ସାଂସଦ ହେବାପରେ ପିନାକୀ ଭଲ କମେଇଛନ୍ତି ଆଉ ଅର୍ଜୁନ ହରାଇଛନ୍ତି

କଥାରେ ଅଛି ଭଲ ବ୍ୟବସାୟ ରାଜନୀତି। ଅର୍ଥାତ୍‌ ଏଥିରେ ଲାଭ ହିଁ ଲାଭ। ହେଲେ ବାସ୍ତବରେ ତାହା କ’ଣ ସତ? ଏମିତି ଏକ ପ୍ରଶ୍ନର ଉତ୍ତର ଖୋଜିଛନ୍ତି ‘ଇଲେକ୍ସନ୍‌ ୱାଚ୍‌’। ନିକଟରେ ଦୁଇଥର ସାଂସଦ ହୋଇଥିବା ଦେଶର ୧୫୩ ପ୍ରତିନିଧିଙ୍କ ସମ୍ପତ୍ତି ତାଲିକା ତଥା ସେମାନଙ୍କ ଦ୍ଵାରା ଦାଖଲ ହୋଇଥିବା ସମ୍ପତ୍ତିଗତ ସତ୍ୟପାଠକୁ ଅନୁଶୀଳନ କରିଛନ୍ତି। ଆଉ ଏଥିରୁ ଲକ୍ଷ୍ୟ କରାଯାଇଛି ଯେ, ସେମାନଙ୍କ ସମ୍ପତ୍ତିରେ ହାରାହାରି ୧୪୨ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଯେଉଁ ସାଂସଦଙ୍କ ୨୦୦୯ ମସିହାରେ ମୁଣ୍ଡପିଛର ହାରାହାରି ସମ୍ପତ୍ତି ପରିମାଣ ସାଢ଼େ ୫ କୋଟି ଥିଲା, ଏବେ ସେହି ସାଂସଦଙ୍କ ପାଖରେ ମୁଣ୍ଡପିଛା ହାରାହାରି ୧୩ କୋଟି ୩୨ ଲକ୍ଷ ଟଙ୍କାର ସମ୍ପତ୍ତି ଠୁଳ ହୋଇପାରିଛି।

ଅର୍ଜନକାରୀ ବିଜେଡି ସାଂସଦ

ଏହି ତାଲିକାରେ ରହିଛନ୍ତି ରାଜ୍ୟର ୭ ଜଣ ସାଂସଦ। ସମସ୍ତେ ବିଜୁ ଜନତାଦଳ ଟିକେଟ୍‌ରେ ପୁନଃ ନିର୍ବାଚିତ। ଏମାନଙ୍କ ଦ୍ଵାରା ଦାଖଲ କରାଯାଇଥିବା ସମ୍ପତ୍ତି ତାଲିକା ଅନୁସାରେ ଏହି ସାଂସଦମାନେ ଢେର ପ୍ରଗତୀ କରିଛନ୍ତି। ଅର୍ଥାତ୍‌ ଯଥେଷ୍ଟ ଅର୍ଥ ବା ସମ୍ପତ୍ତି ଠୁଳ କରିପାରିଛନ୍ତି। ୨୦୦୯ରୁ ୨୦୧୪ ମସିହା ଭିତରେ ଏହି ସାଂସଦମାନେ ମୁଣ୍ଡପିଛା ହାରାହାରି ୧୮ କୋଟି ଟଙ୍କା ଅର୍ଜନ କରିପାରିଛନ୍ତି, ଯାହାକୁ ସେମାନେ ଆୟକର ବିଭାଗକୁ ଦେଖାଇବାରେ ସାହସ କରିଛନ୍ତି। ଅର୍ଥାତ୍‌ ଏହି ୫ ବର୍ଷ ଭିତରେ ତାଙ୍କର ଧଳାଧନ ପରିମାଣରେ ୧୮ କୋଟି ଟଙ୍କା ହାରାହାରି ଅଭିବୃଦ୍ଧି ହୋଇଛି। ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଏବଂ ଶିରୋମଣି ଅକାଳିଦଳ ପରେ ବିଜେଡି ହେଉଛି ତୃତୀୟ ଦଳ ଯାହାର ସାଂସଦମାନଙ୍କ ହାରାହାରି ଅର୍ଜନ ସର୍ବାଧିକ।

ପିନାକୀ ସର୍ବାଧିକ ଆୟକାରୀ

ପିନାକୀ ମିଶ୍ର

ଏହି ସାତଜଣଙ୍କ ଭିତରେ ଯାହାର ସର୍ବାଧିକ ଅଭିବୃଦ୍ଧି ହୋଇଛି ସେ ହେଉଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର। ତାଙ୍କ ସମ୍ପତ୍ତି ତଥା ଆୟରେ ୩୬୨ ପ୍ରତିଶତ ଅଭିବୃଦ୍ଧି ହୋଇଛି। ୨୦୦୯ ମସିହାରେ ତାଙ୍କ ଦ୍ଵାରା ଦାଖଲ ହୋଇଥିବା ସତ୍ୟପାଠରେ ପ୍ରାୟ ୨୯ କୋଟି ଟଙ୍କାର ସମ୍ପତ୍ତି ପ୍ରଦର୍ଶନ କରାଯାଇଥିଲା। ୨୦୧୪ ସତ୍ୟପାଠରେ ତାହା ୧୩୭ କୋଟି ଟଙ୍କା ହୋଇଗଲା। ଅର୍ଥାତ୍‌ ୫ ବର୍ଷରେ ଆୟ ପରିାମଣରେ ୧୦୭ କୋଟି ଟଙ୍କା ବୃଦ୍ଧି ହୋଇଛି। ଏହା ସତ ଯେ, ପିନାକୀ ରାଜନୀତି ଛଡ଼ା ଓକିଲାତି ବ୍ୟବସାୟ କରନ୍ତି। ଆଉ ଜଣେ ଜଣାଶୁଣା ଓକିଲ। କିନ୍ତୁ ଆଶ୍ଚର୍ଯ୍ୟ ଯେ, ରାଜନୀତିକୁ ଆସିବା ପରେ ସେ ଓକିଲାତି ପାଇଁ ଅଧିକ ସମୟ ପାଉଛନ୍ତି କିପରି? ଯଦି ତାହା ନହୁଏ ତାଙ୍କ ଦେୟ ବଢ଼ିଛି, ତେବେ ନିହାତି ଭାବେ ତାଙ୍କ ପ୍ରଭାବ ରାଜନୀତି ସକାଶେ ଅଧିକ ହୋଇଛି, ନୁହେଁ କି? ଏମିତି ଯଦି ହୋଇଥିବ ତେବେ ୨୦୧୯ରେ ଯଦି ଟିକେଟ୍‌ ପାଇବେ ତେବେ ତାଙ୍କ ସତ୍ୟପାଠକୁ ଅପେକ୍ଷା କରିବାକୁ ପଡ଼ିବ। ସେଥିରୁ ଜଣାପଡ଼ିବ ୨୦୧୪ରୁ ୨୦୧୯ ଭିତରେ ଓକିଲ ସାଂସଦ ପିନାକୀ ମିଶ୍ର ଆଉ କେତେ ସମ୍ପତ୍ତି ବଢ଼ାଇପାରିଲେ, ନୁହେଁକି?

ତଥାଗତ ସତପଥୀ

ତଥାଗତ ସତପଥୀ

ଖବରକାଗଜ ସମ୍ପାଦକ ତଥା ସକ୍ରିୟ ରାଜନୀତିରୁ ବିରତି ନେଇଥିବା ତଥାଗତଙ୍କ ସମ୍ପତ୍ତିରେ ବି ୨୯୮ ପ୍ରତିଶତ ଅଭିବୃଦ୍ଧି ହୋଇଛି। ୨୦୦୯ରେ ତାଙ୍କର ସମୁଦାୟ ସମ୍ପତ୍ତି ପରିମାଣ ୫ କୋଟି ଥିଲା। ଏହା ୨୦୧୪ ବେଳକୁ ୨୩ କୋଟିରେ ପହଞ୍ଚିଥିଲା।

କଳିକେଶ ସିଂହଦେଓ

କଳିକେଶ ସିଂହଦେଓ

ପୁଣିଥରେ ବିଜେଡି ଟିକେଟ୍‌ ପାଇଥିବା କଳିକେଶ ସିଂହଦେଓବି ନିଜ ସମ୍ପତ୍ତିକୁ ଯଥେଷ୍ଟ ବଢ଼ାଇଛନ୍ତି। ୧୪୩ ପ୍ରତିଶତ ଅଭିବୃଦ୍ଧି ହୋଇଛି ତାଙ୍କ ସମ୍ପତ୍ତିରେ। ରାଜ୍ୟ ଭିତରେ ସବୁଠାରୁ ଅଧିକ ଅଭିବୃଦ୍ଧି ହୋଇଥିଲା

ସିଦ୍ଧାନ୍ତ ମହାପାତ୍ର

ସିଦ୍ଧାନ୍ତଙ୍କ ଆୟରେ ୨୪୧ ପ୍ରତିଶତ ବୃଦ୍ଧି

୨୦୦୫ରୁ ୨୦୦୯ଭିତରେ କୋଟିପତି ହେବାର ସୌଭାଗ୍ୟ ଅର୍ଜନ କରିଥିବା ତଥାଗତ ଓ ସିଦ୍ଧାନ୍ତ ମହାପାତ୍ର ରହିଛନ୍ତି। ସିଦ୍ଧାନ୍ତଙ୍କ ସମ୍ପତ୍ତିରେ ୨୪୧ ପ୍ରତିଶତ ଅଭିବୃଦ୍ଧି ହୋଇଥିଲା।

କୋଟିପତି ହେବାର ସୌଭାଗ୍ୟ

ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କର। ଏଥର ଟିକେଟ୍‌ ନପାଇବା ଆଶଙ୍କା ତାଙ୍କର ରହିଛି। ତାଙ୍କ ସମ୍ପତ୍ତିରେ ୮୧୮ ପ୍ରତିଶତ ଉନ୍ନତି ହୋଇଥିବା ଦର୍ଶାଯାଇଛି। ଏହିକ୍ରମରେ ସେ ଲକ୍ଷପତିରୁ କୋଟିପତି ହୋଇପାରିଛନ୍ତି।

କ୍ଷତି ସହିଛନ୍ତି ଅର୍ଜୁନ

ରାଜନୀତି ବ୍ୟବସାୟରେ ଫେଲ୍‌ ମାରିଛନ୍ତି ବାରମ୍ବାର ସାଂସଦ ହେଉଥିବା ଅର୍ଜୁନ ସେଠୀ। ଦର୍ଶାଇଥିବା ଆୟ ବିବରଣୀରେ ସେ ଲେଖିଛନ୍ତି, ସେ କୋଟିପତିରୁ ଲକ୍ଷପତି ପାଲଟିଗଲେ। ତାଙ୍କ ଆୟରେ ୩୯ ପ୍ରତିଶତ କ୍ଷତି ହୋଇଛି। ଏତେ ଅଭିଜ୍ଞ ସାଂସଦ ତଥା ପୂର୍ବତନ ମନ୍ତ୍ରୀଙ୍କ କ୍ଷେତ୍ରରେ ଏମିତି କେମିତି ହେଲା ତାହା ଚିନ୍ତାର ବିଷୟ। ତଥାପି ତାଙ୍କ ସତ୍ୟପାଠ ଉପରେ ବିଶ୍ଵାସ କରିବାକୁ ହେବ ।

ଭର୍ତ୍ତୃହରିଙ୍କ କମ୍‌ ଲାଭ

ଭର୍ତ୍ତୃହରି ମହତାବ

ସବୁଠାରୁ କମ୍‌ ଲଭା କରିଛନ୍ତି ଭର୍ତ୍ତୃହରି ମହତାବ। ହିସାମ ଅନୁସାରେ ତାଙ୍କ ସମ୍ପତ୍ତିରେ ମାତ୍ର ୭୫ ପ୍ରତିଶତ ଅଭିବୃଦ୍ଧି ହୋଇଛଇ ।୫ କୋଟି ଟଙ୍କାରୁ ତାଙ୍କ ସମ୍ପତ୍ତିିମୂଲ୍ୟ ୮ କୋଟିରେ ପହଞ୍ଚିଥିବା ସେ ଦର୍ଶାଇଥିଲେ। ଏବେ ଜଣାପଡ଼ିବ ୨୦୧୯ରେ ତାଙ୍କର କେତେ ଆୟ ହୋଇଛି।

ସମୁଦାୟ ୨୯୮ ପ୍ରତିଶତ ଅଭିବୃଦ୍ଧି

ସମୁଦାୟ ହିସାବ କଲେ ଏହି ୭ ପୁନଃ ନିର୍ବାଚିତ ସାଂସଦଙ୍କ ସମ୍ପତ୍ତି ମୂଲ୍ୟରେ ୨୯୮ ପ୍ରତିଶତ ଅଭିବୃଦ୍ଧି ହୋଇଛି ।ସେମାନଙ୍କ ମୁଣ୍ଡପିଛା ହାରାହାରି ସମ୍ପତ୍ତି ଭୂଲ୍ୟ ୫ କୋଟି ଟଙ୍କାରୁ ବୃଦ୍ଧି ପାଇଁ ୨୩ କୋଟିରେ ପହଞ୍ଚିଛି। ଅର୍ଥାତ୍‌ ଜଣେ ସାଂସଦ ୫ ବର୍ଷରେ ୧୭ କୋଟି ଟଙ୍କା କମାଇବାରେ ସକ୍ଷମ ହୋଇପାରିଛନ୍ତି।

ଶେଷ କଥା

ଏହି ରିପୋର୍ଟ ଏଡିଆର୍‌ ( ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ) ଦ୍ଵାରା ପ୍ରସ୍ତୁତି ଅନୁଶୀଳନକୁ ଆଧାରକରି ପ୍ରସ୍ତୁତ। ଆଉ ଏହି ରିପୋଟର୍ର୍ ସ୍ପଷ୍ଟ କରୁଛି ଯେ, ସାଂସଦ ହେଲେ ଆପଣଙ୍କ ସମ୍ପତ୍ତିରେ ଅଭିବୃଦ୍ଧି ହେବ। ଓଡ଼ିଶା କ୍ଷେତ୍ରରେ ଦେଖିଲେ ଆପଣ ସର୍ବନିମ୍ନ ବର୍ଷକୁ ସବୁ ଖର୍ଚ ଯାଇ ୪ କୋଟି ଟଙ୍କା ସଞ୍ଚୟ କରିପାରିବେ। ଏଥିରୁ ବୁଝିପାରୁଥିବେ ଆମ ନେତାମାନେ କାହିଁକି ବ୍ୟାକୁଳ ସାଂସଦଟିଏ ହେବା ପାଇଁ।

Leave a Reply

Your email address will not be published. Required fields are marked *