ବିଜେପିକୁ ବିଜେଡି ଅସନ୍ତଷ୍ଟ କେତେ ସହାୟକ ହେବେ?
୨୦୧୪ରେ ବିଜୁ ଜନତା ଦଳରେ ଯେଉଁମାନଙ୍କର ଟିକଟ କଟୁଥିଲା, ସେମାନେ ଖୋଲା ବିଦ୍ରୋହ କରିବାକୁ ସାହସ ଜୁଟାଇ ପାରୁ ନଥିଲେ। ଚୁପ ରହୁଥିଲେ କିମ୍ୱା ଦଳର ନୂଆ ପ୍ରାର୍ଥୀଙ୍କୁ ସମର୍ଥନ କରିଯାଉଥିଲେ। କିନ୍ତୁ ଏଥର ରାଜନୈତିକ ପରିସ୍ଥିତ ସମ୍ପୂର୍ଣ୍ଣ ଓଲଟା। ଟିକଟ ପାଇବାରୁ ବଞ୍ଚିତ ହୋଇଥିବା ଆଶାୟୀମାନେ ନିରାଶ ହୋଇ ନବୀନ ନିବାସ ସମ୍ମୁଖରେ ଓ ଅଞ୍ଚଳରେ ବିଦ୍ରୋହ କରିବା ଆରମ୍ଭ କରିଦେଇଛନ୍ତି।
ଏବେ ଆଶାୟୀ ନେତାମାନେ ବିଜେଡି ନେତୃତ୍ୱକୁ ଖୋଲା ଧମକ ଦେଇ ଦଳ ଛାଡ଼ି ଚାଲିଯାଉଥିବା ନେତାଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏହାର ଦୁଇଟି କାରଣ ଥାଇପାରେ। ଟିକଟ ପାଉ ନଥିବା ବା ବଞ୍ଚିତ ହେଉଥିବା ନେତାଙ୍କ ପାଖରେ ଏବେ ବିକଳ୍ପ ଅଛି। ଦ୍ୱିତୀୟଟି ହୋଇପାରେ ଯେ, ବିଜେଡିର ଦିନ ସରି ସରି ଆସୁଛି।
ଏବେ ବିଜେଡି ଅସନ୍ତୁଷ୍ଟଙ୍କ ପାଇଁ ନମ୍ୱର ୱାନ ବିକଳ୍ପର ଦଳ ହୋଇଛି ବିଜେପି । କାରଣ ବିଜେପି ପ୍ରତି ମତଦାତାଙ୍କର ସହାନଭୂତି ଥିବାବେଳେ ସବୁ ଅଞ୍ଚଳରେ ନିର୍ବାଚନ ଜିତିଲା ଭଳି ନେତାଙ୍କର ଅଭାବ ରହିଛି। ବହୁ କମ ଅସନ୍ତୁଷ୍ଟ କଂଗ୍ରେସ ମୁହାଁ ହେବେ। କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଅନ୍ୟ ଦଳର ଅସନ୍ତୁଷ୍ଟ ବିଜେଡି ମୁହାଁ ନୁହଁନ୍ତି। କିନ୍ତୁ ପାର୍ଥକ୍ୟ ହେଲା, ଅନ୍ୟ ଦଳର ନେତାମାନଙ୍କୁ ବିଜେଡି ପ୍ରଲୋଭିତ କରି ଦଳକୁ ଆଣୁଛି। କିନ୍ତୁ ବିଜେଡିର ଅସନ୍ତୁଷ୍ଟମାନେ ଅନ୍ୟ ଦଳକୁ ଯିବା ପାଇଁ ଧାଡ଼ି ଲଗାଉଛନ୍ତି।
ବିଜେଡିର ଏହି ଅସନ୍ତୁଷ୍ଟ ନେତାମାନେ ଅପେକ୍ଷା କରିଥିଲେ ଯେ, ଦଳର ପ୍ରାର୍ଥୀ ଘୋଷଣା ପରେ ଯାହା କିଛି ନିଷ୍ପତ୍ତି ନେବେ। ଏବେ ଦୁଇଟି ପର୍ଯ୍ୟାୟ ମତଦାନ ସକାଶେ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିଛି। ଅସନ୍ତୁଷ୍ଟମାନେ ସମଗ୍ର ରାଜ୍ୟରେ ବିଦ୍ରୋହ ବିଗୁଲ ବଜାଇ ଦଳ ଛାଡ଼ିବା ଆରମ୍ଭ କରିଦେଇଛନ୍ତି। ଏଭଳି ଅସନ୍ତୁଷ୍ଟ ବା ଟିକଟରୁ ବଞ୍ଚିତ ହେଉଥିବା ନେତାମାନେ ମୋଟାମୋଟି ଭାବେ ଭାରତୀୟ ଜନତା ପାର୍ଟିକୁ ଯାଉଛନ୍ତି। କିନ୍ତୁ ସମସ୍ୟା ହେଉଛି, ଏତେ ଅସନ୍ତୁଷ୍ଟଙ୍କୁ ବିଜେପି ସନ୍ତୁଷ୍ଟ କରିପାରିବ ତ?
ବିଜେପି ପାଇଁ କେତେକ କ୍ଷେତ୍ରରେ ଅସୁବିଧା ମଧ୍ୟ ହୋଇପାରେ। ଏହି ଦଳତ୍ୟାଗୀ ଓ ସୁବିଧାବାଦୀ ବିଜେଡି ନେତାଙ୍କ ପାଇଁ ବିଜେପିର ନେତା ଓ କର୍ମୀମାନେ ବିଦ୍ରୋହୀ ଭୂମିକାକୁ ଚାଲିଯାଇ ପାରନ୍ତି। କିନ୍ତୁ ବିଜେଡିର କେତେଜଣ ପ୍ରଭାବଶାଳୀ ଅସନ୍ତୁଷ୍ଟ ନେତା ବିଜେପି ପାଇଁ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ଦେଇ ହେବନାହିଁ।
କିଛିଦିନ ତଳେ ବିଜେପି ନେତାମାନେ ସଗ୍ଧେତ ଦେଇଥିଲେ ଯେ, ପ୍ରାୟ ଦେଢ଼ ଡଜନ ବିଜେଡି ବିଧାୟକ ସେମାନଙ୍କ ସମ୍ପର୍କରେ ଅଛନ୍ତି। ଏହା ମିଛ ବୋଲି ଲାଗୁ ନାହିଁ। ସୁନ୍ଦରଗଡ଼ରେ କୁସୁମ ଟେଟେ ଗତ ଥର ବିଜେଡି ପ୍ରାର୍ଥୀ ଥିଲେ। ସେଠାରେ କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କୁ ବିଜେଡି ପ୍ରାର୍ଥୀ କରିଛି। କୁସୁମଙ୍କୁ ସନ୍ତୁଷ୍ଟ କରିବା ପାଇଁ ନବୀନ ପଟ୍ଟନାୟକ ତାଙ୍କୁ ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷା କରିଥିଲେ। କିନ୍ତୁ ସେ ଏହି ପଦରୁ ଇସ୍ତଫା ଦେବା ସହ ମଙ୍ଗଳବାର ଦିନ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। କୁସୁମ ଟେଟେ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି।
ଜୁନାଗଡ଼ର ବିଜେଡି ନେତା ପ୍ରମୋଦ ପଟ୍ଟନାୟକ ମଧ୍ୟ ଛାଡ଼ିଛନ୍ତି ଦଳ। ସେ ମଧ୍ୟ ବିଜେପିକୁ ଯାଉଛନ୍ତି ବୋଳି ଆଲୋଚନା ହେଉଛି। ଜୁନାଗଡ଼ରେ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଜେଡି ପୁଣି ପ୍ରାର୍ଥୀ କରିଛି।
କନ୍ଧମାଳର ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ବିଜେଡି ଟିକଟ ଦେଇ ନାହିଁ। ତାଙ୍କ ସ୍ଥାନରେ ରାଜ୍ୟସଭା ସଦସ୍ୟ ଅଚ୍ୟୁତ ସାମନ୍ତ ପ୍ରାର୍ଥୀ ହୋଇଛନ୍ତି। ଏବେ ପ୍ରତ୍ୟୁଷା ବିଜେଡିରୁ ଇସ୍ତଫା ଦେଇଛନ୍ତି। ପ୍ରତ୍ୟୁଷା କଂଗ୍ରେସ ନା ବିଜେପିକୁ ଯିବେ, ତାହା ସ୍ପଷ୍ଟ ହେଉ ନଥିଲେ ହେଁ, ବିଜେପି ଚାନ୍ସ ଅଧିକ। ପ୍ରତ୍ୟୁଷାଙ୍କ ସହିତ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ମଧ୍ୟ ବିଜେପିରେ ଯୋଗ ଦେବେ ବୋଲି ତାଙ୍କ ସମର୍ଥକମାନେ ଆଲୋଚନା କରୁଛନ୍ତି।
ଯେତେବେଳେ ଅନ୍ୟ ତିନିଟି ପର୍ଯ୍ୟାୟ ଲାଗି ବିଜୁ ଜନତା ଦଳ ପ୍ରାର୍ଥୀ ଚୂଡ଼ାନ୍ତ କରିବ, ସେତେବେଳେ ଅଧିକରୁ ଅଧିକ ଅସନ୍ତୁଷ୍ଟ ବିଜେପି ମୁହାଁ ହେବେ। କଂଗ୍ରେସରୁ ମଧ୍ୟ କିଛି ଅସନ୍ତୁଷ୍ଟ ନେତା ବିଜେପିକୁ ଆସିବେ। ତେଣୁ ଶେଷ ଦଳ ଭାବରେ ବିଜେପି ପ୍ରାର୍ଥୀ ଘୋଷଣା କରୁଛି।
ଅନେକ ସ୍ଥାନରେ ବିଜେଡି କର୍ମୀ ମହଲରେ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ଦେଖାଦେଇଛି। ଆଗକୁ ଅନେକ ଅଞ୍ଚଳକୁ ଏହା ସଂକ୍ରମିତ ହେବାର ଆଶଙ୍କା ରହିଛି। ବିଶେଷତଃ ଉପକୂଳ ଓଡ଼ିଶାରେ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ଏଭଳି ଚିତ୍ର ଅଧିକ ଜଟିଳ ହୋଇଯିବ।
ଅନେକ ବିଧାୟକ ଟିକଟ ନପାଇବା ଆଶଙ୍କା କରି ବିଜେପି ନେତୃତ୍ୱ ସହ ଯୋଗାଯୋଗ କରିସାରିଲେଣି। ଏକ୍ଷେତ୍ରରେ ପ୍ରମୁଖ ଭୂମିକା ନେଉଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ୨୨ ବର୍ଷ ଧରି ବିଜେଡିରେ ଥିଲେ। ଦଳର ଅନେକ ଅସନ୍ତୁଷ୍ଟ ନେତା ଓ ବିଧାୟକମାନେ ମୁଖ୍ୟତଃ ଜୟ ପଣ୍ଡାଙ୍କ ସଂସ୍ପର୍ଶରେ ଅଛନ୍ତି। ତେଣୁ ଆଗକୁ ବିଜେଡି ଅସନ୍ତୋଷରୁ ଭରପୂର ଫାଇଦା ଉଠାଇବା ପାଇଁ ସେ
ଚେଷ୍ଟା କରିବେ।
କିନ୍ତୁ ସେହି ଶେଷ ପ୍ରଶ୍ନ। ଏତେ ଅସନ୍ତୁଷ୍ଟଙ୍କୁ ଉଭୟ ବିଜେଡି ସ କଂଗ୍ରେସରୁ ଆଣି ବିଜେପି ସ୍ତୁଷ୍ଟ କରିପାରିବ ତ? ଏହାର ଉତ୍ତର କେବଳ ନିର୍ବାଚନ ପ୍ରଚାର ସମୟରେ ଏବଂ ଫଳ ପ୍ରକାଶ ପାଇବା ପରେ ଜଣାପଡ଼ିଯିବ।