ବିଜେଡିରେ ପ୍ରାର୍ଥୀ ଚୟନ ଅଡୁଆ ଛିଡୁନି

ଟିକେଟ ପାଇଁ ଟଣାଓଟରା: ନବୀନ ନିବାସରେ 
ମୁଖ୍ୟମନ୍ତ୍ରୀଙ୍କ ବଡଭଉଣୀ ଗୀତା ମେହେଟ୍ଟା 

ବିଧାୟକ ପ୍ରମୋଦ ମଲିକ ଓ ପଦ୍ମନାଭ ବେହେରା, ବିଧାୟିକା
ରାସେଶ୍ୱରୀ ପାଣିଗ୍ରାହୀଙ୍କ ବିରୋଧରେ କର୍ମୀଙ୍କ ସ୍ଲୋଗାନ

ବାଚସ୍ପତି ଓ ଅର୍ଥମନ୍ତ୍ରୀ ବି ଅପେକ୍ଷା କରିଥିଲେ ନିବାସ ବାରଣ୍ଡାରେ
ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକାକୁ ଅପେକ୍ଷା କରିଛି ବିଜେଡି

ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ ସକାଶେ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। କିନ୍ତୁ ଗତ ୧୯ବର୍ଷ ଧରି କ୍ଷମତାରେ ଥିବା ଶାସକ ବିଜୁ ଜନତା ଦଳ ପ୍ରାର୍ଥୀ ତାଲିକା ପ୍ରକାଶ କରୁନାହିଁ କାହିଁକି? ଯେକୌଣସି ସମୟରେ ନିର୍ବାଚନ ଲାଗି ପ୍ରସ୍ତୁତ ବୋଲି କହିଆସୁଥିବା ଦଳ କାହିଁକି ଓ କାହା ଭୟରେ ପ୍ରାର୍ଥୀ ତାଲିକା ପ୍ରକାଶ କରିବାରେ କରୁଛି ବିଳମ୍ୱ?

ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସର ପ୍ରାର୍ଥୀ ମନୋନୟନ ପଦ୍ଧତି ଭିନ୍ନ। ଦୁଇଟିଯାକ ଜାତୀୟ ଦଳ ହୋଇଥିବାରୁ ପ୍ରାର୍ଥୀ ଚୂଡ଼ାନ୍ତ କରିବା ନିଷ୍ପତ୍ତି ନିଆଯାଏ ଦିଲ୍ଲୀରେ। ବିଜେପି ପାଇଁ ସଂସଦୀୟ ବୋର୍ଡ଼ ଏବଂ କଂଗ୍ରେସ ଲାଗି ଏଆଇସିସି ପ୍ରାର୍ଥୀ ମନୋନୟନ କମିଟି ନିଷ୍ପତ୍ତି ନିଏ କିଏ କେଉଁଠାରୁ ଛିଡ଼ା ହେବ। ମାତ୍ର ଆଞ୍ଚଳିକ ଦଳ ହୋଇଥିବାରୁ ବିଜେଡ଼ି ନିଷ୍ପତ୍ତି ହୁଏ ନବୀନ ନିବାସରେ। କିନ୍ତୁ ଏପର୍ଯ୍ୟନ୍ତ କାହିଁକି ତାଲିକା ଘୋଷଣା କରାଯାଉ ନାହିଁ?

ନିର୍ବାଚନ ଲଢ଼ିବାକୁ ଶହଶହ ଆଶାୟୀ ନବୀନ ନିବାସରେ ମେଳି କରିବା ଏବଂ ବାୟୋଡାଟା ରାଜନୈତିକ ସଚିବ ଗୋପବନ୍ଧୁ ଦାଶଙ୍କୁ ଧରାଇ ଦେଇ ଆସିବା ନିରୁତା ନାଟକ ଛଡ଼ା କିଛି ନୁହେଁ। ଏହି ବାୟୋଡାଟା ନବୀନ ଦେଖନ୍ତି ନାହିଁ, ପଢ଼ନ୍ତି ନାହିଁ, ଏହା ଭିତ୍ତିରେ ଯୋଗ୍ୟ ଅଯୋଗ୍ୟ ବାଛନ୍ତି ନାହିଁ। ତେବେ ୬ଦିନ ହେଲା ନବୀନ ନିବାସ ଆଗରେ ଆଖଡ଼ା ଘର କରିବାକୁ ନେତୃତ୍ୱ ଅନୁମତି ଦେଲେ କାହିଁକି?

ଏହାର ସରଳ ଉତ୍ତର ଅଛି। କିଏ କେଉଁଠୁ ଛିଡ଼ା ହେବ, ଯଥେଷ୍ଟ ଆଗରୁ ନିଷ୍ପତ୍ତି ହୋଇସାରିଛି। ଅନ୍ୟ କେତେକ ସ୍ଥାନରେ ଅନ୍ୟ ଦଳରୁ ନେତାଙ୍କୁ ଆଣିବା ପାଇଁ ଯୋଜନା ଚାଲିଛି। କିନ୍ତୁ ଏହି ଆସନ ସଂଖ୍ୟା ଅଧିକ ନୁହେଁ। ଅଧିକାଂଶ ଆସନ ସକାଶେ ପ୍ରାର୍ଥୀ ଚୂଡ଼ାନ୍ତ ହୋଇସାରିଛନ୍ତି। ଏଥିପାଇଁ ଘୋଷଣା କରିବାକୁ ସାହସ ହେଉନାହିଁ ଯେ, ଟିକଟ କଟି ଯାଉଥିବା ନେତାମାନେ କାଳେ ଭାରତୀୟ ଜନତା ପାର୍ଟି କି କଂଗ୍ରେସ ପଳାଇ ଯିବେ। ସେଥିପାଇଁ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବିଜେଡିଚଚାହୁଁଛି।

ଇତିମଧ୍ୟରେ ଯେଉଁମାନେ ଟିକଟ ପାଇବେ ନାହିଁ ବୋଲି ସୁରାକ ପାଇଗଲେଣି, ସେମାନେ ଆପଣା ବାଟ ବାହାର କରିସାରିଲେଣି। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେପିରେ ଯୋଗ ଦେଇଛନ୍ତି। ଏମିତି ନେତାଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିଯିବ, ଯେତେବେଳେ ବିଜୁ ଜନତା ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ।

ନବୀନ ନିବାସରେ ଗୀତା ମେହେଟ୍ଟା

ମୁଖ୍ୟମନ୍ତ୍ରୀଙ୍କ ବଡଭଉଣୀ ଗୀତା ମେହେଟ୍ଟା ରବିବାର ନବୀନ ନିବାସରେ ପହଞ୍ଚିବା ଖବରକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଟିକେଟ ବଣ୍ଟନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିପାରେ ବୋଲି ଆଲୋଚନା ହେଉଛି।

ବହୁ ବିଧାୟକ ଓ ନେତା ବିଜେପି ଯୋଗାଯୋଗରେ

ମିଳିଥିବା ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଆଶଙ୍କାରେ ଥିବା ବହୁ ବିଧାୟକ ଓ ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି। କିଛି ଅନ୍ୟ ଦଳରେ ଯୋଗ ଦେଇପାରନ୍ତି, ଅନ୍ୟ କିଛି ବିଦ୍ରୋହୀ ଭୂମିକାରେ ଠିଆ ହୋଇପାରନ୍ତି। ଶାସନ କ୍ଷମତାରେ ଥିବା ଦଳଗୁଡ଼ିକ ଆଗୁଆ ଅନ୍ୟ ରାଜ୍ୟରେ ପ୍ରାର୍ଥୀ ଘୋଷଣା କରିସାରିଲେଣି। ଅବଶ୍ୟ ଓଡ଼ିଶାରେ ଲୋକସଭା ସହ ବିଧାନସଭା ସକାଶେ ମଧ୍ୟ ନିର୍ବାଚନ ହେଉଛି। କିନ୍ତୁ ୧୯ବର୍ଷ କ୍ଷମତାରେ ରହିବା ପରେ ମଧ୍ୟ ନିଜ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ପ୍ରଥମ ଥର ପାଇଁ ବିଜେଡିରେ ବିଶ୍ୱାସର ଘୋର ଅଭାବ ଦେଖିବାକୁ ମିଳିଛି।

ପୂର୍ବ ନିର୍ବାଚନ ତୁଳନାରେ ଏହି ନିର୍ବାଚନ ଭିନ୍ନ ହେବାକୁ ଯାଉଛି। ପ୍ରତି ସ୍ତରରେ ନବୀନଙ୍କ ଚିନ୍ତା ଓ ଆଶଙ୍କା ବଢ଼ୁଛି। ଦଳର ଅବସ୍ଥା କ’ଣ ତାହାର ଛବି ଦେଖିବାକୁ ମିଳିଛି ନବୀନ ନିବାସ ଆଗରେ। ହାତାହାତି ପର୍ଯ୍ୟନ୍ତ କଥା ଗଲାଣି। ଶାସକ ଦଳର ବିଧାୟକଙ୍କ ବିରୋଧରେ ନାରାବାଜି ହେଉଛି। ବିଧାୟକଙ୍କୁ ବଦଳାଇବା ପାଇଁ ଦାବି କରି କର୍ମୀମାନେ ନବୀନ ନିବାସ ଆଗରେ ବ୍ୟାନର ଧରି ଛିଡ଼ା ହୋଇଯାଉଛନ୍ତି। ଆଉ କେତେକ ବିଧାୟକ ବିଦ୍ରୋହ କରିବୁ ବୋଲି ମଧ୍ୟ ଖୋଲାଖୋଲି ଘୋଷଣା କଲେଣି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଯଦି ବିଦ୍ରୋହର ସ୍ୱର ଶୁଣିବାକୁ ମିଳୁଛି, ତେବେ ନିର୍ବାଚନମଣ୍ଡଳୀରେ ଏହା କିଭଳି ପ୍ରତିଫଳିତ ହେବ, ଅନୁମାନ କରିହେଉଛି।

ଟିକଟ ପାଇଁ ରଣହୁଁକାର

ଆଶାୟୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପ୍ରତି ନିର୍ବାଚନମଣ୍ଡଳୀରେ ପ୍ରାଥିର୍ତ୍ୱକୁ ନେଇ ବିଦ୍ରୋହୀ ରଣହୁଙ୍କାର ଦେଉଛନ୍ତି। ଦୁଇଦିନ ଧରି ନବୀନ ନିବାସ ସମ୍ମୁଖରେ ବିଦ୍ରୋହୀ ଗୋଷ୍ଠୀର ଯୁଦ୍ଧଂ ଦେହି ଘୋଷଣା ନେତୃତ୍ୱକୁ ଅଡ଼ୁଆ ଆଡ଼କୁ ଟାଣି ନେଉଛି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇ ନଥିବା ବେଳେ ଶନିବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଉପରେ ଆଲୋଚନା ଜାରି ରହିଛି।

ବିଧାୟକଙ୍କୁ ପରିବର୍ତ୍ତନ ଦାବି

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଗ୍ରହୀ ଥିବା ଅନେକ ଆଶାୟୀ ଶନିବାର ଦଳ ସଭାପତିଙ୍କୁ ସାକ୍ଷାତ ପାଇଁ ଆସିଥିଲେ। ଏମାନଙ୍କ ମଧ୍ୟରେ ଅନେକ ସମର୍ଥକ ନିଜ ନିଜ ଅଞ୍ଚଳର ବର୍ତ୍ତମାନର ବିଧାୟକଙ୍କୁ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି। ଟିକଟ ନୂଆ ବ୍ୟକ୍ତିଙ୍କୁ ଦେବାକୁ ଦାବି କରି ଭିନ୍ନଭିନ୍ନ ନିର୍ବାଚନମଣ୍ଡଳୀରୁ ଶହଶହ ସମର୍ଥକ ନବୀନ ନିବାସ ସମ୍ମୁଖରେ ନାରାବାଜି କରିଛନ୍ତି। ନିଆଳି ନିର୍ବାଚନମଣ୍ଡଳୀର ବର୍ତ୍ତମାନର ବିଧାୟକ ଡା. ପ୍ରମୋଦ କୁମାର ମଲିକଙ୍କୁ ଏଥର ଟିକଟ ନଦେବା ପାଇଁ ହଜାରହଜାର ସମର୍ଥକ ନବୀନ ନିବାସରେ ପହଞ୍ଚି ଦାବି ଜଣାଇଛନ୍ତି। ବିଧାୟକ ଶ୍ରୀ ମଲିକ ଇନ୍ଦିରା ଆବାସ, ପାଇଖାନା, ରାସ୍ତା, ଆଦି କାର୍ଯ୍ୟରେ ସିଧାସଳଖ ପିସି ମାଗୁଥିବାରୁ ତାଙ୍କୁ ଏଥର ଟିକଟ ନଦେବା ପାଇଁ ଏହି ସମର୍ଥକମାନେ ସଭାପତି ନବୀନ ପଟନାୟକଙ୍କ ନିକଟରେ ଦାବି କରିଛନ୍ତି। ନିଆଳିରେ ନୂଆ ପ୍ରାର୍ଥୀ ଦିଆ ନଗଲେ ଦଳ କ୍ଷତି ସହିବ ବୋଲି ଏହି ସମର୍ଥକମାନେ ନବୀନ ନିବାସ ବାହାରେ ଖୋଲାଖୋଲି ଘୋଷଣା କରିଛନ୍ତି।

ସମ୍ୱଲପୁରର ବିଧାୟିକା ଡା. ଋାସେଶ୍ୱରୀ ପାଣିଗ୍ରାହୀଙ୍କୁ ଏଥର ଟିକଟ ନଦେବାକୁ ଏହି ନିର୍ବାଚନମଣ୍ଡଳୀର ଶତାଧିକ ଲୋକେ ନବୀନ ନିବାସରେ ପହଞ୍ଚି ଦାବି କରିଛନ୍ତି। ଉକ୍ତ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସଂଖ୍ୟାଲଘୁ ସମ୍ପ୍ରଦାୟର ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି। ସେମାନେ ଅଭିଯୋଗ କରି କହିଛନ୍ତି, ବିଧାୟିକା ଜନହିତକର କାର୍ଯ୍ୟଗୁଡ଼ିକ ଠିକଣା ଭାବେ କରୁନାହାନ୍ତି। ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତିଙ୍କ ସହ ବିଧାୟିକା ସମ୍ପର୍କ ରଖି ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଉଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଅବହେଳିତ ରହିଛନ୍ତି। ଏଠାରେ ଜଣେ ନୂଆ ପ୍ରାର୍ଥୀଙ୍କୁ ଦିଆଗଲେ, ଏଥର ବିଜେଡି ଭଲ ଫଳାଫଳ କରିପାରିବ ବୋଲି ଏହି ଅଞ୍ଚଳବାସୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିିବା ନବୀନ ନିବାସ ବାହାରେ ସୂଚନା ଦେଇଛନ୍ତି।

ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କୁ ଏଥର ପ୍ରାର୍ଥୀ କରାଗଲେ ବିଜେଡ଼ି ଏହି ଆସନ ହାତଛଡ଼ା କରିବ ବୋଲି ଏହି ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡ଼ି କର୍ମୀ ଦଳ ସଭାପତିଙ୍କ ଠାରେ ଅଭିଯୋଗ କରିଛନ୍ତି। ବିଜେଡି ଏଠାରେ ଜଣେ ସ୍ଥାନୀୟ ଅଞ୍ଚଳର ନେତାଙ୍କୁ ଟିକଟ ଦେବାକୁ ଦାବି କରିଛନ୍ତି।

ସାକ୍ଷାତ ନ ପାଇ ଅନେକ ହତାଶ

ଆଶାୟୀମାନଙ୍କ ଭିଡ଼ ଭିତରେ ଦଳ ସଭାପତିଙ୍କୁ ଭେଟି ନିଜ ସପକ୍ଷରେ ବହୁ ନେତା ଟିକଟ ପାଇଁ ଅନୁରୋଧ କରିବାକୁ ଆସୁଛନ୍ତି। କାହାକୁ ଟିକଟ ମିଳିବ, ସେନେଇ ଆଶାୟୀମାନେ ଦ୍ୱନ୍ଦ୍ୱରେ ରହିଛନ୍ତି। ଶନିବାର ଦିନ ବାଚସ୍ପତି ପ୍ରଦୀପ ଅମାତ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ବିଧାୟକ ଦେବାଶିଷ ସାମନ୍ତରାୟ, ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଭଳି ନେତାମାନେ ନିଜ ପ୍ରାଥିର୍ତ୍ୱ ସପକ୍ଷରେ ଅନୁରୋଧ କରିବାକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ସମୟ ଧରି ଏହି ଦୁଇ ନେତା ଅପେକ୍ଷା ଗୃହରେ ବସି ରହିଥିଲେ ମଧ୍ୟ ସେମାନଙ୍କୁ ସାକ୍ଷାତ ମିଳି ନଥିଲା।

ଦଳ ଭିତରେ ବିଦ୍ରୋହୀମାନଙ୍କ ସଂଖ୍ୟା ବଢ଼ୁଥିିବା ବେଳେ ବିଭିନ୍ନ ସ୍ଥାନରୁ ଟିକଟ ଆଶାରେ ଅନେକ ନେତା ଦଳରେ ଯୋଗ ଦେବାକୁ ଆସୁଛନ୍ତି। ସମସ୍ତେ ଟିକଟ ଆଶାରେ ରହୁଥିବାରୁ ଏହାକୁ ନେଇ ଦଳୀୟ ନେତୃତ୍ୱ ପାଇଁ ବଡ଼ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ୁଥିବା ଦେଖିବାକୁ ମିଳୁଛି।

ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ:

Leave a Reply

Your email address will not be published. Required fields are marked *