କେନ୍ଦ୍ରାପଡ଼ା ବିଧାନସଭା: ବିଜେଡି ଦୁର୍ବଳ ହେଲେ କଂଗ୍ରେସକୁ ଫାଇଦା

ସାଧାରଣ ନିର୍ବାଚନରେ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ୪ଟି ବିଧାନ ସଭା କ୍ଷେତ୍ରରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ସେନେଇ ଆଶା ଆଶଙ୍କା ଲାଗି ରହିଥିବା ବେଳେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ। ଏହି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ହେବା ପାଇଁ ବିଭିନ୍ନ ଦଳରୁ ଏକାଧିକ ଆଶାୟୀ ରହିଛନ୍ତି। ଆଶାୟୀମାନେ ଦଳୀୟ ଟିକେଟ ହାସଲ କରିବାକୁ ନିଜ ନିଜ ସ୍ତରରେ ମଧ୍ୟ ଜୋରଦାର ଲବି ଚଳାଇଛନ୍ତି । ପ୍ରତି ଦଳରେ ସମାନ ଅବସ୍ଥା ଥିଲେ ବି ବିଜେଡିରେ ଏହା ଅଧିକ ଗୁରୁତ୍ୱପୂଣ୍ଣ ହୋଇଛି । ଏହାର କାରଣ ହେଉଛି ବିଜେଢଡି ଟିକେଟ୍‍ ଉପରେ ଲୋକଙ୍କ ଆସ୍ଥା ଓ ଭରସା।


କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ର କେନ୍ଦ୍ରପଡ଼ା ଲୋକସଭା କ୍ଷେତ୍ରର କେନ୍ଦ୍ରବିନ୍ଦୁ ହୋଇଥିବାରୁ ଏଠାରୁ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ସେନେଇ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ର ପାଇଁ ବିଜେଡିରୁ ଟିକେଟ ପାଇବା ପାଇଁ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ବିଧାୟକ କିଶୋର ତରାଇ, ଇଂ ମୂରଲିଧର ସେଠୀ, ଦୁଷ୍ମନ୍ତ ମଲ୍ଲିକ ପୂର୍ବରୁ ଲବି କରିଆସୁଥିଲେ । କିନ୍ତୁ ଏହି ବିଧାନସଭା କ୍ଷେତ୍ରରେ ବିଜେଡି ଟିକେଟ ପାଇବା ପାଇଁ ଏବେ ଜଣେ ରେଳ ବିଭାଗ ଅଧିକାରୀ ଜୋରଦାର ଲବି ଚଳାଇଛନ୍ତି । ପୁର୍ବତଟ ରେଳବାଇରେ ସେ ଜଣେ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରନ୍ତି । ଏବେ ସନ୍ଦେହ ନରଖି ଏବେ ତାଙ୍କ ନାଁଟି ସ୍ପଷ୍ଟ କରୁଛୁ । ସେ ହେଉଛନ୍ତି ନିରାକାର ଦାସ ।


ଖାଲି ସେ ନୁହଁନ୍ତି, କେନ୍ଦ୍ରାପଡ଼ାର ବିଧାୟକ ହେବା ପାଇଁ ମନବଳାଇ ବିଜେଡି ଟିକେଟରେ ପ୍ରତିଦ୍ୱନ୍ଦିତା କରିବାକୁ ପ୍ରଶାସନିକ ଅଧିକାରୀ ଓ ବିଜେଡିର ଉପର ସ୍ତରର ନେତାଙ୍କ ନିକଟରେ ଲବି ଚଳାଇଥିବା ଜଣାପଡ଼ିଛି । ନିରାକାର ପୂର୍ବତଟ ରେଳପଥର ଲୋକସମ୍ପର୍କ ଅଧିକାରୀ ଓ ଜଣେ ସାହିତ୍ୟିକ ଭାବେ ନିଜର ପରିଚୟ ସୃଷ୍ଟି କରିଥିବାରୁ ତାଙ୍କର ଅନେକ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ସହ ସୁସମ୍ପର୍କ ରହିଛି । ଏହି ସମ୍ପର୍କକୁ ବ୍ୟବହାର କରି ନିରାକାର ବିଜେଡି ଟିକେଟ ହାତେଇବାକୁ ଲାଗିପଡ଼ିଥିବାବେଳେ ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ ତାଙ୍କର ରାଜନୈତିକ ଅଭିଜ୍ଞତା ଓ ସମ୍ପର୍କକୁ ନେଇ ବିଜେଡିରୁ ପ୍ରାର୍ଥୀ ହେବାକୁ ଲବି କରୁଛନ୍ତି । ଗତ ୨୦୦୯ ସାଧାରଣ ନିର୍ବାଚନରେ ସିପ୍ରା ବିଜେଡି ଟିକେଟ ପାଇ କେନ୍ଦ୍ରାପଡ଼ାରୁ ପ୍ରତିଦ୍ୱନ୍ଦିତା କରି କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କୁ ପରାଜିତ କରି ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପକ୍ଷରୁ କିଶୋର ତରାଇଙ୍କୁ କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ କରାଯାଇଥିଲା ଓ ସେ ମଧ୍ୟ ଗଣେଶ ବେହେରାଙ୍କୁ ପରାଜିତ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

୨୦୦୪ ସାଧାରଣ ନିର୍ବାଚନରେ କିଶୋର ପଟ୍ଟାମୁଣ୍ଡାଇର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସିପ୍ରାଙ୍କ ଭଳି କିଶୋର ମଧ୍ୟ ତାଙ୍କ ରାଜନୈତିକ ଅଭିଜ୍ଞତା ଓ ରାଜନୈତିକ ସମ୍ପର୍କକୁ ନେଇ ବିଜେଡି ଟିକେଟ ହାସଲ କରିବାକୁ ଉଦ୍ୟମ କରୁଛନ୍ତି । ହେଲେ ସିପ୍ରାଙ୍କ ବାପା ପୂର୍ବତନ ମନ୍ତ୍ରୀ ପ୍ରହଲ୍ଲାଦ ମଲ୍ଲିକ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଲୋକପ୍ରିୟ ରାଜନେତା ଓ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ସହ ତାଙ୍କର ଦୀର୍ଘ ଘନିଷ୍ଠତା ଏବଂ ସିପ୍ରାଙ୍କର ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସହ ଏବେ ସୁସମ୍ପର୍କ ରହିଥିବାରୁ ସେ ବିଜେଡି ପକ୍ଷରୁ କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରର ବିଧାୟକ ପଦ ପାଇଁ ପ୍ରତିଦ୍ୱନ୍ଦିତା କରିବାକୁ ଆଶା ରଖି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲବି କରୁଥିବା ସହ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ କର୍ମୀସମାବେଶ ଓ ସାଧାରଣ ସଭା କରିବା ଆରମ୍ଭ କରିଦେଇଛନ୍ତି । କିନ୍ତୁ ସିପ୍ରାଙ୍କୁ ପାଟକୁରା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା ପାଇଁ ଟିକେଟ ଦେଇ ନିରାକାର ଦାସଙ୍କୁ କେନ୍ଦ୍ରାପଡ଼ାରେ ପ୍ରାର୍ଥୀ କରିବାକୁ ବିଜେଡି ଚିନ୍ତା କରୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।

ଅନ୍ୟପକ୍ଷରେ ପୂର୍ବତନ ମନ୍ତ୍ରୀ ଗଣେଶ ବେହେରାଙ୍କୁ କେନ୍ଦ୍ରାପଡ଼ାରେ ପ୍ରାର୍ଥୀ କରାଯିବାକୁ କଂଗ୍ରେସ ଦଳ ସ୍ଥିର କରିସାରିଥିବା ଜଣାପଡ଼ିଛି । ସେହିପରି କେନ୍ଦ୍ରାପଡ଼ାରେ ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦିତା ପାଇଁ ଗୀତା ସେଠୀ ଓ ସୁନାକର ବେହେରା ଆଶାୟୀ ଅଛନ୍ତି । ସୁନାକର ଗତ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ାରେ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ନଗଣ୍ୟ ଭୋଟ ପାଇ ପରାଜିତ ହୋଇଥିଲେ । ଗତ ନିର୍ବାଚନ ପରଠାରୁ ଗୀତା ବା ସୁନାକରଙ୍କୁ କୌଣସି ରାଜନୈତିକ ବା ସାମାଜିକ କାର୍ଯ୍ୟକ୍ରମରେ କେହି ଦେଖିବାର ସୁଯୋଗ ପାଇ ନଥିବାରୁ ସେମାନେ ପ୍ରତିଦ୍ୱନ୍ଦିତାକୁ ଆସିବା ସମ୍ଭାବନା କମ ରହିଛ । ତେଣୁ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ ମୁଖ୍ୟତଃ କଂଗ୍ରେସ ଓ ବିଜେଡି ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବା ଏବେଠାରୁ ସ୍ପଷ୍ଟ ହୋଇଗଲାଣି ।

ଗତ ୨୦୧୪ ମସିହା ନିର୍ବାଚନରେ ଗଣେଶ କେନ୍ଦ୍ରାପଡ଼ାରେ କଂଗ୍ରେସ ଦଳର ପ୍ରାର୍ଥୀ ହୋଇ ପରାଜିତ ହେବା ପରେ ବିଭିନ୍ନ ସମୟରେ ନିଜ ନିର୍ବାଚନ ମଣ୍ଡଳୀର ଗାଁ ଗହଳିକୁ ବାରମ୍ବାର ଯାଇ ଓ ଦଳୀୟ କର୍ମୀଙ୍କ ସହ ସୁସମ୍ପର୍କ ରକ୍ଷା କରି ନିଜର ଲୋକପ୍ରିୟତା ବୃଦ୍ଧି କରିଛନ୍ତି । ଏହି ପରିସ୍ଥିତିରେ ଗଣେଶଙ୍କ ସହ ବିଜେଡିର କିଏ ଟକ୍କର ଦେବ ସେ ନେଇ ସାଧାରଣରେ ଅଙ୍କକଷା ଚାଲଛି ।

ପ୍ରସ୍ତୁତି: ପ୍ରଦୀପ କୁମାର ଜେନା

ସୀମା ସେପାରିର ପ୍ରେମିକା: ପାକିସ୍ତାନୀ ପ୍ରେମିକା ଓ ଭାରତୀୟ ପ୍ରେମିକଙ୍କ ପ୍ରେମ କାହାଣୀ

ବିଜୁ ଜନତା ଦଳକୁ ଅଡୁଆ ମହିଳା କୋଟା

Leave a Reply

Your email address will not be published. Required fields are marked *