ନବୀନଙ୍କ ଘୋଷଣା : ୭ ମହିଳାଙ୍କୁ ଲୋକସଭାରେ ପ୍ରାର୍ଥୀ କରିବ ବିଜେଡ଼ି
କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସାରା ଦେଶରେ ମହିଳାଙ୍କ ପାଇଁ ସାଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଅଭିଯାନର ନେତୃତ୍ୱ ନେଉଥିବାରୁ ୨୦୧୯ରେ ବିଜେଡି କେତେ ମହିଳାଙ୍କୁ ଦଳୀୟ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିବା ବେଳେ କେନ୍ଦ୍ରାପଡାରେ ସେ ଘୋଷଣା କରିଛନ୍ତି ଯେ, ଓଡିଶାରୁ ୩୩ ପ୍ରତିଶତ ମହିଳା ସଂସଦକୁ ଯିବେ। ଅର୍ଥାତ୍ ୭ ମହିଳାଙ୍କୁ ଲୋକସଭାରେ ପ୍ରାର୍ଥୀ କରିବ ବିଜେଡ଼ି।
କେନ୍ଦ୍ରାପଡା ମାଟି, ବିଜୁ ବାବୁଙ୍କ ମାଟି। ବିଜୁ ବାବୁ ସାରା ଦେଶକୁ ବାଟ ଦେଖାଇଥିଲେ। ୯୦ ଦଶକରେ ମହିଳାଙ୍କ ପାଇଁ ପଂଚାୟତରେ ୩୩ ପ୍ରତିଶତ ସଂରକ୍ଷଣ ଦେଇ ଇତିହାସ ସୃଷ୍ଟି କରିଥିଲେ।
କେନ୍ଦ୍ରାପଡାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣଙ୍କ ସରକାର ୨୦୧୨ରେ ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ଦେଲେ। ମହିଳା ସଶକ୍ତିକରଣ ଅଭିଯାନକୁ ଆଗେଇନେଇ ଗତବର୍ଷ ଆପଣଙ୍କ ସରକାର ସାରା ଦେଶରେ ପ୍ରଥମ ଥର ପାଇଁ ମହିଳାଙ୍କୁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଓଡିଶା ବିଧାନସଭାରେ ସଂକଳ୍ପ ପାରିତ କଲା। ମୁଁ ଦେଶର ସବୁ ଦଳ ଓ ମୁଖ୍ୟମନ୍ତ୍ରୀମାନକୁ ଏହି ପ୍ରସ୍ତାବ ଦେଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ।
ଏଥିସହ ଆଜି ବିଜୁ ବାବୁଙ୍କ ପ୍ରିୟ ଐତିହାସିକ କେନ୍ଦ୍ରାପଡା ମାଟିରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ସଂସଦକୁ ଓଡିଶାରୁ ୩୩ ପ୍ରତିଶତ ମହିଳା ଯିବେ। ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡିଶା ସାରା ଦେଶକୁ ମହିଳା ସଶକ୍ତିକରଣର ବାଟ ଦେଖାଇବେ। ଓଡ଼ିଶାର ମା ମାନେ ଦେଶକୁ ବାଟ ଦେଖାଇବେ । ସେ କହିଥିଲେ ଯେ, ଯଦି ଭାରତକୁ ସାରା ବିଶ୍ୱର ଅଗ୍ରଣୀ ଦେଶ ହେବାର ଅଛି, ଯଦି ଭାରତ ଆମେରିକା ଓ ଚୀନ ପରି ଆଗୁଆ ଦେଶ ହେବାର ଅଛି, ତେବେ ଏହା କେବଳ ମହିଳା ସଶକ୍ତିକରଣ ଦ୍ୱାରା ହିଁ ସମ୍ଭବ।
ମହିଳା ସଶକ୍ତିକରଣ ପାଇଁ ଜାତୀୟ ଦଳଗୁଡିକ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ପାଳନ କରନ୍ତୁ। ଶ୍ରୀ ବଳଦେବଜୀଉଙ୍କ ପବିତ୍ର ମାଟି କେନ୍ଦ୍ରାପଡ଼ାରୁ ଏହି ଘୋଷଣା ସାରା ଦେଶରେ ଇଟିହାସ ସୃଷ୍ଟି କରିବ ବୋଲି ସେ କହିଥିଲେ।