ତାଙ୍କୁ ଚୌକିଦାର ବନାଇବାରେ ଲାଗିଛୁ। ଅର୍ଥାତ ପୁରା ଭାରତ ଚୌକିଦାର ବନିବ, ଯିଏ ନ ବନିବ ସେ ହେବ ଚୋର।

ଅନ୍ୟ ପଟେ ଏହି ଧାରାରେ ଭୀମ ଆର୍ମୀର ସଂସ୍ଥାପକ ଚନ୍ଦ୍ରଶେଖର ଆଜାଦଙ୍କ ନାମ ମଧ୍ୟ ରହିଛି। କୁହାଯାଉଛି ଯେ ତାଙ୍କୁ କଂଗ୍ରେସ ସମର୍ଥନ ଦେଇପାରେ। ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ବିରୋଧୀ ଦଳ ଏହି ଆସନରେ ପ୍ରାର୍ଥୀ ଦେବା ସମ୍ପର୍କରେ ମୁହଁ ଖୋଲି ନାହିଁ। ବିଶେଷଜ୍ଞମାନଙ୍କ ଯୁକ୍ତି ହେଉଛି ବିରୋଧୀ ଦଳମାନେ ଏହି ଆସନ ପାଇଁ ଜଣେ ମଜଭୁତ ପ୍ରାର୍ଥୀର ସନ୍ଧାନରେ ଅଛନ୍ତି। ମାତ୍ର ଏଠାରୁ ମୋଦୀଙ୍କୁ ଟକ୍କର ଦେବା ସେତେଟା ସହଜ ନୁହେଁ।

Leave a Reply

Your email address will not be published. Required fields are marked *