ସାଂସଦ ରାମଚନ୍ଦ୍ରଙ୍କ ସମେତ ଟିକଟ ଆଶଙ୍କାରେ ୯ ବିଧାୟକ

ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୯ଜଣ ବିଧାୟକ ଶାସକ ବିଜୁ ଜନତା ଦଳର। ଲୋକସଭା ସାଂସଦ ରାମଚନ୍ଦ୍ର ହାଁସଦା ବିଜେଡ଼ିର। ମାତ୍ର ନବଦିଗନ୍ତ ଚିଟ‌୍‍ଫଣ୍ଡ କମ୍ପାନୀର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ସିବିଆଇ ଦ୍ୱାରା ଗିରଫ ହେବା ପରେ ବିଜେଡ଼ିରୁ ନିଲମ୍ୱିତ ହୋଇଛନ୍ତି। ସୁପ୍ରମିକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇ ଜେଲରୁ ଖଲାସ ହୋଇଥିଲେ ମଧ୍ୟ ସାଂସଦ ରାମଚନ୍ଦ୍ରଙ୍କ ଉପରୁ ନିଲମ୍ୱନ ଆଦେଶକୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତ୍ୟାହାର କରିନାହାନ୍ତି।

ଚଳିତ ନିର୍ବାଚନରେ ସାଂସଦ ରାମ ପୁନର୍ବାର ବିଜେଡ଼ି ଟିକଟ ପାଇବାର ସମ୍ଭାବନା ନାହିଁ। ଡାକ୍ତର ଦେବାଶିଷ ମାରାଣ୍ଡି ମୟୂରଭଞ୍ଜ ଲୋକସଭା ଆସନରେ ବିଜେଡ଼ି ପ୍ରାର୍ଥୀ ହେବା ଚୂଡ଼ାନ୍ତ ବୋଲି ସୂଚନା ମିଳିଛି। ସେହିପରି ବିଜେଡ଼ିର ୯ ଜଣ ବିଧାୟକ ଆଶଙ୍କାରେ ଅଛନ୍ତି । କେଉଁ ବିଧାୟକଙ୍କୁ ଟିକଟ ମିଳିବ ନାହିଁ ସେଥିନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ଅଧିକାଂଶ ବିଜେଡ଼ି ବିଧାୟକ ବିବାଦୀୟ ଓ ଲୋକପ୍ରିୟତା ହରାଇଛନ୍ତି। ବିଧାୟକମାନଙ୍କର ଠିକାଦାର ପ୍ରୀତି ଆଲୋଚନାର ବିଷୟ ହୋଇଛି।

ମୟୂରଭଞ୍ଜର ବିଜେଡ଼ି ବିଧାୟକମାନଙ୍କ ପାଇଁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ମୁଣ୍ଡ ବ୍ୟଥାର କାରଣ ହୋଇଛି। ଜିଲ୍ଲାର କେଉଁ ବିଜେଡ଼ି ବିଧାୟକଙ୍କୁ ପୁନର୍ବାର ଦଳୀୟ ଟିକଟ ଦିଆଯିବ ସେଥିନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ଉଦଳା ବିଧାୟକ ଗୋଲକ ବିହାରୀ ନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ସେ ରାଜନୀତିରୁ ଅବସର ନେଇ ସାରିଲେଣି। ଅନ୍ୟ ୮ଜଣ ବିଜେଡ଼ି ବିଧାୟକଙ୍କ ମଧ୍ୟରୁ ସର୍ବାଧିକ ୨ଜଣ ବିଧାୟକ ପୁନର୍ବାର ବିଜେଡ଼ି ଟିକଟ ପାଇବାର ସମ୍ଭାବନା ରହିଛି। ଅନ୍ୟ ବିଜେଡ଼ି ବିଧାୟକମାନେ ପୁନର୍ବାର ବିଜୟୀ ହେବାର ଆଦୌ ସମ୍ଭାବନା ନାହିଁ। ତେଣୁ ଦଳୀୟ ଟିକଟ କଟିବା ନେଇ ବିଜେଡ଼ି ବିଧାୟକମାନେ ଆଶଙ୍କାରେ ରହିଛନ୍ତି।

ଜିଲ୍ଲାର ଅଧିକାଂଶ ନିର୍ବାଚନମଣ୍ଡଳୀରେ ବିଜେଡ଼ିର ନୂତନ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ବିଜେଡ଼ି ବିଧାୟକମାନେ ନିଜ ନିଜର ରାଜନୈତିକ ଭବିଷ୍ୟତ ନେଇ ଚିନ୍ତାରେ ଅଛନ୍ତି। କେତେ ଜଣ ବିଧାୟକ ବିଜେଡ଼ି ଟିକଟରୁ ବଞ୍ଚିତ ହେଲେ କଂଗ୍ରେସ ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି।

୨୦୧୪ ମସିହା ନିର୍ବାଚନ ମୟୂରଭଞ୍ଜ ଜିଲ୍ଲାରେ ବିଜେଡ଼ି ପାଇଁ ଏକତରଫା ଥିଲା। ବିଜେଡ଼ି ସହଜରେ ଶତ ପ୍ରତିଶତ ସଫଳତା ଲାଭ କରିଥିଲା। ମାତ୍ର ଚଳିତ ନିର୍ବାଚନରେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଶତ ଚେଷ୍ଟା କଲେ ମଧ୍ୟ ୨୦୧୪ ମସିହାରେ ସଫଳତା ବିଜେଡ଼ି ପୁନର୍ବାର ହାସଲ କରିପାରିବ ନାହିଁ। ବିଜେଡ଼ି କଡ଼ା ମୁକାବିଲାର ସମ୍ମୁଖୀନ ହେବ।

୨୦୧୭ ମସିହାରେ ଜିଲ୍ଲା ପରିଷଦ ଫଳାଫଳ ବିଜେଡ଼ି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଜିଲ୍ଲା ପରିଷଦର ୫୬ଟି ଆସନ ମଧ୍ୟରୁ ମାତ୍ର ୫ଟି ଆସନ ଲାଭ କରିବାରୁ ବିଜେଡ଼ିର ବିପର୍ଯ୍ୟୟ ହୋଇଥିଲା। ଅପର ପକ୍ଷରେ ୪୯ଟି ଆସନ ଲାଭ କରି ବିଜେପିକୁ ଐତିହାସିକ ସଫଳତା ମିଳିଥିଲା। ଜିଲ୍ଲା ପରିଷଦ ଫଳାଫଳର ପ୍ରଭାବ ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନରେ ପଡ଼ିବାର ଭୟ ଘାରିଛି ବିଜେଡ଼ିକୁ।

ଅତୀତରେ ରାଜ୍ୟ ଶାସନରେ ପରିବର୍ତ୍ତନର ବାର୍ତ୍ତା ମୟୂରଭଞ୍ଜ ଦେଇଥିଲା। ମୟୂରଭଞ୍ଜ ଜିଲ୍ଲାରେ ସଫଳତା ବିନା କୌଣସି ରାଜନୈତିକ ଦଳ ରାଜ୍ୟ ଶାସନକୁ ଆସିପାରି ନାହିଁ। କଂଗ୍ରେସ, ବିଜେଡ଼ି-ବିଜେପି ମେଣ୍ଟ ଏବଂ ବିଜେଡ଼ି କ୍ଷେତ୍ରରେ ଏହା ପ୍ରମାଣିତ ହୋଇଛି। ଜିଲ୍ଲାର ୯ଟି ବିଧାନସଭା ଆସନରୁ ସର୍ବନିମ୍ନ ୫ଟି ଆସନ ଆସନ୍ତା ନିର୍ବାଚନରେ ଯେଉଁ ରାଜନୈତିକ ଦଳ ଲାଭ କରିବ ସେହି ଦଳ ହିଁ ରାଜ୍ୟ ଶାସନ କରିପାରିବ। ଜିଲ୍ଲାର ୫ଟି ବିଧାନସଭା ଆସନ ବିଜେଡ଼ି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଆସନ୍ତା ନିର୍ବାଚନରେ ବିଜେଡ଼-ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବ। ଜେଏମଏମ-କଂଗ୍ରେସ ମେଣ୍ଟ ଯୋଗୁଁ ପୂର୍ବ ନିର୍ବାଚନ ତୁଳନାରେ ସ୍ଥିତିରେ ଉନ୍ନତି ହେଲେ ମଧ୍ୟ ବିଧାୟକ ହେବା ଆଶା କ୍ଷୀଣ। ଆଗାମୀ ନିର୍ବାଚନରେ ସର୍ବାଧିକ ନୂତନ ବିଧାୟକ ଜିଲ୍ଲାବାସୀ ଦେଖିବାକୁ ପାଇବେ ବୋଲି ପ୍ରାକ ଆକଳନରୁ ଜଣାପଡ଼ୁଛି।

ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published. Required fields are marked *