କେନ୍ଦ୍ରର ଆକାଂକ୍ଷୀ ଜିଲ୍ଲା ଯୋଜନାକୁ ପାଣ୍ଠି ମିଳୁନି

ପଛୁଆ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ଓଡ଼ିଶାର ୧୦ଟି ଜିଲ୍ଲା ବାଛିଥିଲେ ମଧ୍ୟ ଏଥିପାଇଁ ସ୍ୱତନ୍ତ୍ର ପାଣ୍ଠି ବରାଦ କରୁନଥିବାରୁ ଏହି ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ଆକାଂକ୍ଷା ପୂରଣ ହୋଇପାରୁନାହିଁ। ବଲାଙ୍ଗୀର, ଢେଙ୍କାନାଳ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଭଳି ଓଡ଼ିଶାର ୧୦ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲ୍ଲା ତାଲିକାରେ ସ୍ଥାନ ପାଇଛନ୍ତି।

ଏହି ଜିଲ୍ଲାଗୁଡ଼ିକରେ ସ୍ୱତନ୍ତ୍ର ଭାବେ ସାମାଜିକ ସେବା ଯଥା ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, କେଆର୍ଥିକ ବିକାଶ, ଗ୍ରାମ୍ୟ ବିଦ୍ୟୁତୀକରଣ, ପାନୀୟ ଜଳ ଯୋଗାଣ, ପରିମଳ ଇତ୍ୟାଦି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ଆକାଂକ୍ଷୀ ଜିଲ୍ଲା ଘୋଷଣା ସମୟରେ କୁହାଯାଇଥିଲା ।

ତେବେ ଦୁଇ ବର୍ଷ ତଳୁ ଏହି ଘୋଷଣା ହୋଇଥିଲେ ମଧ୍ୟ କେବଳ ୧୦ଟି ଜିଲ୍ଲା ପାଇଁ ୧୦ ଜଣ କେନ୍ଦ୍ରୀୟ ପ୍ରଭାରୀ ଅଫିସର ନିଯୁକ୍ତି କରିଦେଇ କର୍ତ୍ତୃପକ୍ଷ ସତେଯେମିତି ନିଜ ଦାୟିତ୍ୱ ଖସାଇ ଦେଇଛନ୍ତି ।

ସାକ୍ଷରତା କ୍ଷେତ୍ରରେ ଏହି ୧୦ଟି ଜିଲ୍ଲା ଢେର୍ ପଛରେ । ପ୍ରାଥମିକ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଶିକ୍ଷା, ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ବି ଏହି ଜିଲ୍ଲାଗୁଡ଼ିକ ଢେର୍ ପଛରେ ଅଛନ୍ତି । ଏହାଛଡ଼ା ପୁଷ୍ଟିହୀନତା ଓ ରକ୍ତହୀନତା ମଧ୍ୟ ଏହି ଜିଲ୍ଲାଗୁଡ଼ିକର ଆବାଳ ବୃଦ୍ଧ ବନିତାଙ୍କ ମଧ୍ୟରେ ବ୍ୟାପକ । ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଢେର୍ ପଛରେ ରହିଥିବା ଏହି ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ହାର ମଧ୍ୟ ଅତ୍ୟନ୍ତ ନୌରାଶ୍ୟଜନକ ।

ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟର ତତ୍ୱାବଧାନ ପାଇଁ ସଚିବ ପାହ୍ୟାର ଜଣେ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ତେଣୁ ୧୦ଟି ଯାକ ଆକାଂକ୍ଷୀ ଜିଲ୍ଲାରେ ପ୍ରଦୀପ୍ତ କୁମାର ମହାପାତ୍ର, ପ୍ରଦୀପ କୁମାର ଜେନା, ବିଷ୍ଣୁପଦ ସେଠୀ, ହେମନ୍ତ ଶର୍ମା, ବିଜୟ ଆରୋରା, ସି.ଏସ୍ କୁମାର, ଭି.ଭି ଯାଦବ, ଏନ୍.ଭି ଧଳ, ଏଲ୍.ଏନ୍ ଗୁପ୍ତା ଓ ପ୍ରମୋଦ ମେହେର୍ଦ୍ଦାଙ୍କ ଭଳି ବରିଷ୍ଠ ଅଧିକାରୀମାନେ ଦାୟିତ୍ୱରେ ଅଛନ୍ତି ।

ଅଥଚ କେନ୍ଦ୍ର ସରକାର ଏହି ଜିଲ୍ଲାଗୁଡ଼ିକ ପାଇଁ ତାଙ୍କର ସ୍ୱତନ୍ତ୍ର ପ୍ରଭାରୀ ଅଧିକାରୀ ନିଯୁକ୍ତ କରିଛନ୍ତି । ସୁରେଶ କୁମାର ବଶିଷ୍ଠ, ଯତିନ୍ଦ୍ର ନାଥ ସ୍ୱାଇଁ, ସଞ୍ଜିବ କୁମାର ଚଢ଼ା, ବିଦ୍ୟୁତ୍ ବିହାରୀ ସ୍ୱାଇଁ, ଶିଶିର କୁମାର ରଥ, ଉଷା ପାଢ଼ୀ, ସନ୍ତୋଷ କୁମାର ଷଡ଼ଙ୍ଗୀ, ସଞ୍ଜୟ ରସ୍ତୋଗୀ, ସନ୍ଦୀପ କୁମାର ନାୟକ ଓ ସତ୍ୟବ୍ରତ ସାହୁଙ୍କ ଭଳି କେନ୍ଦ୍ର ସରକାରଙ୍କ ବରିଷ୍ଠ ଆଇଏଏସ୍ ଓ ଆଇଏଫ୍ଏସ୍ ଅଫିସରମାନଙ୍କୁ ପ୍ରଭାରୀ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ଏହି ଅଫିସରମାନେ ମଝିରେ ମଝିରେ ଦିଲ୍ଲୀରୁ ଆସି ସମ୍ପୃକ୍ତ ଜିଲ୍ଲା ଗସ୍ତ କରୁଛନ୍ତି ।

ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ଆକାଂକ୍ଷା ପୂରଣ କରିବା ଲାଗି ସ୍ୱତନ୍ତ୍ର ପାଣ୍ଠି ବରାଦ କରିବାରକୁ ରଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ ଅନୁରୋଧ କରିଚାଲିଛନ୍ତି । ଏମିତିକି କେନ୍ଦ୍ରୀୟ ପ୍ରଭାରୀ ବୈଠକରେ ବି ଏ କଥା ଉଠିଛି ।

ଏହାସତ୍ୱେ ପଛୁଆ ଅଞ୍ଚଳ ବୋଲି ଚିହ୍ନିତ ହୋଇଥିବା ଏହି ୧୦ଟି ଆକାଂକ୍ଷୀ ଜିଲ୍ଲାର ବିକାଶ ପାଇଁ କିନ୍ତୁ ପଇସାଟିଏ ହେଲେ ଆକାଂକ୍ଷୀ ପାଣ୍ଠି ମିଳିନାହିଁ । ତେଣୁ ଅନ୍ୟ ଜିଲ୍ଲାଗୁଡ଼ିକରେ ରାଜ୍ୟ ବଜେଟରେ ଯେମିତି କାମ ·ଲିଛି ଏହି ଜିଲ୍ଲାଗୁଡ଼ିକରେ ତାହା ଅପେକ୍ଷା ଅଧିକ କାମ କରାଇବା ସମ୍ଭବପର ହେଉନାହିଁ ।

Leave a Reply

Your email address will not be published. Required fields are marked *