ରଣକ୍ଷେତ୍ର ପାଲଟିଲା ବେଦାନ୍ତ ପ୍ଲାଣ୍ଟ ପରିସର

ଦୁଇ ମୃତ, ୧୪୪ ଧାରା ଜାରି

ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନା ପ୍ଲାଣ୍ଟରେ ଆଜି ତୁମୁଳକାଣ୍ଡ ଘଟିଛି। ମୁହାଁମୁହିଁ ହୋଇଛନ୍ତି ଠିକା କର୍ମଚାରୀ ଓ କମ୍ପାନୀ ସୁରକ୍ଷାକର୍ମୀ। ଉତ୍ତ୍ୟକ୍ତ ଲୋକେ ପ୍ଲାଣ୍ଟ ପରିସରକୁ ଧସେଇ ପଶିବା ପରେ ସଂଘର୍ଷ ଘଟିଥିଲା। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ସୁଦ୍ଧା ଜଣେ ନିଖୋଜ ଅଛନ୍ତି। ଅନେକ ଆହତ ହୋଇଥିବା ଜଣାପଡ଼ିଛି।

ପୂରା ଘଟଣା ଏମିତି। ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା, ନୂଆ ନିଯୁକ୍ତି ଓ ପ୍ଲାଣ୍ଟ ପରିସରରେ ଥିବା ଡିଏଭି ପବ୍ଲିକ ସ୍କୁଲରେ ଠିକା କର୍ମଚାରୀଙ୍କ ପିଲାଙ୍କ ଆଡମିଶନ ଦାବିରେ ଆନ୍ଦୋଳନର ସୂତ୍ରପାତ ହୋଇଥିଲା। ଠିକା କର୍ମଚାରୀମାନେ ଗେଟ୍ ଆଗରେ ଧାରଣାରେ ବସିଥିଲେ। ଏଥିରେ ବେଦାନ୍ତ ଆଲୁମିନା ପାଇଁ ବିସ୍ଥାପିତ ହୋଇଥିବା ତିନି ଖଣ୍ଡ ଗାଁର ଲୋକେ ସାମିଲ୍‌ ହୋଇଥିଲେ। ପରେ ଆନ୍ଦୋଳନରତ ଲୋକ ଓ ଠିକା କର୍ମଚାରୀମାନେ କାରଖାନା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ମାତ୍ର ସେମାନଙ୍କୁ କମ୍ପାନୀର ସୁରକ୍ଷାକର୍ମୀମାନେ ବାଧା ଦେଇଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା। ସୁରକ୍ଷା କର୍ମୀମାନେ ଆନ୍ଦୋଳନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଥିଲା। ଫଳରେ ଠିକା କର୍ମଚାରୀ ଜାନୀ ପାତ୍ରଙ୍କ ମୃତ୍ୟୁ ଘଟିଥିଲା। ସେହିପରି ସୁରକ୍ଷା ଦାୟିତ୍ୱରେ ଥିବା ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସର ହାବିଲଦାର ସୁଜିତ କୁମାର ମିଞ୍ଜଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ଏଥିରେ ୩୦ରୁ ଅଧିକ ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଲାଞ୍ଜିଗଡ଼ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଗତବର୍ଷ ମେ ମାସ ୨୨ ତାରିଖରେ ତାମିଲନାଡ଼ୁର ଟୁଟିକୋରିନ୍‌ଠାରେ ବେଦାନ୍ତ ପ୍ଲାଣ୍ଟକୁ କେନ୍ଦ୍ରକରି ଏହିପରି ଉତ୍ତେଜନା ହୋଇଥିଲା। ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଗୁଳିଚାଳନା କରିଥିଲା। ସେଥିରେ ୧୩ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ସୁପ୍ରିମ୍‌କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିଲା। ଏବେଯାଏ ପ୍ଲାଣ୍ଟ ବନ୍ଦ ରହିଛି।

Leave a Reply

Your email address will not be published. Required fields are marked *