ଓଡ଼ିଶାରେ ନିର୍ବାଚନ ଲଢ଼ିବ ଟିଏମସି
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ତୃଣମୂଳ କଂଗ୍ରେସ (ଟିଏମସି) ତାର କାୟା ବିସ୍ତାର କରିବାକୁ ସହିତ ସମଗ୍ର ପୂର୍ବ ଭାରତରେ ବିଜେପିକୁ ଚେକମେଟ ଦେବା ପାଇଁ ଯୋଜନା କରୁଛି। ଏହି ଯୋଜନା ମୁତାବକ ଟିଏମସି ଆଗାମୀ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଦେବ ବୋଲି ଜଣାପଡ଼ିଛି। ଟିଏମସିର ସାଂସଦ ଡାରେକ ଓବ୍ରିଏନ ଦଳର ଆଗାମୀ ରଣନୀତି ସମ୍ପର୍କରେ ସୂଚନା ଦେଇଛି।
ଓଡ଼ିଶାର ଉତ୍ତରାଞ୍ଚଳ ମୟୁରଭଞ୍ଜ, ବାଲେଶ୍ୱର ଆଦି ଜିଲ୍ଲାଗୁଡ଼ିକରେ ବିଜେପି ଆଗାମୀ ନିର୍ବାଚନରେ ବହୁତ ସଫଳତା ମିଳିବ ବୋଲି ଆଶା କରିଛି। ଏହି ଅଞ୍ଚଳରେ ଗତ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ଶାସକ ବିଜେଡ଼ିକୁ ଶକ୍ତ ଧକ୍କା ଲାଗିଥିଲା। ବିଜେଡ଼ି ବିରୋଧି ଭୋଟକୁ ହାସଲ କରି ବିଜେପିକୁ ଚେକମେଟ ଦେବା ପାଇଁ ଟିଏମସି ଯୋଜନା କରିଥିବା ଜଣାପଡ଼ିଛି।
କେବଳ ଉତ୍ତରାଞ୍ଚଳ ନୁହେଁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ବି ଟିଏମସି ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଦେବାକୁ ଯୋଜନା କରିଛି। ଟିଏମସି ବିଜେଡ଼ି ବିରୋଧି ଭୋଟକୁ ହାସଲ କରି ବିଜେପିକୁ ବିଜୟ ପଥରୁ ଦୂରେଇ ରଖିବା ସହିତ ନିଜର କାୟା ବିସ୍ତାର କରିବାକୁ ରଣନୀତି ପ୍ରସ୍ତୁତ କରିଛି।
ଶ୍ରୀ ଓବ୍ରାଏନ କହିଛନ୍ତି, ଟିଏମସି ଗୋଟିଏ ଜାତୀୟ ଦଳ ଭାବେ ଏଥର ଓଡ଼ିଶା ସମେତ ୧୪ଟି ରାଜ୍ୟରେ ପ୍ରାର୍ଥୀ ଦେବ। ତେବେ ଓଡ଼ିଶାରେ କେଉଁ ଆସନରେ କେତେ ପ୍ରାର୍ଥୀ ଦିଆଯିବ ତା ଦଳର ସଂସଦୀୟ କମିଟି ସ୍ଥିର କରିବ। ଏଥିପାଇଁ ଅନ୍ୟ ସମଭାବାପନ୍ନ ଦଳ ସହ ଆଲୋଚନା କରାଯିବ । ଏଣିକି ପ୍ରତିମାସରେ ଓଡ଼ିଶାକୁ ଟିଏମସିର ଜଣେ ଲେଖାଏଁ ସାଂସଦ ଆସି ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବେ । ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଓଡ଼ିଶାର କିଛି ତୁଙ୍ଗନେତା ଦଳରେ ସାମିଲ ହେବେ ବୋଲି କହିଛନ୍ତି ଟିଏମସି ସାଂସଦ।