କଂଗ୍ରେସ-ସିପିଆଇ ଅଡୁଆ ଛିଡୁନି
ସିପିଆଇ (ଭାରତୀୟ କମ୍ୟୁନିଷ୍ଟ ପାର୍ଟି) କଂଗ୍ରେସଠାରୁ ଗୋଟିଏ ଲୋକସଭା ଏବଂ ୫ଟି ବିଧାନସଭା ଆସନ ପାଇବାକୁ ଅଡ଼ି ବସିଛି। ଆଜି ମାର୍ତ୍ତବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ) ସହିତ ଆଲୋଚନା କରିବ କଂଗ୍ରେସ। କିନ୍ତୁ ସିପିଆଇ ଦାବିରୁ ଯେଉଁ ଅଡ଼ୁଆ ଆରମ୍ଭ ହୋଇଛି, ଏହା ସିପିଏମର ଦାବି ପରେ ବଢ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରୁନାହିଁ।
ଶନିବାର ଦିନ ଆସନ ବଣ୍ଟାବଣ୍ଟି ସଂକ୍ରାନ୍ତ ପ୍ରଥମ ବୈଠକ ହୋଇଥିଲା କଂଗ୍ରେସ ଏବଂ ସିପିଆଇ ଭିତରେ। କଂଗ୍ରେସ ଟିମର ନେତୃତ୍ୱ ନେଇଥିଲେ ବିରୋଧିଦଳ ନେତା ନରସିଂହ ମିଶ୍ର। ଏଥିରେ ଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ ଏବଂ ଅନନ୍ତ ସେଠୀ। ସିପିଆଇ ପକ୍ଷରୁ ଭାଗ ନେଇଥିଲେ ଆଶିଷ କାନୁନଗୋ, ଦିବାକର ନାୟକ ଏବଂ ରାମକୃଷ୍ଣ ପଣ୍ଡା।
ସିପିଆଇ ଗୋଟିଏ ଲୋକସଭା ଆସନ ସହ ୧୨ଟି ବିଧାନସଭା ଆସନ ଦାବି କରିଥିଲା। ପରବର୍ତ୍ତୀ କାଳରେ ଏହା ୫ଟି ବିଧାନସଭା ଆସନକୁ ଖସି ଆସିଥିଲା। ସିପିଆଇର ଦାବି ଅନୁସାରେ ଆସିକ ଲୋକସଭା ଆସନକୁ ଛାଡ଼ିବା ପାଇଁକଂଗ୍ରେସ ରାଜି ହୋଇଯାଇଥିଲା। କିନ୍ତୁ ଯେଉଁ ୫ଟି ବିଧାନସଭା ଆସନ ପାଇଁ ଅଡ଼ି ବସିଥିଲା ସିପିଆଇ, ତାହାହିଁ କଂଗ୍ରେସର ଚିନ୍ତା ବଢ଼ାଇ ଦେଇଛି।
ଏହି ଆସନ ହେଲା ଛତ୍ରପୁର, ବୌଦ୍ଧ, ବ୍ରଜରାଜନଗର, ଏରସମା-ବାଲିକୁଦା ଓ ଚିତ୍ରକୋଣ୍ଡା। ଛତ୍ରପୁର, ବୌଦ୍ଧ ଏବଂ ଚିତ୍ରକୋଣ୍ଡା ଆସନ ଛାଡ଼ିବାରେ କଂଗ୍ରେସର ଆପତ୍ତି ନଥିବା ସୂଚନା ମିଳିଛି। କିନ୍ତୁ ସମସ୍ୟା ବ୍ରଜରାଜନଗର ଏବଂ ବାଲିକୁଦା-ଏରସମାକୁ ନେଇ ରହିଛି। ବାଲିକୁଦା-ଏରସମାରେ କଂଗ୍ରେସ ବିଦ୍ରୋହୀ ବିଧାୟକ ଦାମୋଦର ରାଉତଙ୍କୁ ସମର୍ଥନ କରିବାର ସମ୍ଭାବନା ଅଛି। ସେହିପରି ବ୍ରଜରାଜନଗରରେ ଗତ ନିର୍ବାଚନ ପୂର୍ବରୁ କଂଗ୍ରେସ ଜିଣି ଜିଣି ଆସୁଥିବାରୁ ଏହାକୁ ସିପିଆଇ ହାତକୁ ଛାଡ଼ିଦେବା ପାଇଁ କଂଗ୍ରେସ ରାଜି ନୁହେଁ।
ଗତ ନିର୍ବାଚନରେ କଂଗ୍ରେସ କିଶୋର ଚନ୍ଦ୍ର ପଟେଲଙ୍କୁ ଏଠାରୁ ପ୍ରାର୍ଥୀ କରିଥିଲା। ଆସନ ଜିଣିଥିଲେ ବିଜେପିର ରାଧାରାଣୀ ପଣ୍ଡା। କିନ୍ତୁ ସିପିଆଇ ପ୍ରାର୍ଥୀ ଗଜାନନ ସାହୁଙ୍କୁ ମିଳିଥିଲା ମାତ୍ର ୬,୪୩୬ ଖଣ୍ଡ ଭୋଟ। ତେଣୁ ବ୍ରଜରାଜନଗର ଆସନ ସିପିଆଇକୁ ନଛାଡ଼ିବାକୁ ଯୁକ୍ତି କରିଛି କଂଗ୍ରେସ।
ସୁନ୍ଦରଗଡ଼ ଆସନକୁ ନେଇ ମଧ୍ୟ ଦୁଇ ଦଳ ଭିତରେ ବିରାଟ ମତପାର୍ଥକ୍ୟ ଅଛି। ତେବେ ୭ ତାରିଖ ଦିନ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ବୈଠକ ପରେ ବାମପନ୍ଥୀଙ୍କ ସହ ଆସନ ବୁଝାମଣା ସୁନିଶ୍ଚିତ ହୋଇଯିବ ବୋଲି ସିପିଆଇ ନେତା ଆଶିଷ କାନୁନଗୋ କହିଛନ୍ତି। ସିପିଏମ ସହ ଆଲୋଚନା ବେଳେ ନିର୍ଦ୍ଦିଷ୍ଟ କେତେକ ଆସନକୁ ନେଇ ଅଡ଼ୁଆ ସୃଷ୍ଟି ହୋଇପାରେ। ବଣେଇରେ ଏବେ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଅଛନ୍ତି। ଗତଥର ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ଭୀମସେନ ଚୌଧୁରୀ ତୃତୀୟ ସ୍ଥାନରେ ଥିଲେ। ସେ ବିଜେଡ଼ି ପ୍ରାର୍ଥୀ ଦୟାନିଧି କିଷାନଙ୍କ ସହ ସମାନ ଭୋଟ ବାଣ୍ଟି ନେଇଥିଲେ। ତେଣୁ ସିପିଏମର ଲକ୍ଷ୍ମଣଙ୍କଠାରୁ କଂଗ୍ରେସର ଭୀମସେନ ଚୌଧୁରୀଙ୍କ ଭୋଟ ବ୍ୟବଧାନ ୨ହଜାରରୁ ବି କମଥିଲା। ତେଣୁ ଭୀମସେନ ଏହି ଆସନ ସିପିଏମକୁ ଯାଉ ବୋଲି ଚାହୁଁ ନାହାନ୍ତି।
ଭୀମସେନ ପୂର୍ବରୁ ବିଜେପି ବିଧାୟକ ଥିଲେ। ତେବେ କଂଗ୍ରେସ ସିପିଏମ ସହ ମେଣ୍ଟ ପାଇଁ ଭୀମସେନଙ୍କୁ ବଳି ଦେଇପାରେ। ନୀଳଗିରି ଆସନକୁ ନେଇ ସିପିଏମ ଏବଂ କଂଗ୍ରେସ ମଧ୍ୟରେ ବିବାଦ ଉଠିବାର ଆଶଙ୍କା ରହିଛି। ଏହି ଆସନ ପୂର୍ବରୁ ବାମ ଦଳର ଦୁର୍ଗ ଥିଲା। ସିପିଏମର ପକେଟ ଭୋଟ ମଧ୍ୟ ଅଛି। କିନ୍ତୁ ଏହି ଆସନରୁ ନୀଳଗିରି ରାଣୀଙ୍କୁ ଛିଡ଼ା କରାଇବ କଂଗ୍ରେସ। ଆପାତତଃ ଏହି ନିଷ୍ପତ୍ତି ହୋଇସାରିଛି। ତେଣୁ ସିପିଏମର ନୀଳଗିରି ଦାବିକୁ କଂଗ୍ରେସ କେମିତି ଗ୍ରହଣ କରୁଛି, ତାହା ଦେଖିବାକୁ ଅଛି। ତେବେ ସିପିଏମର ଭୁବନେଶ୍ୱର ଲୋକସଭା ଆସନ ଛାଡ଼ିଦେବାରେ କଂଗ୍ରେସର ଆପତ୍ତି ରହିବ ନାହିଁ ବୋଲି ସୂଚନା ମିଳିଛି।