ଟିଏସ ଅଧିକ ଭରଷା ଯୋଗ୍ୟ!

ଅବିଶ୍ୱାସର ସଂଗଠନ କୁହାଯାଉଥିବା କଂଗ୍ରେସ ଏଥିରୁ ମୁକୁଳି ପାରୁନାହିଁ। ଗତ କିଛି ମାସ ତଳେ ରାଜ୍ୟ କଂଗ୍ରେସର ସଂଗଠନ ସଜାଡ଼ିବାକୁ ପ୍ରଭାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାଜସ୍ଥାନର କଂଗ୍ରେସ ନେତା ଜିତେନ୍ଦ୍ର ସିଂହଙ୍କ ଉପରେ ଏଆଇସିସି ଆଉ ପୂର୍ବଭଳି ଭରଷା କରିପାରୁନାହିଁ। ତେଣୁ ଜିତେନ୍ଦ୍ର ସିଂହଙ୍କ ସହିତ ଛତିଶଗଡ଼ର କଂଗ୍ରେସ ନେତା ଟି.ଏସ. ସିଂହଦେଓଙ୍କୁ ଅନ୍ୟତମ ପ୍ରଭାରୀ ଭାବେ ଓଡ଼ିଶା ଦାୟିତ୍ୱ ଦିଆଯାଇଛି ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ପୂର୍ବରୁ ଓଡିଶାର କଂଗ୍ରେସ ପ୍ରଭାରୀ ଥିବା ଜିତେନ୍ଦ୍ର ସିଂ ମଧ୍ୟ ଓଡିଶାର ଦାୟିତ୍ୱରେ ରହିବେ।

ଟି.ଏସ. ସିଂହଦେଓ ଛତିଶଗଡ କଂଗ୍ରେସର ଜଣେ ଟାଣୁଆ ନେତା। ଛତିଶଗଡରେ ନିର୍ବାଚନରେ କଂଗ୍ରେସର ସଫଳତା ପଛରେ ଟିଏସ.ସିଂଦେଓଙ୍କ ଅନେକ ଭୂମିକା ରହିଥିଲା। ଛତିଶଗଡ ଓଡିଶାର ପଡୋଶୀ ରାଜ୍ୟ ହୋଇଥିବା ସିଂଦେଓ ଓଡିଶାରେ ପ୍ରଭାବ ପକାଇପାରନ୍ତି ବୋଲି କଂଗ୍ରେସ ଆଶା କରିଛି। ଟି.ଏସ.ସିଂଦେଓ ଛତିଶଗଡର ପରିଣାମ ଓଡିଶାରେ ଦୋହରାଇ ପାରନ୍ତି ବୋଲି କଂଗ୍ରେସ ଆଶା କରିଛି।

ଅନେକ ଗୋଷ୍ଠୀରେ ବିଭକ୍ତ ବର୍ତ୍ତମାନ କଂଗ୍ରେସର ସ୍ଥିତି ଯାହା ଅଛି ସେଥିରେ ଟିକେ ସୁଧାର ଆଣିବା ପାଇଁ ଜାତୀୟ କଂଗ୍ରେସ ଚେଷ୍ଟା କରୁଛି। ଏଥି ପାଇଁ ରାହୁଲ ଗନ୍ଧି ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି। ରାଜ୍ୟରେ କଂଗ୍ରେସ ସଂଗଠନ ଦୁର୍ବଳ ଥିବା ବଳେ କଂଗ୍ରେସର ଅନେକ ତୁଙ୍ଗନେତା ଦଳ ଛାଡିବା କଂଗ୍ରେସ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଏହା ସହ ଏବେ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିବା ମଧ୍ୟ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଛଅ ମାସ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିବାକୁ କହିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ପ୍ରାର୍ଥୀ ଚୟନ କରିପାରି ନାହିଁ। ଏବେ ଦୁଇ ଦୁଇ ଜଣ କଂଗ୍ରେସ ପ୍ରଭାରୀ ଓଡିଶାରେ କଂଗ୍ରେସର ସ୍ଥିତିକୁ କେତିକି ସୁଧାରୁଛନ୍ତି ତାହା ନିର୍ବାଚନ ପରେ ହିଁ ଜଣାପଡିବ ।

Leave a Reply

Your email address will not be published. Required fields are marked *