ସରକାର ଦୁର୍ନୀତିର ମୂଳୋତ୍ପାଟନ କରିପାରିଛନ୍ତି: ରାଷ୍ଟ୍ରପତି

ଲୋକସଭା ନିର୍ବାଚନ ପୂର୍ବରୁ ଶେଷ ଅଧିବେଶନ ବା ବଜେଟ୍‌ଅଧିବେଶନର ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ। ସଂସଦର ସେଣ୍ଟ୍ରାଲ ହଲ୍‌ଠାରେ ସେ ଅଭିଭାଷଣ ରଖିବା ଅବସରରେ ଦୁର୍ନୀତି ବିରୋଧରେ ସରକାର ନେଇଥିବା ପଦକ୍ଷେପ ବାବଦରେ ଭୁରି ଭୁରି ପ୍ରଶଂସା କରିଛନ୍ତି। ଏହା ସହିତ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସବୁ ବର୍ଗର ନାଗରିକଙ୍କ ଉଚ୍ଚାକାଂକ୍ଷା ଏବଂ ଆଶା ପୂରଣ କରିବାକୁ ଚେଷ୍ଟା କରୁଥିଲେ ଏବଂ ‘ନ୍ୟୁ ଇଣ୍ଡିଆ’ ଦିଗରେ କାର୍ଯ୍ୟ କରୁଥିଲେ। ସରକାର କେବଳ ଦୁର୍ନୀତି କିମ୍ବା କଳାଧନ ମହଜୁଦକାରୀଙ୍କ ବିରୋଧରେ ଲଢ଼େଇ କରିନାହାନ୍ତି, ବରଂ ଏଥିପାଇଁ ସ୍ୱତନ୍ତ୍ର ତଦନ୍ତ ଟିମ୍‌ଗଠନ କରି ଏହାର ମୂଳ କାରଣ ଯାଏ ପହଞ୍ଚିବାର ପ୍ରୟାସ କରିଛନ୍ତି। ଅନ୍ତରୀଣ ବଜେଟ୍‌ ଆଗତ ହେବା ଆଗରୁ ଏହି ଅଭିବାଦନରେ ସେ ନୋଟ୍‌ବନ୍ଦୀ ବାବଦରେ ମତ ଦେବା ସହିତ ୧୦୦ ଓ ୫୦୦ ଟଙ୍କିଆ ନୋଟ୍‌ର ବିମୁଦ୍ରୀକରଣ କଳାଧନ ମହଜୁଦକାରୀଙ୍କ ଉପରେ ଆକ୍ରମଣ ସଦୃଶ ହୋଇଛି। ବେନାମୀ ସମ୍ପତ୍ତି ମାଲିକ ଏବଂ ଅର୍ଥନୀତିକ ଅପରାଧୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯାଇଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିଭାଷଣରେ ସେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି । ନିମ୍ନରେ ରାଷ୍ଟ୍ରପତି ଅଭିଭାଷଣର ମୁଖ୍ୟାଂଶ ପ୍ରଦାନ କରାଗଲା। ୨୦୧୪ ପୂର୍ବରୁ ଦେଶ ଘୋର ଅନିଶ୍ଚିତତା ଦେଇ ଗତି କରୁଥିଲା। କ୍ରମେ ପରିସ୍ଥିତି ସୁଧୁରିଛି। ଆର୍ଥିକ କ୍ଷେତ୍ରରେ ବି ପ୍ରଗତି ହୋଇଛି। ଜିଏସଟି ଯୋଗୁଁ ଗୋଟିଏ ଦେଶ ଗୋଟିଏ ଟ୍ୟାକ୍ସ ବ୍ୟବସ୍ଥା ଲାଗୁ ହୋଇଛି। ଏହାଦ୍ୱାରା କାରବାର କରିବା ବି ସହଜ ହୋଇପାରିଛି। ଲୋକଙ୍କ ମତ ଅନୁସାରେ ଜିଏସଟିରେ ଅନେକ ପରିବର୍ତ୍ତନ କରାଯାଇଛି।

କଳାଧନପାଇଁ କଠୋର ଆଇନ ହୋଇଛି। କଳାଧନ ନେଇ ସୂଚନା ପାଇବା ଲାଗି କିଛି ଦେଶ ସହ ବୁଝାମଣା ହୋଇଛି କଳାଧନ ଓ ଦୁର୍ନୀତି ବିରୋଧରେ ଅଭିଯାନ ଆରମ୍ଭ ହୋଇଛି। ମୁଦ୍ରା ଯୋଜାନାରେ ମହିଳାମାନେ ଅଧିକ ଲାଭବାନ୍ ହୋଇପାରିଛନ୍ତି। ୭୩ ପ୍ରତିଶତ ଋଣ କେବଳ ମହିଳାମାନଙ୍କୁ ହିଁ ପ୍ରଦାନ କରାଯାଇଛି। ଏହାବ୍ୟତୀତ ମହିଳା ଶସକ୍ତିକରଣ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଇଛି।

ଦେଶର ବିକାଶରେ କୃଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କୃଷକଙ୍କୁ ସହାୟତା ଯୋଗାଇବା ପାଇଁ ଓ ଆୟକୁ ଦୁଇଗୁଣା କରିବା ପାଇଁ ସରକାର ଚେଷ୍ଟା ଜାରି ରଖିଛନ୍ତି। ଭଲ ଗୁଣବତ୍ତାର ବିହନ, ବୈଜ୍ଞାନିକ ଉପାୟରେ କୃଷି କରିବା ଉପରେ ମଧ୍ୟ କାମ କରାଯାଇଛି। ସରକାର ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି।

ଶୌଚାଳୟ ନଥିବାରୁ ମହିଳା ଓ ଯୁବତୀ ଓ ଝିଅଙ୍କୁ ଅନେକ ସମୟରେ ଅପମାନିତ ହେବାକୁ ପଡ଼ୁଥିଲା। ଏବେ ଦେଶରେ ୯ କୋଟି ଶୌଚାଳୟ ନିର୍ମାଣ ହୋଇଛି। ଚୁଲିରେ ରୋଷେଇ କରିବା ଯୋଗୁଁ ଝିଅବୋହୂମାନେ ରୋଗରେ ପଡ଼ୁଥିଲେ। କିନ୍ତୁ ସରକାରଙ୍କ ଉଜ୍ଜଳା ଯୋଜନା ଅନୁସାରେ ୬ କୋଟିରୁ ଅଧିକ ଗ୍ୟାସ କନେକ୍ସନ ଦିଆଯାଇଛି। ୧୨ ଲକ୍ଷ ବିଦ୍ୟାଙ୍ଗଙ୍କୁ ସହୟତା ଉପକରଣ ଯୋଗାଇ ଦିଅଯାଇଛି। ଶିଶୁମାନଙ୍କ ପ୍ରତି ଅପରାଧ ହ୍ରାସ ପାଇଁ କଡ଼ା ପଦକ୍ଷେପ ନିଆଯାଇଛି। ଗତ ୪ ବର୍ଷରେ ମେଡ଼ିକାଲ ଶିକ୍ଷା ପାଇଁ ୩୧ ହଜାର ଅଧିକ ସିଟ୍ ଯୋଡ଼ାଯାଇଛି। ମୁସଲମାନ୍ ମହିଳାଙ୍କ ପାଇଁ ସରକାର ଟ୍ରିପଲ୍ ତଲାକ୍ ବିଲ ଆଣିଛନ୍ତି। ଲୋକସଭାରେ ପାରିତ ହୋଇଛି ଟ୍ରିପଲ୍ ତଲାକ୍ ବିଲ୍। ନାବାଳିକା ଦୁଷ୍କର୍ମକାରୀଙ୍କ ପାଇଁ ଫାଶୀ ଦଣ୍ଡର ବ୍ୟବସ୍ଥା କରାଯାଇଛି।

ଗତ ସାଢ଼େ ୪ବର୍ଷରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିଛି। ଜନଧନ ଯୋଜନାରେ ୩୪ କୋଟି ଲୋକଙ୍କ ଖାତା ଖୋଲାଯାଇଛି। ମହିଳାଙ୍କ ରୋଜଗାର ଉପରେ ଫୋକସ୍ ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହରର ଓ ଗାଁ ଲୋକଙ୍କୁ ଘର ଯୋଗାଇ ଦିଆଯାଇଛି। ମଧ୍ୟବିତ୍ତ ଲୋକଙ୍କ ରୋଜଗାର ବଢ଼ାଇବା ଲକ୍ଷ୍ୟରେ ଅଛନ୍ତି ସରକାର। ଏ ସରକାର ସବୁ ବର୍ଗର ଲୋକଙ୍କର ଆଶା ଓ ଆକାଙ୍‌କ୍ଷା ପୂରଣ କରୁଛନ୍ତି। ୨୦୧୪ ଯାଏଁ ଦେଶ ଅନିଶ୍ଚିତା ମଧ୍ୟରେ ଗତି କରି ଆସୁଥିଲା। ଏ ସରକାର ଆସିବା ସହ ଅନେକ ପରିବର୍ତ୍ତନ ଆସିବାରୁ ଉନ୍ନତିର ରୂପ ବଦଳି ଯାଇଛି। ଆମେ ଜାଣନ୍ତି ସ୍ୱାସ୍ଥ୍ୟ ନିମନ୍ତେ ଖର୍ଚ୍ଚ ଗରିବଙ୍କୁ ଆହୁରି ଗରିବ କରି ପକାଏ। ଏ ସରକାର ସେ ନିମନ୍ତେ ଆୟୁଷ୍ମାନ ଯୋଜନା କରିଛନ୍ତି। ଏହି ଯୋଜନାରେ ୧୦ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି।

୨୧ କୋଟିରୁ ଅଧିକ ଲୋକ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରୁ ଉପକାର ପାଇଛନ୍ତି। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅଭିଯାନରୁ ମଧ୍ୟ ୫୦ କୋଟିରୁ ଅଧିକ ଲୋକ ଉପକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ୨, ୪୭, ୦୦, ୦୦୦ ଘରକୁ ବିଜୁଳି ଯୋଗାଇ ଦିଆଯାଇଛି। ମୁଦ୍ରା ଯୋଜନାରେ ୧୫ କୋଟିରୁ ଅଧିକ ଲୋକ ଉପକୃତ ହୋଇଛନ୍ତି ଏବଂ ୪ କୋଟି ଲୋକ ନିଜସ୍ୱ ବ୍ୟବସାୟ ଆରମ୍ଭ କରିଛନ୍ତି। ସରକାର ୧୦% ଇଡବ୍ଲୁଏସ୍‌ବିଲ୍‌ଏବଂ ତିନ୍‌ ତଲାକ୍‌ ବିଲ୍‌ ଆଗତ କରିଛନ୍ତି। ସମାଜରେ ସାମାଜିକ ଓ ଲିଙ୍ଗଗତ ନ୍ୟାୟ ଆଣିବା ନିମନ୍ତେ ଆମେ ବଦ୍ଧପରିକର।
କୃଷକମାନଙ୍କର ଉପାର୍ଜନ ବଢ଼ାଇବା ଲାଗି ମଧ୍ୟ ଏ ସରକାର ପ୍ରତିଶ୍ରୁତିବଦ୍ଧ। କୃଷକମାନେ ପ୍ରକୃତରେ କ’ଣ ଚାହାଁନ୍ତି ଆମେ ତାହା ଜାଣୁ। ଉନ୍ନତ କୃଷି ଯନ୍ତ୍ରପାତି, ଅଧିକ ଅମଳକ୍ଷମ ବିହନ ଏବଂ ଉତ୍ତମ ସାର ଉପରେ ଏ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଅପ୍‌ଟିକ୍‌ ଫାଇବର ଦ୍ୱାରା ୧, ୧୬, ୦୦୦ ପରିବାର ଡିଜିଟାଲ୍‌ ସଂଯୋଗ ପାଇଛନ୍ତି। ୨୦୧୪ ବେଳକୁ ମାତ୍ର ୫୯ଟି ପରିବାର ଏହି ସୁବିଧା ପାଇଥିଲେ।

ଏ ସରକାରଙ୍କ ଦ୍ୱାରା ପ୍ରାୟ ୩୪ କୋଟି ଜନଧନ ଜମାଖାତା ଖୋଲା ଯାଇଛି। ଏହି ଜମାଖାତାରେ ୮୮୦୦୦ କୋଟି ଟଙ୍କା ଜମା ହୋଇଛି। ଯୋଜନାର ହିତ ସିଧାସଳଖ ଏହି ଆକାଉଣ୍ଟ୍‌ ଯୋଗେ ହିତାଧିକାରୀଙ୍କ ନିକଟକୁ ପଠାଯାଉଛି। ୨୦୧୪ ରୁ ୨୦୧୭ ମଧ୍ୟରେ ୫୫% ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଖୋଲା ଯାଇଛି। ନିର୍ଯାତନାର ଶରବ୍ୟ ହୋଇ ଭାରତରେ ଶରଣ ନେଇଥିବା ବ୍ୟକ୍ତିବିଶେଷଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବା ସୁଗମ କରାଇବ ନାଗରିକ ସଂଶୋଧନ ବିଲ୍‌। ସେମାନେ ନିର୍ଦୋଷ; ପରିସ୍ଥିତିର ଦୁର୍ଗତ।

ଦୁର୍ନୀତି ଦମନ ଏବଂ କଳାଟଙ୍କା ମୂଳପୋଛ କରିବା ନିମନ୍ତେ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଟିକସ ସ୍ୱର୍ଗ ବୋଲି ପାରମ୍ପରିକ ଭାବେ କୁହାଯାଉଥିବା ଦେଶଗୁଡ଼ିକ ସହ ନୂତନ ରାଜିନାମା ସ୍ୱାକ୍ଷରିତ ହୋଇଛି। ବେନାମି ଆଇନ୍‌ ନାମରେ ଏକ ନୂତନ କଠୋର ଆଇନ ସରକାର ପ୍ରଣୟନ କରିବେ। ପ୍ରସାରଣରୁ କଳାଟଙ୍କା ହଟାଇବା ଥିଲା ବିମୁଦ୍ରାୟନର ଲକ୍ଷ୍ୟ।

ବ୍ୟବସ୍ଥାରେ ତ୍ରୁଟିବିଚ୍ୟୁତି ଯାଞ୍ଚ କରିବାକୁ ସରକାର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଛନ୍ତି। ଏହାଦ୍ୱାରା ଆମେ ୮ କୋଟି ଜାଲ ହିତାଧିକାରୀଙ୍କୁ ଚିହ୍ନଟ କରିଛୁ। ‘ଏକ ଦେଶ ଏକ ଟିକସ ବ୍ୟବସ୍ଥା’ ନିମନ୍ତେ ସମଗ୍ର ଦେଶରେ ଜିଏସ୍‌ଟି ପ୍ରଣୟନ କରାଯାଇଛି। ବୋଗିବୀଲ୍‌ ପୋଲ ହେଉ କି, ଓ୍ବେଷ୍ଟର୍ଣ୍ଣ ପେରିଫେରାଲ୍‌ ଏକ୍ସପ୍ରେସ୍‌ ଓ୍ବେ ହେଉ, ଠିକଣା ସମୟରେ ପ୍ରକଳ୍ପ ସମାପନ କରିବାରେ ସରକାରଙ୍କର ସୁନାମ ରହିଛି। ଲୋକେ ଆଉ ଲମ୍ବାଧାଡ଼ି ବାନ୍ଧି ଠିଆ ହେଉ ନାହାନ୍ତି। ସମଗ୍ର ଦେଶରେ ୪୦୦ରୁ ଅଧିକ ପାସ୍‌ପୋର୍ଟ କେନ୍ଦ୍ର ହେଲାଣି। ଗଙ୍ଗା ନଦୀର ସଫେଇ ଯୋଜନା ଲାଗି ଏ ସରକାର ଅଙ୍ଗୀକାରବଦ୍ଧ। ପ୍ରକ୍ରିୟା ତ୍ୱରାନ୍ଵିତ କରିବାକୁ ଆମେ ପାଣ୍ଠି ମଞ୍ଜୁର କରିଛୁ। ପାକିସ୍ତାନ ବିରୋଧରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରି ସରକାର ଗୋଟିଏ ନୂତନ ଉଦାହଣ ସ୍ଥାପନା କରିଛନ୍ତି। ରାଜ୍ୟରେ ଆତଙ୍କବାଦୀ ସମସ୍ୟାର ସମାଧାନ କରି ସରକାର ଜମ୍ମୁ ଓ କଶ୍ମୀରର ଉନ୍ନତି ଲାଗି ବଦ୍ଧପରିକର। ଅସ୍ତ୍ରାଗାରରେ ରାଫେଲ୍‌ ଲଢୁଆ ବିମାନ ସାମିଲ କରି ସରକାର ଦେଶର ସାମରିକ ଉପକରଣକୁ ମଜଭୁତ କରୁଛନ୍ତି।

Leave a Reply

Your email address will not be published. Required fields are marked *